Unknown

 

 

 

 

 

 

 

 

 

 

ଭାରତୀୟ ଗାଉଁଲି ଗଳ୍ପ

(ପ୍ରଥମ ଖଣ୍ଡ)

ଶ୍ରୀ ଜାନକୀ ବଲ୍ଲଭ ମହାନ୍ତି

 

ସୂଚୀପତ୍ର

 

୧.

ସାଧବ ଝିଅ

୨.

ଭାଇ ଭଉଣୀ

୩.

ସ୍ତ୍ରୀର ଚତୁରତା

୪.

ଜଗତର ଶ୍ରେଷ୍ଠ ବିଷୟ

୫.

ବିଚାରକଙ୍କ ବୁଦ୍ଧି

୬.

ଅତି ଗର୍ବର ଫଳ

୭.

ସପନ ଗଛ

୮.

ଓଟ ଓ ବିଲୁଆ

୯.

ଝିଅର ପସନ୍ଦ

୧୦.

ଚାରୋଟି ବିଚିତ୍ର ପଦାର୍ଥ

୧୧.

ମନ୍ତ୍ରୀଙ୍କ ବୁଦ୍ଧି ପରୀକ୍ଷା

୧୨.

ଚତୁର ତେନାଲି ରାମ

୧୩.

ଦୁଇ ଲଢ଼ାଳୀ

୧୪.

କୋକି ଓ କଇଁଛ

୧୫.

ଲୋଭର ଫଳ

୧୬.

ମୂର୍ଖ ସ୍ୱାମୀ

Image

 

ସାଧବ ଝିଅ

 

ସାଧବଟିଏ । ସେଇ ରାଇଜରେ ତାଙ୍କ ଭଳି ଧନୀ କେହି ନଥିଲେ । ରାଜାଘର ପରି ଘରଦୁଆର । ଦୂର ଦୂରାନ୍ତକୁ ତାଙ୍କ ବୋଇତ ବେପାର କରିବାକୁ ଯାଏ, ଧନ ରତ୍ନ ନେଇ ଫେରେ । ସାଧବର ଚାରିଝିଅ, ରୂପରେ ଗୁଣରେ ଏକକୁ ଆରେକ ବଳନ୍ତି । ଦିନେ ଚାରି ଭଉଣୀ ବଗିଚାରେ ବୁଲୁଥିଲେ । ଟିକିଏ ହାଲିଆ ଲାଗିବାରୁ ଗଛଛାଇରେ ବସି ଖୁସିରେ ଗପସପ ହେଲେ । ଏଣୁ ତେଣୁ କଥାବାର୍ତ୍ତା ହେଉ ହେଉ ସେମାନଙ୍କ ବାହାଘର କଥା ପଡ଼ିଲା । କଥା ପ୍ରସଙ୍ଗରେ ବଡ଼ ଭଉଣୀ ପଚାରିଲା– ‘‘ଆଚ୍ଛା କହିଲ ଦେଖି, ବାହାହେଲାପରେ କିଏ କ’ଣ କରିବ ?’’

 

ଦ୍ୱିତୀୟ ଭଉଣୀ କହିଲା– ‘ମୁଁ ମୋ ସ୍ୱାମୀ କଥା ମାନି ଚଳିବି ।’

 

ତୃତୀୟଟି କହିଲା– ‘ମୁଁ ଯେମିତି ଶାଶୂ ଶ୍ୱଶୁରଙ୍କ କଥା ବୁଝି ସେମାନଙ୍କୁ ଖୁସିକରିବି, ସେମିତି ମୋ ସ୍ୱାମୀ କଥା ମଧ୍ୟ ମାନି ଚଳିବି । ତା’ହେଲେ ମୋ ଦିନକାଳ ଖୁସିରେ କଟିବ ।’

 

ବଡ଼ ଭଉଣୀ କହିଲା– ‘‘ମୁଁ ମୋ ବୋଉ କଥା ମାନିବି । ସେ ଯାହା କହିବ, ଶାଶୂଘରେ ସେଇଆ କରିବି ।’’

 

ସବା ସାନ ଭଉଣୀଟିର ବୟସ ବେଶି ନୁହେଁ । ତା’ ନାଁ ଜୟଶ୍ରୀ । ବାହାଘର ବିଷୟ କିଛି ନ କହି ଚୁପ୍‌ ରହିଲା । ସେ ଚୁପ୍‌ ରହିବାରୁ ବଡ଼ ଭଉଣୀ ତାକୁ ଦେଖାଇ କହିଲା– ‘‘ଜୟା, ତୁ ତ କିଛି କହିଲୁ ନାହିଁ । ଶାଶୂଘରେ କେମିତି ଚଳିବୁ କହୁନୁ ।’’

 

ଜୟଶ୍ରୀ ଟିକିଏ ଗମ୍ଭୀରହୋଇ କହିଲା– ‘ଶାଶୂଘରେ ମୁଁ ସମସ୍ତଙ୍କୁ ହାତମୁଠାରେ ରଖିବି । ମୋ କଥାରେ ସମସ୍ତଙ୍କୁ ଉଠ୍‍ ବସ୍‌ କରାଇବି ।’

 

ଏହା ଶୁଣି ତିନି ଭଉଣୀଯାକ ଏକା ସଙ୍ଗେ କହିଲେ– ‘‘ହଇଲୋ, ଏମିତି କେଉଁଠି ହେଲାଣି ନା ହୁଏ ?’’

 

ଜୟଶ୍ରୀ ମୁହଁରେ ହସ ଫୁଟାଇ କହିଲା, ‘‘ଶାଶୂଘରେ ମୁଁ ରାଣୀଭଳି ରହିବି । ଏମିତି ଯଦି ନ ଚଳିବି, ତେବେ ମୋ ନାଁ ଜୟଶ୍ରୀ ନୁହେଁ ।’’

 

ତିନି ଭଉଣୀଯାକ ତା’ ଆଡ଼କୁ ଆଶ୍ଚର୍ଯ୍ୟରେ ଚାହିଁ ରହିଲେ ।

 

ଯୋଗକୁ ସେତିକିବେଳେ ରାଜକୁମାର ବିଜୟ ରାୟ ସେହି ବଗିଚାକୁ ବୁଲି ଆସିଥିଲେ ।

 

ସେ ପାଖରେ ଥିବା ଗୋଟିଏ ବୁଦା ଆଢ଼ୁଆଳରେ ରହି ଚାରି ଭଉଣୀଙ୍କ କଥା ଶୁଣିପାରିଲେ । ଜୟଶ୍ରୀ କଥା ଶୁଣି ତାଙ୍କୁ ତାଟକା ଲାଗିଲା । ରାଜା ଲୁଚିକରି ଦେଖିଲେ, ଝିଅଟି ଦେଖିବାକୁ ଭାରି ସୁନ୍ଦର । ହେଲେ ବି ତା’ର ପୁଣି ଏତେ ଦିମାକ୍‌ । ଭାବିଲେ, ଏଇ ଝିଅଟାକୁ ସେ ବାହା ହେବେ ଓ ତାକୁ ଠିକ୍‌ ଜବତ୍‌ କରିବେ ।

 

ରାଜକୁମାର ଉଆସକୁ ଫେରିଲେ । ଚୁପ୍‌ ଚାପ୍‌ ଯାଇ ମୂଷାମାଟି ସଣ ସଣ, ବିଲେଇ ଘୁଅ ଭଣଭଣ ଅନ୍ଧାରି ଘରେ ମୁହଁ ମାଡ଼ି ଶୋଇଲେ । ଯିଏ ଯେତେ ଡାକିଲେ ଉଠିଲେନାହିଁ । ଶେଷକୁ ରାଜା ଆସି ଡାକିବାରୁ ରାଜକୁମାର କହିଲେ– ‘‘ସାଧବ ଘର ସାନ ଝିଅକୁ ଯଦି ମୋତେ ବାହା କରାଇବ, ତେବେ ମୁଁ ଖାଇବି, ନୋହିଲେ ନାହିଁ ।’’

 

ରାଜା ବହୁତ ବୁଝାଇଲେ–କେତେ ବଡ଼ ବଡ଼ ରାଜା ଘରୁ ତ ପ୍ରସ୍ତାବ ଆସୁଛି–ସାଧବ ଝିଅ ପାଇଁ କାହିଁକି ତୋ ମନ ବଳିଛି ? ମାତ୍ର ପୁଅର ସେଇ ଏକ ଜିଦ୍‌ । ଶେଷକୁ ରାଜା ବାଧ୍ୟ ହୋଇ ପୁଅ କଥାରେ ହଁ ଭରିଲେ ।

 

ଶୁଭଦିନ ଦେଖି ଜୟଶ୍ରୀ ସଙ୍ଗେ ରଜାପୁଅର ବିବାହ ହେଲା ।

 

ବାହାଘର ପରେ ବିଜୟ ରାୟ ହସିକରି ଜୟଶ୍ରୀକୁ କହିଲେ– ‘‘ତୁମେ କହୁଥିଲ ନା ଶାଶୂଘରେ ସମସ୍ତଙ୍କୁ ହାତ ମୁଠାରେ ରଖି ବସ୍‍ ଉଠ୍‌ କରିବ ?’’ ଏଠି ସେ ସବୁ ଚଳିବନାହିଁ । ତୁମ ବଡ଼େଇ ଭାଙ୍ଗି ଦେବାକୁ ମୁଁ ତୁମକୁ ବାହା ହୋଇଛି । ତୁମକୁ ମୁଁ ଏଠି ନିଶ୍ଚେ ଦାସୀ ଭଳି ରଖିବି ।’’

 

ଜୟଶ୍ରୀ ଭାରି ଚାଲାକ୍‌ । ଏହା ଶୁଣି ସେ ପ୍ରଥମେ ଚମକି ପଡ଼ିଲା; ମାତ୍ର ବିଚଳିତା ନ ହୋଇ ନମ୍ରଭାବେ କହିଲା– ‘‘ନା, ନା । ମୁଁ ଏଠି କାହାକୁ ହାତ ମୁଠାରେ ରଖିବାକୁ ଚାହୁଁନି । ଦାସୀ ଭଳି ମୁଁ ଆପଣଙ୍କ ଆଦେଶ ମାନି ଚଳିବି; ମାତ୍ର ଗୋଟିଏ ସର୍ତ୍ତରେ । ମୋର ଗୋଟିଏ ମାଗୁଣି ଅଛି । ଯଦି ରକ୍ଷାକରିବ କହିବି ।’’

 

ବିଜୟ ରାୟ କହିଲେ– ‘‘ତୁମର ପୁଣି ସର୍ତ୍ତ କ’ଣ ? ଆଚ୍ଛା ହଉ, କୁହ, ମୁଁ ତା’ ନିଶ୍ଚୟ ପୂରଣ କରିବି ।’’

 

ଜୟଶ୍ରୀ କହିଲା, ‘ଜୟଗଡ଼ର ରାଜକୁମାରୀ ଯେମିତି ଖୁବ୍‌ ଚତୁର, ସେମିତି ସୁନ୍ଦର । ତାକୁ ତୁମେ ଜିତିପାରିଲେ ଜାଣିବି, ତୁମଠୁଁ ବୀର ଓ ବୁଦ୍ଧିଆ ଆଉ କେହି ନାହିଁ ।’

 

ବିଜୟ ରାୟ ହସି ହସି କହିଲେ, ‘‘ଇଏ ବା କିବା କଥାଟେ ! ମୁଁ ଏହା କରିଦେଲେ ତୁମେ ସାରା ଜୀବନ ମୋ ଆଦେଶ ମାନି ଚଳିବ ତ ?’’

 

ଜୟଶ୍ରୀ କହିଲା, ‘‘ନିଶ୍ଚୟ; ମାତ୍ର ଯଦି ଆପଣ ରାଜକୁମାରୀକୁ ବୁଦ୍ଧିରେ ହରାଇ ନ ପାରନ୍ତି, ତେବେ ଆପଣଙ୍କୁ ମୋ ଆଦେଶ ମାନିବାକୁ ପଡ଼ିବ । ଏଥିରେ ଆପଣ ରାଜି ତ ?’’

 

ରାଜକୁମାର ଏଥିରେ ରାଜି ହୋଇଗଲେ । ଆଉ କାଳବିଳମ୍ବ ନ କରି ସେ ତା’ପରଦିନ ଜୟଗଡ଼ ଆଡ଼କୁ ଘୋଡ଼ା କସି ଦେଲେ ।

 

ଜୟଗଡ଼ ବହୁତ ଦୂର । କେତେଦିନ ପରେ ରାଜକୁମାର ଜୟଗଡ଼ରେ ପହଞ୍ଚିଲେ । ସେଇ ଦୁର୍ଗର ପାଚିରି, ଘର ସବୁ କଳା ରଙ୍ଗର । ତା’ ଉପରେ ଶହ ଶହ କଳା ପତାକା ଉଡ଼ୁଥାଏ । କେବଳ ଗଡ଼ ମଝିରେ ଥିବା ଗୋଟିଏ କୋଠା ଉପରେ ଧଳା ରଙ୍ଗର ପତାକାଟିଏ ଉଡ଼ୁଥାଏ । ସେଇ ଘରଟି ହେଉଛି, ରାଜକୁମାରୀ ରୂପବତୀଙ୍କ ମହଲ । ସେ ଦେଖିବାକୁ ଯେମିତି ଅପୂର୍ବ ରୂପବତୀ, ସେହିପରି ଗୁଣବତୀ । ଯିଏ ତାଙ୍କୁ ବିଦ୍ୟା, ବୁଦ୍ଧିରେ ହରାଇବ, ସିଏ ତାଙ୍କୁ ବିଭାହେବେ । କେହି ତାଙ୍କୁ ଜିତି ପାରୁନଥିଲେ । ଏଣୁ ସେ ପର୍ଯ୍ୟନ୍ତ ବାହାହୋଇ ନ ଥାନ୍ତି । ଯିଏ ଆସେ ସେ ତାଙ୍କ ପାଖେ ହାରେ । ସେଇମାନଙ୍କ ନାଆଁରେ ଗଡ଼ରେ ଶହ ଶହ କଳା ପତାକା ଉଡ଼ୁଛି । ରାଜକୁମାରୀଙ୍କ ପଣ ହେଉଛି, ଯିଏ ତାଙ୍କ ପ୍ରଶ୍ନର ଉତ୍ତର ଦେଇ ନ ପାରିବ, ସିଏ ସେଇ କଳାଦୁର୍ଗରେ ମୂଲିଆ ହୋଇ ରହିବ, ତା ନାଁରେ ପାଚେରିରେ କଳା ପତାକା ଉଡ଼ିବ ।

 

ରାଜକୁମାର ସେଠାରେ ପହଞ୍ଚି ଏସବୁ ଶୁଣିଲେ । ସେଠିକାର ଲୋକେ କହିଲେ– ‘‘ବାବୁ, ରାଜକୁମାରୀକୁ ବାହାହେବା ଆଶାରେ କାହିଁକି ଜୀବନଟା ନଷ୍ଟ କରିବ ? ସେଠିକି ମୋଟେ ଯାଅନା । ଭଲ ଗତି ଅଛି ତ ଘରକୁ ଫେରିଯାଅ ।’’

 

ରାଜକୁମାର ସେ ବିଷୟରେ କାନ ନଦେଇ ଗଡ଼ର ଫାଟକ ପାଖେ ଯାଇ ପହଞ୍ଚିଲେ । ଫାଟକର ପହରାବାଲା ତାଙ୍କୁ ସଲାମ କଲା । ରାଜକୁମାର ଆସିବାର କାରଣ କହିବାରୁ ରୂପବତୀଙ୍କ ମହଲକୁ ସେଇ ଖବର ପଠାଗଲା । ମନ୍ତ୍ରୀ ଆସିଲେ; ରାଜକୁମାରଙ୍କୁ ସ୍ୱାଗତ ଜଣାଇ ତାଙ୍କୁ ରାଜକୁମାରୀଙ୍କ ମହଲକୁ ପଠାଇଦେଲେ ।

 

ରାଜକୁମାରୀ ଗୋଟିଏ ପର୍ଦ୍ଦା ଆଢ଼ୁଆଳରେ ବସିଥାନ୍ତି । ଏହିପରି ଭାବେ ବିଜୟ ରାୟଙ୍କ ସହିତ ତାଙ୍କର କଥାବାର୍ତ୍ତା ଆରମ୍ଭ ହେଲା । ଅଳ୍ପ ହସି ସେ କହିଲେ– ‘‘କୁମାର ! ଏବେ ବି ସମୟ ଅଛି । ସବୁ କଥା ବିଚାରି ଏଠାକୁ ଆସିଛ ତ ? ରୂପବତୀ ପ୍ରକୃତ ବୁଦ୍ଧିମାନ୍‌ ଓ ଚତୁର ଲୋକକୁହିଁ ବିବାହ କରିବ । ମୋ ପ୍ରଶ୍ନର ଠିକ୍‌ ଠିକ୍‌ ଉତ୍ତର ଦେଇପାରିଲେ ଏଇ ଗଡ଼ ଓ ରାଜ୍ୟ ହେବ ତୁମର; ମାତ୍ର ଠିକ୍‌ ଉତ୍ତର ଦେଇ ନ ପାରିଲେ ମୋ ଗଡ଼ରେ ତୁମକୁ ସାରା ଜୀବନ ମଜୁରିଆ ହେବାକୁ ପଡ଼ିବ । ଏଇ କଳା ପତାକାକୁ ଦେଖୁଛ ତ ? ଏମିତି ଗୋଟିଏ କଳା ପତାକା ତୁମ ନାଁରେ ପାଚେରି ଉପରେ ଉଡ଼ିବ । ଏଥିରେ ତୁମେ ରାଜି ତ ?

 

ବିଜୟ ରାୟ ନିର୍ଭୀକ ଭାବେ କହିଲେ– ‘‘ହଁ ମୁଁ ଏସବୁ ଜାଣି ଏଠାକୁ ଆସିଛି । ସ୍ତ୍ରୀ ଲୋକଙ୍କ ବୁଦ୍ଧି କେତେ ତା’ ମୋତେ ଜଣା । ତୁମେ ମୋତେ କି ପ୍ରଶ୍ନ ପଚାରିବ ପଚାର ।’’

 

ରାଜକୁମାରୀ ମନେ ମନେ ବିରକ୍ତ ହୋଇ କହିଲେ– ବେଶ୍‌, ଭଲକଥା । ଏଥର ତୁମ ବୁଦ୍ଧି ପରଖା ଯାଉ । ଆଚ୍ଛା କୁହ ଦେଖି ‘‘ଏକ କ’ଣ ?’’ ଏ ହେଉଛି ମୋର ପ୍ରଥମ ପ୍ରଶ୍ନ । ଶୀଘ୍ର ଏହାର ଉତ୍ତର ଦିଅ !’’

 

ରାଜକୁମାର ଏପରି ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ଏହାର କ’ଣ ଉତ୍ତର ହେବ, ସେ ଠିକ୍‌ କରିପାରିଲେ ନାହିଁ । ଚିଡ଼ିଯାଇ ସେ କହିଲେ– ‘‘ଏକ ! ଏକ ପୁଣି କ’ଣ ! ଏଇଟା କ’ଣ ଗୋଟିଏ ପ୍ରଶ୍ନ ? ଠିକ୍‌ ପ୍ରଶ୍ନ ପଚାରନ୍ତୁ ।’’

 

ରାଜକୁମାରୀ ହସି ଉଠିଲେ । ସେ ଦୁଇଥର ତାଳି ବଜାଇବା ମାତ୍ରେ ଚାରିଜଣ ସିପାହି ଆସି ସେଇ ଘରେ ହାଜର ହୋଇଗଲେ । ରାଜକୁମାରଙ୍କୁ ଦୁଇପଟୁ ଘେରି ଠିଆହୋଇଗଲେ ।

 

ରାଜକୁମାରୀ କହିଲେ– ‘‘କୁମାର, ଏହି ପ୍ରଶ୍ନର ଉତ୍ତର ହେଉଛି ଈଶ୍ୱର । ସେ ହେଉଛନ୍ତି ଏକ; ମାତ୍ର ତୁମେ ଏ ଉତ୍ତର ଦେଇପାରିଲ ନାହିଁ ।

 

ଏପରି ସମୟରେ ଗଡ଼ ରୋଷେଇଆ ଆସି ସେଇଠି ପହଞ୍ଚିଲା । ରାଜକୁମାରୀଙ୍କୁ ନମସ୍କାର କରି କହିଲା–‘‘ରାଣୀ ସାହେବା, ଗଡ଼ରେ ଚାରି ପାଞ୍ଚଶହ ଲୋକଙ୍କ ଲାଗି ରୋଷେଇ କରିବାକୁ ହେଉଛି । ଏକୁଟିଆ ମୁଁ ତାହା ପାରୁନି । ମୁଁ ବୁଢ଼ା ହେଲିଣି । ମୋତେ ସାହାଯ୍ୟ କରିବାକୁ ଜଣେ ଲୋକ ଦିଆଯାଉ ।’’

 

ରାଜକୁମାରୀ ବିଜୟ ରାୟକୁ ଦେଖାଇ କହିଲେ– ‘‘ଏଇ ଲୋକଟାକୁ ନେଇଯାଅ । ୟା ବୁଦ୍ଧି ଚୁଲି ଲଗାଇବାକୁ ଉପଯୁକ୍ତ ।

 

ବିଚାରା ବିଜୟ ରାୟ ! ସିପାହିମାନେ ତାଙ୍କୁ ବାହାରକୁ ଟାଣିନେଲେ । ତାଙ୍କଠାରୁ ଢାଲ ତରୁଆଲ କାଢ଼ିନେଲେ । ତାଙ୍କ ପଗଡ଼ି ଓ କୁରୁତାକୁ କାଢ଼ି ଗୋଟାଏ କଣକୁ ଫୋପାଡ଼ି ଦିଆଗଲା । ବନ୍ଦିଶାଳାରେ କଇଦୀଙ୍କ ଭଳି ପୋଷାକ ତାଙ୍କୁ ପିନ୍ଧାଇ ଦିଆଗଲା । ତାଙ୍କୁ ରୋଷେଇ ଘରେ ଚୁଲି ଲଗାଇ ରୁଟି ସେକିବାକୁ କୁହାଗଲା ।

 

ଚାହୁଁ ଚାହୁଁ ଏକମାସ ବିତିଗଲା । ବିଜୟ ରାୟ ନ ଫେରିବାରୁ ଜୟଶ୍ରୀ ମନରେ ଚିନ୍ତା । ସେ ଭାବିଲା ତାଙ୍କୁ ନିଶ୍ଚେ କିଛି ବିପଦ ପଡ଼ିଛି । ତା’ରି ଯୋଗୁ ରାଜକୁମାର ବିପଦରେ ପଡ଼ିବେ ଭାବି ତା’ ମନ ଦୁଃଖ ହେଲା । ସେ ସ୍ଥିର କଲା, ରୂପବତୀକୁ ହରେଇ ରାଜକୁମାରଙ୍କୁ, ଉଦ୍ଧାର କରିବ । ରାଜକୁମାରୀର ଗର୍ବ ଭାଙ୍ଗି ଦେବ । ଦିନେ ସେ ଘୋଡ଼ାରେ ବସି ଜୟଗଡ଼ ଚାଲିଲା ।

 

କେତେଦିନ ପରେ ସେ ଯାଇ ସେଇ କଳାଦୁର୍ଗ ପାଖେ ପହଞ୍ଚିଲା । ଗୋଟାଏ ଗଛପାଖେ ଘୋଡ଼ାରୁ ଓହ୍ଲାଇ ଆପଣାର ଶାଢ଼ି, କାଚ ପ୍ରଭୃତି ବଦଳାଇ ପୁରୁଷ ବେଶ ହେଲା । ପଗଡ଼ି ପ୍ରଭୃତି ପିନ୍ଧିବାରୁ ଠିକ୍‌ ରାଜକୁମାର ପରି ଦିଶିଲା । ସେଇ ବେଶରେ ସେ ଯାଇ ଗଡ଼ର ଫାଟକ ପାଖେ ପହଞ୍ଚିଲା । ପହରାଦାରଙ୍କୁ କହିଲା– ‘‘ଯାଅ ରାଜକୁମାରୀଙ୍କି କହିବ, ଜଣେ ରାଜକୁମାର ଆସିଛନ୍ତି, ତାଙ୍କ ଗର୍ବ ଭାଙ୍ଗିଦେବାକୁ । ତାଙ୍କ ବୁଦ୍ଧି କେତେ ସେ ପରୀକ୍ଷା କରିବେ ।’’

 

ପହରାଦାର ଭିତରକୁ ଖବର ପଠାଇଲା । ମନ୍ତ୍ରୀ ଆସି ଏଇ ରାଜକୁମାରଙ୍କୁ ରାଜକୁମାରୀଙ୍କ ପାଖକୁ ନେଇଗଲେ । ରାଜକୁମାରୀ ପର୍ଦ୍ଦା ଆଢ଼ୁଆଳରେ ବସି ପ୍ରଶ୍ନ କରିବାକୁ ଲାଗିଲେ । ପଚାରିଲେ ‘‘ହଁ କୁମାର ସାହେବ କହନ୍ତୁ ତ ‘ଏକ’ କ’ଣ ?’’

 

ଜୟଶ୍ରୀ ସଙ୍ଗେ ସଙ୍ଗେ ଉତ୍ତର ଦେଲା– ‘‘ଏ ଗୋଟାଏ ପ୍ରଶ୍ନ ! ‘ଏକ’ ତ ହେଉଛନ୍ତି ଭଗବାନ୍‌ ।’’

 

ରାଜକୁମାରୀ ଟିକିଏ ଆଶ୍ଚର୍ଯ୍ୟ ହେଲା । ସେ ପୁଣି ଦ୍ୱିତୀୟ ପ୍ରଶ୍ନ ପଚାରିଲା– ‘‘ଆଚ୍ଛା ଦୁଇ କ’ଣ ?’’

 

‘‘ସୂର୍ଯ୍ୟ ଓ ଚନ୍ଦ୍ର ।’’

 

‘‘ଆଚ୍ଛା ତିନି କ’ଣ ?’’

 

ତିନି ହେଉଛି, ‘‘ତିନି ଗୁଣ–ସତ୍ୱ, ରଜ, ତମ ।’’ ଜୟଶ୍ରୀ ଦୃଢ଼ଭାବେ ଉତ୍ତର ଦେଲା । ରାଜକୁମାରୀ ବୁଝିପାରିଲା, ଆଜି ପ୍ରକୃତରେ ଜଣେ ବୁଦ୍ଧିମାନ ଚତୁର ଲୋକ ହାବୁଡ଼ରେ ସେ ପଡ଼ିଯାଇଛି । ତାହାଙ୍କୁ ହରବର କରିଦେଲେ ହୁଏତ ତାଙ୍କ ଭୁଲ୍‌ ହୋଇପାରେ । ଏଥିପାଇଁ ସେ ଶୀଘ୍ର ପୁଣି ସବୁ ପ୍ରଶ୍ନ ପଚାରିବାକୁ ଆରମ୍ଭକଲା ।

 

ରୂପବତୀ ପଚାରିଲା– ‘‘ଚାରି କ’ଣ ?’’

 

‘‘ଚାରି ହେଉଛି, ବେଦ ।’’

 

‘‘ପାଞ୍ଚ କଣ’’ ?

 

‘‘ପାଞ୍ଚ ହେଉଛି, ମହାଭୂତ ।’’

 

‘‘ଆଚ୍ଛା, ଛଅ କ’ଣ ?’’

 

‘‘ଛଅ ହେଉଛି, ଶାସ୍ତ୍ର ।’’

 

‘‘ଆଚ୍ଛା, ସାତ କ’ଣ ?’’

 

‘‘ସାତ ହେଉଛନ୍ତି ସପ୍ତଋଷି ।’’

 

‘‘ଆଠ କ’ଣ ?’’

 

‘‘ଆଠ ହେଉଛି, ଅଷ୍ଟମହାସିଦ୍ଧି ।’’

 

‘‘ନଅ କ’ଣ ?’’

 

‘‘ନବ ଗ୍ରହ ।’’

 

‘‘ଦଶ କ’ଣ ?’’

 

‘‘ଦଶାବତାର ।’’

 

ଏମିତି ରାଜକୁମାରୀ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଯାଉଥାଏ ଓ ଜୟଶ୍ରୀ ଗୋଟିଏ ପରେ ଗୋଟିଏ ଉତ୍ତର ଦେଉଥାଏ । ଏଥର ରୂପବତୀ ଘାବୁରେଇ ଗଲା । ତା’ର ଭୟହେଲା, କାଳେ ଏଇ ଯୁବକ ତାକୁ ହରାଇଦେବ । ଯୁବକକୁ ହରାଇ ଦେବାର ଆଉ ଆଶା ଦେଖାଯାଉନି । ଶେଷକୁ ସେ ଡରି କହିଲା,–‘‘ରାଜକୁମାର, ଆପଣ ପ୍ରକୃତରେ ବହୁ ବୁଦ୍ଧିମାନ ମନେ ହେଉଛନ୍ତି । ଆଚ୍ଛା, ଏଗାର କ’ଣ କୁହନ୍ତୁ । ଯଦି କହିଦେବେ ତେବେ ମୁଁ ହାରିଗଲି ବୋଲି ମାନିନେବି ।’’

 

ରାଜକୁମାର ବେଶ ହୋଇଥିବା ଜୟଶ୍ରୀ କହିଲା– ‘‘ରାଜକୁମାରୀ ! ଆପଣ ଏକମାତ୍ର ଜ୍ଞାନୀ ବୋଲି ଅହଙ୍କାର କରିବା ଉଚିତ ନୁହେଁ । ମୁଁ ତୁମର ଏତେଗୁଡ଼ାଏ ପ୍ରଶ୍ନର ଉତ୍ତର ଦେଲି, ତଥାପି ତୁମେ ହାର ମାନିଲନାହିଁ । ହଉ, ଏଇ ଶେଷଥର ତେବେ ତୁମେ ହାରିଲ । ତୁମର ଶେଷ ପ୍ରଶ୍ନର ଉତ୍ତର ହେଉଛି, ଏଗାର ରୁଦ୍ର ।’’

 

ରାଜକୁମାରୀ ହାରିଗଲେ ବୋଲି ମାନିବାକୁ ବାଧ୍ୟହେଲେ । ସେ କହିଲେ– ‘‘ରାଜକୁମାର, ବାସ୍ତବିକ୍‌ ମୋଠାରୁ ଆପଣ ଅଧିକ ବୁଦ୍ଧିମାନ । ମୁଁ ଆପଣଙ୍କୁ ବିବାହ କରିବାଲାଗି ପ୍ରସ୍ତୁତ ।’’

 

ରାଜକୁମାରୀ ତାଙ୍କ ବାପାଙ୍କ ନିକଟକୁ ଏଇ ଖବର ପଠାଇଲେ । ମନ୍ତ୍ରୀ ରାଜାଙ୍କୁ ଏଇ ଖବର ଜଣାଇବାରୁ ରାଜା ଖୁସିହୋଇ ରାଜକୁମାରଙ୍କୁ ଦେଖିବାକୁ ଆସିଲେ । ଜୟଶ୍ରୀକୁ ରାଜକୁମାର ମନେକରି ତାଙ୍କୁ ଆଶୀର୍ବାଦ କଲେ । ବିବାହ ହେବାର ଲଗ୍ନ ସ୍ଥିରହେଲା ।

 

ମାତ୍ର ଜୟଶ୍ରୀ ରାଜାଙ୍କୁ କହିଲା– ‘‘ଆଜ୍ଞା, ଏଥିରେ ମୋର ଆପତ୍ତି ନାହିଁ; ମାତ୍ର ଆମ ବଂଶର ବିବାହ ଆମ କୁଳଦେବତାଙ୍କ ଆଗରେ ହୋଇଥାଏ । ଏଣୁ ରାଜକୁମାରୀଙ୍କୁ ମୋ ସହ ଆମ ଘରକୁ ଯିବାକୁ ପଡ଼ିବ ।’’

 

ବାଧ୍ୟହୋଇ ରାଜାଙ୍କୁ ତାହା ମାନିବାକୁ ହେଲା । ରାଜକୁମାରୀକୁ ନେଇ ରାଜକୁମାର ଦେଶକୁ ଫେରିବା ସ୍ଥିରହେଲା । ଗଡ଼ରୁ ବିଦାୟ ନେବା ପୂର୍ବରୁ ରାଜକୁମାର (ଜୟଶ୍ରୀ) ଗଡ଼ ଦେଖିବାକୁ ବାହାରିଲା । ଗଡ଼ର ରୋଷେଇ ଘର ପାଖେ ପହଞ୍ଚି ଦେଖିଲା, ତା’ ସ୍ୱାମୀ ବିଜୟ ରାୟ ଗୋଟିଏ ଚୁଲି ଫୁଙ୍କୁଛନ୍ତି । ତାଙ୍କର ବାଳ ସବୁ ବଢ଼ି ଯାଇଥାଏ । କେଉଁ କାଳର ମଇଳା, ଚିକିଟା ଲୁଗା ସେ ପିନ୍ଧିଥାନ୍ତି । ମନ ଦୁଃଖ ମନରେ ମାରି ସେ କାମ କରୁଥାନ୍ତି । ସ୍ୱାମୀଙ୍କର ଏପରି ଅବସ୍ଥା ଦେଖି ଜୟଶ୍ରୀ ମନରେ ଦୁଃଖ ହେଲା । ଜୟଶ୍ରୀ ତାଙ୍କ ନିକଟକୁ ଯାଇ ସଫା ଲୁଗାପଟା ଦେଇ କହିଲା– ‘‘ହଇଓ ବାବୁ, ତୁମ ମଇଳା ଲୁଗାପଟା କାଢ଼ି ମୋତେ ଦିଅ ଓ ତୁମେ ଏଇ ଭଲ ଲୁଗାପଟା ପିନ୍ଧ । ତୁମେ ପରା ରାଜକୁମାରୀକୁ ଜିତିବାକୁ ଆସିଥିଲ ? ଏବେ ତାଙ୍କୁ ନେଇ ନିଜ ଦେଶକୁ ଫେରିଯାଅ । ଏବେ ତୁମକୁ ମୁକ୍ତି ଦିଆଗଲା । ମୁଁ ବି ତୁମରି ଭଳି ତାଙ୍କୁ ହରାଇବାକୁ ଆସିଥିଲି; ମାତ୍ର ତାଙ୍କୁ ବାହା ହେବାକୁ ମୋର ଇଚ୍ଛା ନାହିଁ ।’’

 

ଏଇ ରାଜକୁମାରଙ୍କୁ ବିଜୟ ରାୟ ଚିହ୍ନି ପାରିଲେନାହିଁ । ନିଜେ ଜିତିଲେ ବି ରାଜକୁମାରୀଙ୍କୁ ସେ ତାଙ୍କୁ ଦେଇଦେଉଛନ୍ତି । ରାଜକୁମାରୀଙ୍କୁ ସାଙ୍ଗରେ ଧରି ସେ ଖୁବ୍‌ ଆଡ଼ମ୍ବରରେ ନିଜ ଦେଶକୁ ବାହାରିଲେ ।

 

ଏଣେ ଜୟଶ୍ରୀ ଆସି ଗଡ଼ରେ ବନ୍ଦିହୋଇ ଖଟୁଥିବା ତିନି ଚାରିଶହ ରାଜାଙ୍କୁ ଛାଡ଼ିଦେଲା । ସେମାନଙ୍କ ନାଁରେ ଉଡ଼ୁଥିବା କଳା ପତାକାକୁ ଓହ୍ଳାଇ ପକାଇଲା । ତା’ ଆଦେଶରେ ଗଡ଼ରୁ କଳା ରଙ୍ଗକୁ ଉଡ଼ାଇ ଗେରୁଆ ରଙ୍ଗ କରାଗଲା । ଏହାପରେ ସେ ଗଡ଼ରୁ ବାହାରି ଆପଣାର ପୁରୁଷ ବେଶ ଛାଡ଼ି ପ୍ରକୃତ ଲୁଗାପଟା ପିନ୍ଧିଲା । ଅନ୍ୟ ଗୋଟିଏ ରାସ୍ତାରେ ନିଜ ଦେଶକୁ ଫେରିଲା ।

 

ବିଜୟ ରାୟ ପହଞ୍ଚିବା ପୂର୍ବରୁ ଜୟଶ୍ରୀ ଆସି ଘରେ ପହଞ୍ଚି ଯାଇଥାଏ । ତିନି ଦିନ ପରେ ଖୁବ୍‌ ଆଡ଼ମ୍ବରରେ ବିଜୟ ରାୟ ଦେଶକୁ ବାହୁଡ଼ିଲେ । ଜୟଗଡ଼ର ଗର୍ବୀ ରାଜକୁମାରୀଙ୍କୁ ସେ ହରାଇ ଫେରୁଥିବାରୁ ଲୋକଙ୍କ ଆନନ୍ଦ କହିଲେ ନ ସରେ । ରାଜଧାନୀରେ ଉତ୍ସବ ଚାଲିଲା । ରାଜାରାଣୀ ପୁଅକୁ ଆନନ୍ଦରେ କୁଣ୍ଢାଇ ପକାଇଲେ । ଏସବୁ ଦେଖି ଜୟଶ୍ରୀ ମନେ ମନେ ହସୁଥାଏ ।

 

ରାତି ପାହିଲା । ଲୋକେ ଯେଝା ଘରକୁ ଫେରିଗଲେ । ରାଜକୁମାର ଆପଣା ମହଲକୁ ଗଲେ । ଜୟଶ୍ରୀକୁ ଦେଖି କହିଲେ– ‘‘ଦେଖିଲ ତ ତୁମପାଇଁ ମୁଁ ରୂପବତୀକୁ କେବଳ ବୁଦ୍ଧିରେ ଜିତିନାହିଁ, ତାକୁ ସାଙ୍ଗରେ ବି ନେଇଆସିଛି । ଏଥର ତୁମକୁ ମୋ ଆଦେଶ ଜୀବନ ସାରା ମାନିବାକୁ ହେବ ।’’

 

ଜୟଶ୍ରୀ ଖୁବ୍‌ ନମ୍ରଭାବରେ କହିଲା– ‘‘ହଁ, ହଁ, ଆପଣ ପ୍ରକୃତରେ ଜିତିଛନ୍ତି । ମୁଁ ତୁମ ପାଖେ ହାରିଯାଇଛି । ମୋତେ ହିଁ ଆପଣଙ୍କ ଆଦେଶ ମାନିବାକୁ ହେବ । ଆଚ୍ଛାହେଉ, ଦୟାକରି ଏଇ ପୋଟଳିକୁ ଟିକିଏ ଖୋଲନ୍ତୁ !’’

 

ବିଜୟ ରାୟ ପୋଟଳିକୁ ଖୋଲିଲେ । ଦେଖିଲେ, ସେଥିରେ ରହିଛି, ସେ ଜୟଗଡ଼ରେ ପିନ୍ଧୁଥିବା ମଇଳା କୋଚଟ ଗୋଟିଏ ଲୁଗା ଓ କାମିଜ । ମୁହଁଟା ତାଙ୍କର ମଳିନ ହୋଇଗଲା । ଲାଜରେ ମୁଣ୍ଡ ତଳକୁ ହୋଇଗଲା । ପାଟିରୁ ତାଙ୍କର କଥା ବାହାରିଲାନାହିଁ । କିଛି ସମୟପରେ ସେ କହିଲେ– ତା’ହେଲେ, ରାଜକୁମାରୀକୁ ହରାଇଥିବା ରାଜକୁମାର କ’ଣ ତୁମେ ?

 

ଜୟଶ୍ରୀ ହାତଯୋଡ଼ି ହସି ହସି କହିଲେ– ‘‘ହଁ ଆଜ୍ଞା, ମୁଁ ଥିଲି ସେଇ ଛଦ୍ମବେଶୀ ରାଜକୁମାର ।’’

ବିଜୟ ରାୟ କହିଲେ– ‘‘ଜୟଶ୍ରୀ, ତୁମେ ପ୍ରକୃତରେ ବୁଦ୍ଧିମତୀ । ତୁମର ବୁଦ୍ଧି ସବୁଠାରୁ ଅଧିକ । ତୁମେ ଆମ ସମସ୍ତଙ୍କୁ ଜିତିଗଲ । ଏଥର ମୁଁ ତୁମ କଥା ମାନିବି ।’’

Image

 

ଭାଇ ଭଉଣୀ

 

ଜଣେ ରାଜାଥିଲେ । ତାଙ୍କର ଦୁଇଟି ପିଲା–ଝିଅଟିଏ, ପୁଅଟିଏ । ଭାଇ ଭଉଣୀ ଦୁହେଁ ପରସ୍ପରକୁ ଖୁବ୍‌ ଦେଖିପାରନ୍ତି । କେହି କାହାକୁ ଦଣ୍ଡେ ଛାଡ଼ି ରହିପାରନ୍ତି ନାହିଁ । ଦୁହିଁଙ୍କୁ ନଅ ଦଶବର୍ଷ ହୋଇଥାଏ, ସେମାନଙ୍କ ମାଆ ମରିଗଲେ । ଭାଇ ଭଉଣୀ ଦୁହେଁଯାକ ମାଆକୁ ଝୁରି ଝୁରି ବହୁତ କାନ୍ଦିଲେ । ଯେତେ କାନ୍ଦିଲେ ବା କ’ଣ ହେବ, ମାଆ ତ ଆଉ ଫେରିଆସିବ ନାହିଁ । ମାଆ ଛେଉଣ୍ଡ ପିଲା ଦୁଇଟିଙ୍କ କଥା ବୁଝିବା ଲାଗି ରାଜା କେତେ ଦିନପରେ ଆଉ ଜଣଙ୍କୁ ବିବାହ କଲେ ।

 

ନୂଆ ରାଣୀ ଖୁବ୍‌ ଆଡ଼ମ୍ବରରେ ନଅରକୁ ଆସିଲେ; ମାତ୍ର ନୂଆ ରାଣୀଙ୍କ ପ୍ରକୃତି ଖରାପ; ସଉତୁଣୀର ପିଲା ଦୁଇଟିଙ୍କୁ ଭଲ ଆଖିରେ ଦେଖିପାରିଲେ ନାହିଁ । ପିଲା ଦୁଇଟିଙ୍କୁ ଯତ୍ନ ନେବାକୁ ସେ ଆଦୌ ଚାହିଁଲେନାହିଁ । ସେମାନଙ୍କୁ ପେଟପୂରା ଖାଇବାକୁ ମଧ୍ୟ ଦେଲେନାହିଁ । ତାଙ୍କ ଯୋଗୁ ରଜାଝିଅ, ରଜାପୁଅକୁ ଭଲ ପୋଷାକ ମଧ୍ୟ ପିନ୍ଧିବାକୁ ମିଳେନାହିଁ । ସବୁବେଳେ ନୂଆରାଣୀ ପିଲା ଦୁଇଟାଙ୍କ ଉପରେ ଚିଡ଼ି ଚିଡ଼ି ହେଉଥାଏ, ବେଳେବେଳେ ବିନାକାରଣରେ ବି ମାରେ ।

 

ପିଲା ଦୁଇଟି କ୍ରମେ ବଡ଼ ହେଲେ । ଏଣେ ନୂଆ ରାଣୀଙ୍କର ଦୁଇଟି ପିଲା ବି ହୋଇଥାନ୍ତି । ରାଣୀ ଭାବିଲେ, ସଉତୁଣୀ ପିଲା ଦୁଇଟା ତ ବଡ଼ ହୋଇଗଲେଣି, ମୋର ସାନ ପିଲା ଦୁଇଟାଙ୍କ ସଙ୍ଗେ ସେମାନେ ନିଶ୍ଚେ କଳିକରିବେ । ଏଣୁ ସେମାନଙ୍କୁ ମୂଳରୁ କୌଶଳରେ ମାରିଦେବା ଭଲ । ରାଜା କିନ୍ତୁ ସଉତୁଣୀ ପିଲା ଦୁଇଟାଙ୍କୁ ଖୁବ୍‌ ଦେଖିପାରନ୍ତି । ରାଣୀ ଗୋଟାଏ କୌଶଳ ପାଞ୍ଚିଲେ ।

 

ଦିନେ ସେ ଦୁଇଟି ସୁନ୍ଦର ଲଡ଼ୁ ତିଆରି କରି ସେଥିରେ କିଛି ବିଷ ମିଶାଇଦେଲେ । ଦୁଇ ପିଲାଙ୍କୁ ଡାକି ଦୁହିଁଙ୍କି ଦୁଇଟି ଲଡ଼ୁ ଦେଇ କହିଲେ– ‘‘ଆରେ ପିଲେ, ଏଇ ଲଡ଼ୁ ଦୁଇଟି ନେଇ ଖେଳିବାକୁ ଯାଅ । ଭୋକହେଲେ ତାକୁ ଖାଇବ । ଆଜି ଏତକ ଛଡ଼ା ତୁମକୁ ଆଉ କିଛି ଖାଇବାକୁ ଦିଆଯିବ ନାହିଁ । ଏଣୁ ମନେ ରଖିଥାଅ, ଏଇ ଲଡ଼ୁ ତମେ ଆଉ କାହାକୁ ଖାଇବାକୁ ଦେବ ନାହିଁ । ଯଦି ମୋ କଥା ନ ମାନ, ତେବେ ତୁମ ପିଠିରୁ ଛାଲ ଉତ୍ତାରି ଦେବି ।’’

 

ପିଲା ଦୁହେଁ ଲଡ଼ୁ ନେଇ ଖେଳିବାକୁ ଚାଲିଗଲେ । ଦିନେ ନାହିଁ, କାଳେ ନାହିଁ, ଆଜି ମାଆ ଲଡ଼ୁ ଖାଇବାକୁ ଦେଇଥିବାରୁ ସେମାନେ ଖୁବ୍‌ ଖୁସି । ମାଆ କଥା ମାନି ଦୁହେଁ ବଗିଚାରେ ଖେଳିଲେ; ମାତ୍ର କିଛି ସମୟ ଖେଳିଲାପରେ ସେମାନଙ୍କୁ ଖୁବ୍‌ ଭୋକ ହେଲା । ଲଡ଼ୁଟି ଖାଇବା ଲାଗି ଦୁହିଁଙ୍କ ପାଟିରୁ ଲାଳ ବୋହିଲା । ଭାଇ ପ୍ରଥମେ ଲଡ଼ୁଟି ଖାଇଦେଲା; ମାତ୍ର ସେଇଟି ଖାଇ ତା’ର ଭୋକ ଆହୁରି ବଢ଼ିଚି । ସେ ଭଉଣୀକୁ କହିଲା– ହଇଲୋ ଅପା, ଗୋଟିଏ ଲଡ଼ୁ ଖାଇତ ମୋ ପେଟ ମୋଟେ ପୂରିଲାନାହିଁ । ମୋତେ ତୋ ଲଡ଼ୁଟି ଦେ ।

 

ଭଉଣୀ ଭାଇକୁ ତା’ ଲଡ଼ୁଟି ଦେବା ମାତ୍ରେ ଭାଇ ସେଇଟିକୁ ପାଟିରେ ପକାଇଦେଲା । ଲଡ଼ୁ ଦୁଇଟି ଖାଇବା ସଙ୍ଗେସଙ୍ଗେ ଭାଇର ପେଟ ଗୋଳେଇ ଘାଣ୍ଟି ହୋଇ ମୁଣ୍ଡ ବୁଲେଇ ହୋଇଗଲା ଓ ପେଟକୁ ଚାପିଧରି ସେ ତଳେ ପଡ଼ିଗଲା । ଦେଖୁ ଦେଖୁ ତା’ ଦେହ ନେଳି ପଡ଼ି ମୁହୂର୍ତ୍ତକ ମଧ୍ୟରେ ତା’ର ପ୍ରାଣବାୟୁ ଉଡ଼ିଗଲା ।

 

ଝିଅଟି ହଠାତ୍‌ କିଛି ବୁଝିପାରିଲା ନାହିଁ । ସେ କେବଳ ଜଳ ଜଳ ହୋଇ ଅନାଇଥାଏ । ଭାଇ ତଳେ ପଡ଼ିଯିବାରୁ ସେ କାନ୍ଦିବାକୁ ଲାଗିଲା । ତା’ କାନ୍ଦ ଶୁଣି ବଗିଚାର ମାଳି ଧାଇଁ ଆସିଲା । ରାଜକୁମାରର ଏପରି ଅବସ୍ଥା ଦେଖି ସେ ସଙ୍ଗେ ସଙ୍ଗେ ରାଣୀଙ୍କ ପାଖକୁ ଧାଇଁଗଲା । ରାଣୀ ଏକଥା ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହେଲେ । ଦୁଇଜଣଯାକ ନମରି କେବଳ ପୁଅଟି କିପରି ମଲା, ଏହାର ରହସ୍ୟ ସେ ବୁଝିପାରିଲେ ନାହିଁ । ଯାହାହେଉ, ଏବେ ବଗିଚାକୁ ଧାଇଁ ଯାଇ ପୁଅ ପାଇଁ କାନ୍ଦିବା ଓ ତାକୁ ସାପ କାମୁଡ଼ିଲା ବୋଲି ରାଜାଙ୍କୁ କହିବା କଥା ।

 

ରାଣୀ ସଙ୍ଗେ ସଙ୍ଗେ ବଗିଚାକୁ ଧାଇଁ ଯାଇ ମରି ପଡ଼ିଥିବା ପୁଅ ପାଖେ ବସି କାନ୍ଦିଲେ । ରାଜା ମଧ୍ୟ ଏହା ଶୁଣି ଧାଇଁ ଆସିଲେ । ବିକଳ ଭାବେ କାନ୍ଦି ରାଣୀ କହିଲେ– ‘‘ପିଲାଏ ବଗିଚାରେ ଖେଳିଲା ବେଳେ ନିଶ୍ଚୟ ଗୋଟାଏ ବିଷାକ୍ତ ସାପ ଆସି ପୁଅକୁ କାମୁଡ଼ିଛି । ତା’ ନୋହିଲେ ପୁଅ ଦେହଟା ଏପରି ନେଳି ପଡ଼ିଯାଇ ନ ଥାନ୍ତା ।’

 

ରାଜା ପୁଅର ଶବକୁ କୋଳରେ ଧରି ବହୁତ କାନ୍ଦିଲେ । ଭଉଣୀଟି ମଧ୍ୟ ତା’ ଭାଇ ଲାଗି ବହୁତ କାନ୍ଦିଲା । ରାଣୀଙ୍କ ବିକଳ ଦେଖି ରାଜାଙ୍କ ଧାରଣା ହେଲା, ରାଣୀ ସଉତୁଣୀର ପିଲାଙ୍କୁ ମଧ୍ୟ ଖୁବ୍‌ ସ୍ନେହ କରନ୍ତି । ସେ ରାଣୀଙ୍କୁ ବୁଝାଇ ଉଆସକୁ ନେଲେ । ରାଣୀଙ୍କୁ କହିଲେ– ‘‘ଯା’’ ହେବାର ତ ହେଲା । ତୁମେ ଏଣିକି ଝିଅଟି କଥା ଭଲକରି ବୁଝ । ବିଚରା ଭାଇକୁ ହରାଇ ସେ ଖୁବ୍‌ ଏକୁଟିଆ ବୋଧକରୁଥିବ ।’

 

ରାଣୀ କହିଲେ– ‘‘ମୋତେ ଏକଥା କହିବା କ’ଣ ଦରକାର ? ମୁଁ କ’ଣ ତାହା ଜାଣେନା ? ଝିଅ ଏଥର ମୋ ପାଖେ ଥାଉ ।’’ ଏହା କହି ସେ ଝିଅକୁ କାଖେଇ ଘର ଭିତରକୁ ନେଇଗଲେ ।

 

ସାବତ ମାଆ ରାଜକୁମାରୀକୁ କପଟରେ ଆଦର କଲେ ବି ସେ ତା’ ଭାଇକୁ ଝୁରୁଥାଏ । ବେଳେ ବେଳେ ଭାବେ, ମାଆର ସ୍ୱଭାବ ବଦଳିଛି, ସେ ଆଉ ତାକୁ ମାରଧର କରିବନାହିଁ, ଭଲ କରି ଗଣ୍ଡିଏ ଖାଇବାକୁ ଦେବ; ମାତ୍ର ପରଦିନ ରାଣୀ ରାଜାଙ୍କୁ ମନ ଭୁଲାଇବାକୁ ଯାଇ କପଟରେ କହିଲେ– ‘‘ମହାରାଜ ! ଆପଣ ବୋଧହୁଏ ଭାବୁଛନ୍ତି, ସଉତୁଣୀର ଝିଅ ବୋଲି ମୁଁ ତାକୁ କଷ୍ଟ ଦେଇପାରେ; ମାତ୍ର ମୁଁ ତାକୁ ଆପଣା ଝିଅଭଳି ପାଳିଛି ଓ ପାଳିବି । ମୋ ଉପରେ ତା’ର ସବୁ ଦାୟିତ୍ୱ ଛାଡ଼ିଦେଇ ଆପଣ ନିଶ୍ଚିନ୍ତ ରହନ୍ତୁ । ତା’ର କୌଣସି ଅସୁବିଧା ହେବନାହିଁ ।

 

ରାଜାଙ୍କର ଧାରଣା ହେଲା, ରାଣୀ ଠିକ୍‌ କହୁଛନ୍ତି । ତାଙ୍କ ପାଖେ ଝିଅଟି ରହିଲେ ସେ ଘରର ସବୁ କାମ ଦାମ ଶିଖିପାରିବ । ଝିଅକୁ ସେ ରାଣୀଙ୍କ ଜିମା ଛାଡ଼ିଦେଲେ । ସେଇଦିନୁ ଝିଅ ତା’ ସାବତ ମା’ ପାଖରେ ରହିଲା ।

 

ରାଣୀଙ୍କୁ ଏଥର ସୁଯୋଗ ମିଳିଗଲା । ରାଜାଙ୍କ ସଙ୍ଗେ ଝିଅର ଯେପରି ଦେଖାହୋଇ ନପାରିବ, ସେ ସେହିପରି ବ୍ୟବସ୍ଥା କଲେ । ଝିଅକୁ ଭଲରେ ରଖିବା ଦୂରେ ଥାଉ, ଓଲଟି ତାକୁ ବହୁତ କଷ୍ଟ ଦେଲେ । ନାନା କାମରେ ସେ ତାକୁ ଖଟାଉଥାନ୍ତି; ଚିରାଲୁଗା ପିନ୍ଧିବାକୁ ଦିଅନ୍ତି । ଦିନସାରା ତା’ ସଙ୍ଗେ କଟର କଟର ହେଉଥାନ୍ତି । ଟିକିଏ କଥାରେ ଦୂର୍‌ ଦୂର୍‌ ମାର୍‌ ମାର୍‌ କରନ୍ତି ।

 

ରାଜକୁମାରୀ ବିଚାରା କ’ଣ ବା କରିବ ? ମାଆର ସବୁ ଗାଳି ମାଡ଼ ବାଧ୍ୟହୋଇ ସହି ଯାଉଥାଏ । ଦୁଃଖକଲେ ବା ତା’ କଥା ଆଉ ଶୁଣିବାକୁ କିଏ ଅଛି ? ବାପାଙ୍କ ପାଖକୁ ସେ ଇଚ୍ଛାକଲେ ବି ଯାଇପାରେନାହିଁ । ମା’ ତାକୁ ପାଖେ ପାଖେ ଅଟକାଇ ରଖିଥାନ୍ତି । ସେ ଯେପରି ବାହାରକୁ ଯାଇ ନପାରିବ, ସେଥିପାଇଁ ଚାକରାଣୀମାନଙ୍କୁ ଜଗାଇ ଦେଇଥାନ୍ତି ।

 

ରାଜକୁମାରୀ ଦିନ ସାରା କଠିନ କାମ କରେ । ଉପାସ ଭୋକରେ ବି ରାଣୀଙ୍କ ଗୋଡ଼ ମୋଡ଼ି ବସେ । ରାଣୀମା ଶୋଇଲେ ଯାଇ ଶୁଏ । ଏକୁଟିଆ ବେଳେ ଭାଇ କଥା ମନେ ପଡ଼ିଲେ ଆଖିରୁ ତା’ର ଧାର ଧାର ଲୁହ ବୋହିଯାଏ ।

 

ଦିନେ ରାତିରେ ରାଜକୁମାରୀ ତା’ ଭାଇକୁ ବହୁତ ମନେ ପକାଇଲା । ତା’ କଥା ଭାବି କାନ୍ଦୁ କାନ୍ଦୁ ତାକୁ ନିଦ ହୋଇଗଲା । ସେ ସପନ ଦେଖିଲା,–ଭାଇ ତା’ ପାଖରେ ଛିଡ଼ା ହୋଇ କହୁଛି– ‘‘ଆଲୋ ଅପା, ମୁଁ ଆଉ ତୋ ଦୁଃଖ ଦେଖି ସହିପାରୁନି । ଠାକୁର ତତେ କେତେ ଦୁଃଖ ନଦେଲେ ! ତୁ ଭୋକିଲା ରହୁଛୁ । ଏହା ଦେଖି ମୋତେ ଭାରି କଷ୍ଟ ହେଉଛି । ଯା ହେଉ, ମୁଁ ତୋ ପାଇଁ ଖାଇବାକୁ ଯୋଗାଡ଼ କରିବି । ଉଆସ ପାଖ ବଗିଚାରେ ଗୋଟିଏ ପୋଖରୀ ଅଛି । ସେହି ପୋଖରୀରେ ବହୁତ ମାଛ । ମୁଁ ଏବେ ସେଠି ସୁନାର ମାଛଟିଏ ହୋଇ ରହୁଛି । ମାଳି ସବୁଦିନ ମାଛଙ୍କୁ ଭାତ ଖାଇବାକୁ ଦିଏ । ମୁଁ ତୋ ପାଇଁ ସେଠାରେ କାଲିଠାରୁ ଭାତ ଯୋଗାଡ଼ କରି ରଖିଥିବି । ତୁ ରାତିରେ ଏକୁଟିଆ ସେଠାକୁ ଯାଇ ଭାତ ନେଇ ଆସି ଖାଇବୁ ।’’

 

ରାଜକୁମାରୀ ଭାଇକୁ ସ୍ୱପ୍ନରେ ଦେଖି ଭାରି ଖୁସି ହେଲା । ତା’ପର ଦିନ ରାତିରେ ସେ ପୋଖରୀ କୂଳକୁ ଗଲା । ସତକୁ ସତ ତା’ର ଭାଇ ଗୋଟିଏ ସୁନାର ମାଛ ହୋଇ ସେଠାରେ ଥାଏ । ସେ ଭଉଣୀକୁ ଚିହ୍ନିଲା । ରାଜକୁମାରୀକୁ ଦେଖି ସୁନାର ମାଛଟି ଆସି କୂଳରେ ବହୁତ ଭାତ ରଖିଦେଲା । ରାଜକୁମାରୀ ଭାତକୁ ନେଇ ଚାଲି ଆସିଲା ।

 

ସେଦିନ ରାଜକୁମାରୀକୁ ପେଟ ପୂରା ଖାଇବାକୁ ମିଳିଲା । ସେଇ ଦିନଠାରୁ ସବୁଦିନ ସେ ପୋଖରୀ କୂଳକୁ ଯାଇ ଭାତନେଇ ଆସେ । ଏକୁଟିଆ ଖାଏ । ଧୀରେ ଧୀରେ ତା’ର ସ୍ୱାସ୍ଥ୍ୟ ବଦଳିଗଲା । ବହୁଦିନ ପେଟପୂରା ଖାଇବାକୁ ନ ପାଇ ସେ ଦୁର୍ବଳ ହୋଇ ଯାଇଥିଲା । ତା’ଦେହରେ ପୁଣି ମାଂସ ଲାଗିଲା । ସେ କ୍ରମେ ସୁନ୍ଦର ଦିଶିଲା ।

 

ରାଣୀ ତାକୁ ଦେଖି ଆଶ୍ଚର୍ଯ୍ୟ ହେଲେ । ଝିଅଟା ଅଧା ଉପାସ ରହିଲେ ବି ଦୁର୍ବଳ ହେଉନାହିଁ କାହିଁକି ? ସେ ଲୁଚି ଲୁଚି ରାଜକୁମାରୀର ଗତିବିଧି ଲକ୍ଷ୍ୟକଲେ । ଦିନେ ଦେଖିଲେ, ପୋଖରୀ କୂଳରେ ଗୋଟିଏ ସୁନାର ମାଛ ରାଜକୁମାରୀକୁ ଖାଇବାକୁ ଭାତ ଦେଉଛି ।

 

ରାଣୀ ଏ କଥା ଯାଇ ରାଜାଙ୍କୁ କହିଲେ । ରାଜା କହିଲେ– ‘‘ଏଥିରେ ଭାବିବାର କ’ଣ ଅଛି ? ସେ ଖାଉ ।’’

 

ରାଣୀ କହିଲେ– ‘‘ମହାରାଜ ! ରାଜାର ଝିଅ ହୋଇ ସେ ଯାଇ ଲୁଚିକରି ମାଛଠାରୁ ଦାନା ଖାଇବ ? ଏଇଟା କ’ଣ ସୁନ୍ଦର କଥା ? ରାଜାଙ୍କୁ ମଧ୍ୟ ଏକଥା ଭଲ ମନେ ହେଲାନାହିଁ । ସେ ରାଗିଯାଇ କହିଲେ– ‘‘କ’ଣ ଉଆସରେ କ୍ଷୀରୀ ପୁରି ଖାଇ ତା’ର ପେଟ ପୂରୁନାହିଁ ? ତାକୁ ଏଠାକୁ ଡାକ ।’’

 

ରାଣୀ ତ ଝିଅକୁ ରାଜାଙ୍କ ସହିତ ଦେଖାକରିବାକୁ ଚାହୁଁ ନଥିଲେ । ସେ କହିଲେ– ‘‘ମହାରାଜ ! ଆପଣ ବୋଧହୁଏ ଝିଅକୁ କଠିନ ଦଣ୍ଡଦେବାକୁ ଚାହାନ୍ତି; ମାତ୍ର ପିଲାଟାକୁ ମାରିବା ଦରକାର ନାହିଁ । ଆପଣ ପୋଖରୀ କୂଳରେ ପ୍ରହରୀ ଜଗାଇ ଦିଅନ୍ତୁ । କାଲି ମାଛଗୁଡ଼ାକ ମାରିଦିଅନ୍ତୁ । ତା’ହେଲେ ସବୁ ଅଡ଼ୁଆ ତୁଟିଯିବ ।’’

 

ରାଜା ସଙ୍ଗେ ସଙ୍ଗେ ସେଇଆ କରିବାକୁ ଆଦେଶ ଦେଲେ । ପୋଖରୀ କୂଳରେ ପ୍ରହରା ଦେବାକୁ ଜଗୁଆଳୀ ରହିଲେ । ରାଣୀ ମାଛ ଗୁଡ଼ାକୁ ମରାଇଦେଲେ । ସେହି ସୁନା ମାଛଟିକୁ ଯାଇ ନିଜେ ଧରି ଆଣିଲେ । ତାକୁ ଚୁଲିରେ ପକାଇ ସେଇଟି ଭଲ ଭାବରେ ପୋଡ଼ି ଯିବାରୁ ତାକୁ ଚକଟି ଖାଇଦେଲେ ।

 

ରାଜକୁମାରୀ ଉପରେ ରାଣୀଙ୍କ ଅତ୍ୟାଚାର ପୁଣି ଆରମ୍ଭ ହୋଇଗଲା । କ୍ରମେ ତା’ର ଅବସ୍ଥା ପୂର୍ବଭଳି ଖରାପ ହେଲା । ରାଣୀ ତା’ ସଙ୍ଗରେ ଦିନ ସାରା ଝଗଡ଼ା କରନ୍ତି । ତାକୁ ମନଇଚ୍ଛା ମାରନ୍ତି । ଖାଇବାକୁ ଖୁବ୍‌ କମ୍‌ ଦିଅନ୍ତି । ଆପଣାର ଛିଣ୍ଡା ପୁରୁଣା ଲୁଗା ପିନ୍ଧିବାକୁ ଦିଅନ୍ତି ।

 

ରାଜକୁମାରୀ ଆଉ କ’ଣ ବା କରିବ ? ନୀରବରେ ସବୁ ସହି ପଡ଼ିଥାଏ । ଭାଗ୍ୟକୁ ନିନ୍ଦେ । ଦିନେ ରାତିରେ ଭାଇ କଥା ପୁଣି ତା’ର ମନେ ପଡ଼ିଲା । ସେ ଏକୁଟିଆ କେତେ କାନ୍ଦିଲା । ସେଦିନ ସେ ରାତିରେ ସ୍ୱପ୍ନ ଦେଖିଲା । ଭାଇ କହୁଛି– ‘‘ଅପା’, ତୋ ଦୁଃଖ ଦେଖି ମୁଁ ଆଉ ରହିପାରୁନି । ଏହି ରାଣୀ ତୋତେ ଶୁଖାଇ ଶୁଖାଇ ମାରିବାକୁ ଚାହେଁ । ମୁଁ ଏବେ ମୟୂର ରୂପରେ ମନ୍ଦିରରେ ରହୁଛି । ସେଠାରେ ମୋ ପାଇଁ ଯାହା ଖାଇବାକୁ ମିଳିବ, ସେଥିରୁ ତୋ ପାଇଁ କିଛି ବଳେଇକରି ରଖିବି । ତୁ ସବୁଦିନେ ସେଠାକୁ ଯାଇ ଖାଇବୁ ।’’

 

ତା’ ପରଦିନ କେଉଁଆଡ଼ୁ ଗୋଟିଏ ମୟୂର ଆସି ଗଣେଶ ମନ୍ଦିରରେ ରହିଲା । ମୟୂର ରାଜକୁମାରୀକୁ ଖାଇବାକୁ ଭାତ ଦେଲା । ସେହି ଦିନୁ ରାଜକୁମାରୀ ସବୁଦିନ ମନ୍ଦିରକୁ ଯାଏ । ମୟୂର ଯୋଗୁ ତାକୁ ପେଟପୂରା ଖାଇବାକୁ ମିଳେ । ତା’ର ଆଉ ଦୁଃଖ ରହିଲାନାହିଁ । କ୍ରମେ ତା’ର ସ୍ୱାସ୍ଥ୍ୟ ଭଲହେଲା । ସେ ସୁନ୍ଦର ଦିଶିଲା ।

 

ଝିଅଟା ପୁଣି କେଉଁଠି ମୋ ଅଜାଣତରେ ନିଶ୍ଚୟ ଖାଉଛି । ରାଣୀ ରାଜକୁମାରୀ ଉପରେ ପୁଣି ନଜର ରଖିଲେ । କିଛି ଦିନ ପରେ ସେ ତା’ର ମନ୍ଦିରରେ ଖାଇବା ବିଷୟ ଜାଣିପାରିଲେ । ସଙ୍ଗେ ସଙ୍ଗେ ଦାସୀକୁ ପଠାଇ ସେ ମୟୂରକୁ ଉଆସକୁ ନେଇଆସିଲେ । ନିଜ ହାତରେ ସେ ମୟୂରକୁ ମାରିଦେଲେ । ତା’ର ମାଂସକୁ ତରକାରୀ କରି ଖାଇଲେ ।

 

ରାଣୀ ଏଥର ରାଜକୁମାରୀକୁ ଆଉ ବାହାରକୁ ଛାଡ଼ିଲେନାହିଁ । ତାକୁ ଉଆସ ଭିତରେ ରଖିଥାନ୍ତି । ପୂର୍ବ ଅପେକ୍ଷା କମ୍‌ ଖାଇବାକୁ ଦିଅନ୍ତି । ଫଳରେ ଭୋକ ଉପାସରେ ସେ ପୁଣି ଶୁଖିଗଲା ।

 

କିଛି ଦିନ ପରେ ରାଜକୁମାରୀର ଭାଇ ତା’ ପାଖକୁ ସପନରେ ଆସିଲା । କହିଲା– ‘‘ଅପା ! ତୋ ଦେହ ଶୁଖି ଶୁଖି କ’ଣ ହେଲାଣି ! ତା’ ଦେଖି ମୁଁ ଆଉ ସହିପାରୁନାହିଁ । ରାଣୀ ମା’ ତୋତେ ପେଟ ପୂରାଇ ଖାଇବାକୁ ଦେଉନାହିଁ । ତା’ ପରେ ଖଟେଇ ଖଟେଇ ମାରୁଛି । ତା’ ଅତ୍ୟାଚାରରୁ ରକ୍ଷାକରିବା ପାଇଁ ମୁଁ ଏବେ ତା’ ପେଟରେ ପୁଅଟିଏ ହୋଇ ଜନ୍ମ ହେବି । କାନ୍ଦି କାନ୍ଦି ସମସ୍ତଙ୍କୁ ଅଥୟ କରିବି । ରାଣୀ କୋଳରେ ତ ମୁଁ ମୋଟେ ଚୁପ୍‌ ରହିବିନି । କେବଳ ତୁ ମୋତେ କୋଳରେ ଧରିଲେ ମୁଁ ଚୁପ୍‌ ହେବି । ଜାଣିଥା ତୋତେ ଛାଡ଼ି ମୁଁ ଆଉ କାହାରି ପାଖରେ ରହିପାରିବିନି । ଦେଖିବୁ, ବଡ଼ ହେଲେ ମୁଁ ରାଣୀର ଗର୍ବ ଭାଙ୍ଗି ଦେବି ।’’

 

ଏମିତିକା ସପନ ଦେଖି ରାଜକୁମାରୀର ମନ ଖୁସି ହୋଇଗଲା । ତା’ର ଆଶା, ଦିନେ ନା ଦିନେ ତା’ ଦୁଃଖ ଦୂର ହେବ । ତାକୁ ଭାଇ ଆସି ରକ୍ଷାକରିବ । ସେହି ଆଶାରଖି ସେ ସବୁ କଷ୍ଟ ଭୁଲିଯାଏ ।

 

କିଛିଦିନ ପରେ ରାଣୀ ଗର୍ଭବତୀ ହେଲେ । ତାଙ୍କର ପୁଅଟିଏ ହେବାର ଶୁଣି ରାଜ୍ୟ ସାରା ଆନନ୍ଦ ଖେଳିଗଲା ।

 

ଦଶ ମାସରେ ରାଣୀଙ୍କର ପୁଅଟିଏ ଜନ୍ମ ହେଲା । ରାଜାଙ୍କ ଆନନ୍ଦର ସୀମା ରହିଲାନାହିଁ । ପୁଅକୁ କୋଳରେ ଧରି ରାଜା ଆନନ୍ଦରେ ନାଚିଲେ । ରାଜ୍ୟ ସାରା ଆନନ୍ଦ ଖେଳିଗଲା । ସମସ୍ତେ ଘିଅ ଦୀପ ଜାଳିଲେ । ମିଠାଇ ବଣ୍ଟା ହେଲା । ନାଚଗୀତ ହେଲା । ରାଜକୁମାରୀ ଯେ ସବୁଠାରୁ ଖୁସି ଏହା କେହି ଜାଣି ନଥାନ୍ତି । ସେ ଜାଣେ, ତା’ର ଭାଇ ଜନ୍ମ ନେଇଛି । ସେ ବଡ଼ ହେଲେ ତାକୁ ରାଣୀମା’ର ଅତ୍ୟାଚାରରୁ ରକ୍ଷାକରିବ । ସେ ବଡ଼ ହେବାଯାଏ ତାକୁ ସବୁ କଷ୍ଟ ସହିବାକୁ ପଡ଼ିବ ।

 

ଏଣେ ରାଜା ରାଣୀ ମହା ଅସୁବିଧାରେ ପଡ଼ିଥାନ୍ତି । ପୁଅଟି ଜନ୍ମହେଲା; ମାତ୍ର ସବୁବେଳେ ଖାଲି କାନ୍ଦୁଛି । ତାକୁ ତୁନି କରିବାକୁ ଯେତେ ଯାହା କରାଯାଇଛି, କେଉଁଥିରେ ତୁନି ହେଉନି । ରାଣୀ ତାକୁ କୋଳରେ ଧରିଥାନ୍ତି । ରାଜା ମଧ୍ୟ କୋଳକୁ ନିଅନ୍ତି । ପିଲାଟି ଚିତ୍କାର କରି କାନ୍ଦୁଥାଏ । ରାଜା ବଇଦ, ଜ୍ୟୋତିଷଙ୍କୁ ଡକାଇଲେ । କେତେ ଝଡ଼ାଫୁଙ୍କା ହେଲା; ମାତ୍ର କାହିଁରେ ପୁଅର କାନ୍ଦ ବନ୍ଦ ହେଲାନି ।

 

ଶେଷରେ ରାଜକୁମାରୀ ଆସି ରାଜାଙ୍କୁ କହିଲା– ବାପା, ମୋତେ ଟିକିଏ କୁନି ପୁଅକୁ ଧରିବାକୁ ଦିଅ । ଦେଖ, ମୋ ପାଖକୁ ଆସିଲେ ସେ ଚୁପ୍‌ ହେଉଛି କି ନାହିଁ ।’’

 

ରାଣୀ ତା’ କଥା ଶୁଣି କହିଲେ– ‘‘ଦୂର୍‌ ପଳା । ଖବରଦାର, ତୁ ମୋ ପିଲାକୁ ଛୁଉଁନା । ବଡ଼ ବଡ଼ ଗଲେ ଫସର ଫାଟି, ଏ କହୁଛି ପୁଅକୁ ଖେଳେଇବ ?’’

 

ରାଜା ପାଖରେ ଛିଡ଼ାହୋଇଥିଲେ । ସେ ରାଣୀଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ପଚାରିଲେ– ‘‘ଏଥିରେ ଆପତ୍ତି କରିବାର କ’ଣ ଅଛି ? ତୁମେ କାହିଁକି ଝିଅଟା ଉପରେ ଏପରି ରାଗୁଛ ? ତାକୁ ପୁଅକୁ ଦେଇ ଦେଖ, ସେ ତୁନି ହେଉଛି କି ନାହିଁ ।’’ ଝିଅ ମୁଣ୍ଡରେ ହାତ ବୁଲେଇ କହିଲେ– ‘‘ନେ ଝିଅ, ପୁଅକୁ ନେ । ଡରନା, ମୁଁ କହୁଛି କୋଳକୁ ନେ ।’’

 

ରାଜକୁମାରୀ ଭୟରେ ସାବତ ମା’ ଆଡ଼କୁ ଚାହିଁ ପୁଅକୁ କୋଳରେ ଧରିଲା, ଗେଲ କଲା । ସଙ୍ଗେ ସଙ୍ଗେ ପୁଅର କାନ୍ଦିବା ବନ୍ଦ ହୋଇଗଲା । ରାଜକୁମାରୀ ଗୀତଟିଏ ବୋଲି ତାକୁ ଥାପୁଡ଼େଇଲା–

 

‘ପୋଖରୀ ମାଛଟି ଥିଲା ସୁନାର

ଗଣେଶ ମନ୍ଦିରେ ନାଚେ ମୟୂର

ଶୁଣରେ ଭାଇ !

ମାଛ, ମୟୂରକୁ ରାଣୀ ଖାଇଗଲେ

ମରିଗଲେ ଦୁଇ ଭାଇ ।’

 

ରାଜକୁମାରୀ ଗୀତ ଗାଇବା ବନ୍ଦକଲା । ରାଜକୁମାର ଆଉ ନ କାନ୍ଦି ହସିବାକୁ ଲାଗିଲା; ଭଉଣୀ ସହିତ ଖେଳିଲା । ରାଜକୁମାର ହସିବା ଦେଖି ରାଜା ଖୁବ୍‌ ଖୁସିହେଲେ । ଉଆସସାରା ଆନନ୍ଦର ଲହରୀ ଖେଳିଗଲା ।

 

ରାଜା ଝିଅକୁ ପଚାରିଲେ– ‘‘ତୋ ଗୀତ ଶୁଣି ପୁଅ କାହିଁକି ତୁନି ହେଲା ? ଏତେବେଳଯାକେ ତ ସେ ଖାଲି କାନ୍ଦୁଥିଲା । ତୋ ଗୀତର ଅର୍ଥ କ’ଣ ମୁଁ ବୁଝିପାରୁନି ।’’

 

ରାଜକୁମାରୀ କହିଲା, ‘‘ବାପା–ଗୀତର ଅର୍ଥ ବୁଝିବାରେ ଅସୁବିଧା କିଛି ନାହିଁ । ରାଜାଙ୍କୁ ସେ ସବୁକଥା କହିଲା । ରାଣୀ, କିପରି ଭାଇ ଭଉଣୀଙ୍କୁ କଷ୍ଟ ଦେଇଥିଲେ । ରାଣୀ ଦୁଇ ଜଣଙ୍କୁ ମାରିବାକୁ କିପରି ବିଷଲଡ଼ୁ ଦେଇଥିଲେ, କିପରି ରାଜକୁମାର ମରିଗଲା ଓ ସେ ବଞ୍ଚିଗଲା, କିପରି ରାଣୀ ସୁନା ମାଛ ଓ ମୟୂରକୁ ମାରି ଖାଇଲା, ଇତ୍ୟାଦି ସବୁକଥା ସେ ବାପାଙ୍କୁ କହିଲା । ଶେଷରେ କହିଲା– ‘‘ବାପା ! ଏଇ ମୋର ସେଇ ସାନଭାଇ । ମୋତେ ସପନେଇ କହିଛି । ମୋତେ ରକ୍ଷାକରିବାକୁ ନୂଆ ରାଣୀମା’ଙ୍କ ପେଟରୁ ଜନ୍ମ ନେଇଛି । ଝିଅଠାରୁ ଦୁଃଖର କାହାଣୀ ଶୁଣି ରାଜାଙ୍କ ଆଖିରୁ ଲୁହ ଝରିବାକୁ ଲାଗିଲା । ସେ ଝିଅକୁ କୋଳ କରି ନେଲେ । ରାଜକୁମାରୀ କାନ୍ଦୁଥାଏ । ରାଜା ତା’ ମୁଣ୍ଡରେ ହାତ ବୁଲାଇ କହିଲେ– ‘‘ଝିଅ କାନ୍ଦନା, ଆଉ ଏଣିକି ତୋର ଅସୁବିଧା ହେବନି । ମୁଁ ତୋତେ ଆଉ ରାଣୀ ପାଖରେ ରହିବାକୁ ଦେବିନାହିଁ ।’’

 

ରାଜା ଦୁଷ୍ଟ ରାଣୀ ଉପରେ ରାଗି ରକତ ଚାଉଳ ଚୋବାଉଥାନ୍ତି । ସବୁ ଦୋଷ ପଦାରେ ପଡ଼ିଯିବାରୁ ରାଣୀ ଡରରେ କମ୍ପୁଥାଏ । ସେ ରାଜାଙ୍କ ପାଦତଳେ ପଡ଼ିଗଲେ । ରାଜା ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କୁ ଡାକି ଆଦେଶ ଦେଲେ– ‘‘ଏ ଦୁଷ୍ଟ ସ୍ତ୍ରୀକୁ ମୋ ଉଆସରୁ ବାହାର କରିଦିଅ । ତାକୁ ନେଇ ବନସ୍ତରେ ଛାଡ଼ିଲେ ମୁଁ ଶାନ୍ତିରେ ରହିବି ।’’

 

ମନ୍ତ୍ରୀ ସଙ୍ଗେ ସଙ୍ଗେ ରାଣୀଙ୍କୁ ଉଆସରୁ ନେଇ ଜଙ୍ଗଲରେ ଛାଡ଼ିଦେଲେ । ସେଇ ଜଙ୍ଗଲରେ ସିଂହଟିଏ ରହୁଥିଲା, ସେ ରାଣୀଙ୍କୁ ମାରି ଖାଇଦେଲା ।

 

ରାଜକୁମାରୀ ଆନନ୍ଦରେ ରହିଲା । ଦାସୀ ପରିବାରୀ ତାକୁ ଖଟିଲେ । ସାନ ଭାଇଟି ସହିତ ଖେଳି ବୁଲି ସେ କାଳ କାଟିଲା ।

 

(ମହାରାଷ୍ଟ୍ର)

Image

 

ସ୍ତ୍ରୀର ଚତୁରତା

 

ଗୋଟିଏ ଚାଷୀ ପରିବାରରେ ସ୍ୱାମୀ ସ୍ତ୍ରୀ ପିଲାମାନଙ୍କୁ ନେଇ ଭଲରେ ଥାଆନ୍ତି । ଦିହିଁକି ଦିହେଁ କାମିକା । ଚାଷ ବାସ କରି ଚଳନ୍ତି । ସ୍ୱାମୀଠାରୁ ସ୍ତ୍ରୀ ଅଧିକ ହୁସିଆର । ସବୁଦିନ ସକାଳୁ କୁଆ କା କଲା ବେଳକୁ ଚଷାପୁଅ ତା’ର ବଳଦ ଓ ହଳ ଲଙ୍ଗଳ ଧରି ବିଲକୁ ଯାଏ । ସ୍ତ୍ରୀ ଘର କାମ କରେ ।

 

ସେଦିନ ସବୁଦିନ ଭଳି ଚଷାପୁଅ ବିଲକୁ ବାହାରିଲା । ବାଟରେ ଗୋଟିଏ ବଣ ପଡ଼େ । ହଠାତ୍‌ ସେଦିନ ସେହି ବଣ ଭିତରୁ ବାଘଟିଏ ବାହାରିପଡ଼ି କହିଲା– ‘‘କିରେ ଚଷାପୁଅ ! ଭଲ ଚାହୁଁ ତ ତୋ ବଳଦ ହଳକ ମୋତେ ଦେଇଦେ । ନୋହିଲେ ତୋର ରକ୍ଷାନାହିଁ ।’’

 

ବାଘର ତୋଡ଼ ମାଡ଼ ଦେଖି ଚଷାପୁଅର ହାଲୁକ ଶୁଖିଗଲା । ସେ କହିଲା– ‘‘ଭାଇ ! ମୁଁ ତ ତୋର କିଛି ଅନିଷ୍ଟ କରିନି । ମୋ ଉପରେ କାହିଁକି ଅତ୍ୟାଚାର କରିବାକୁ ଯାଉଛୁ ? ତୋର କ’ଣ ଟିକିଏ ଭଗବାନଙ୍କୁ ଭୟ ନାହିଁ ? ଭଗବାନ କ’ଣ ତୋତେ ଏଇଆ କରିବାକୁ କହିଛନ୍ତି ?

 

ବାଘ କହିଲା– ‘‘ହଁ ଠିକ୍‌ କଥା, ଭଗବାନ୍‌ ତ ମୋତେ ପଠାଇଛନ୍ତି ତୋ ବଳଦ ଦୁଇଟିକୁ ଖାଇବାକୁ ! ହଉ ଏବେ ଡେରି କରୁଛୁ କାହିଁକି ?’’

 

ଟିକିଏ ଭାବି ଚଷା କହିଲା– ‘‘ମୋତେ ତ ପୁଣି ଭଗବାନ ବିଲରେ ହଳ କରିବାକୁ ପଠାଇଛନ୍ତି । ସେଥିପାଇଁ ମୋର ବଳଦ ଦରକାର । ତୋତେ ବଳଦ ଦୁଇଟି ଦେଲେ ମୁଁ ହଳ କରିବି କିପରି ? ହଉ ତୁ ଯଦି ଚାହୁଁ ତେବେ ବଳଦ ଦୁଇଟା ବଦଳରେ ମୁଁ ପାଳିଥିବା ମଇଁଷିଟିକୁ ତୋତେ ଘରୁ ଆଣି ଦେବି ।’’

 

ବାଘ ଏଥିରେ ରାଜିହୋଇ କହିଲା– ‘‘ହଉ ତୁ ଯା, ଶୀଘ୍ର ଯେପରି ଘରୁ ଫେରିଆସିବୁ । ମୁଁ ଏଇଠି ତୋ ଅପେକ୍ଷାରେ ରହିଲି ।’’

 

ଚଷା ଘରକୁ ଫେରି ସ୍ତ୍ରୀକୁ ସବୁକଥା କହିଲା । ଶେଷରେ କହିଲା– ଏଥର ଶୀଘ୍ର ମଇଁଷିଟିକୁ ଖୁଣ୍ଟରୁ ଖୋଲିଦେ ! ମୁଁ ଶୀଘ୍ର ନେଇକରି ଯିବି ।

 

ତା’ ସ୍ତ୍ରୀ ଏହା ଶୁଣି ଚିଡ଼ିଯାଇ କହିଲା– ଓଃ, ଭାରି ନେଲାବାଲା, ତୁମକୁ ମଇଁଷି ଦେଇଦେବି ତ ପିଲାଏ ଦୁଧ ଦହି ମୁନ୍ଦାକ କେଉଁଠୁ ପାଇବେ ? ଘିଅ ଟୋପାଏ ବା ନ ହେଲେ ମୁଁ ରୋଷେଇ କରିବି କିପରି ?

 

ଚଷା କହିଲା– ‘‘ସେ କଥା ଠିକ୍‌; ମାତ୍ର ବିନା ବଳଦରେ ଚାଷ କି ହଳ କାମ ତ ହୋଇପାରିବ ନାହିଁ । ସେତେବେଳେ କ’ଣ ଖାଲି ଘିଅ, ଦୁଧ ଚାଟିବ ?’’

 

ସ୍ତ୍ରୀ କହିଲା– ‘‘ଏଥିପାଇଁ ତୁମେ ବଳଦକୁ ବଞ୍ଚାଇବ ବୋଲି ମୋ ମଇଁଷିଟିକୁ ଦେବାକୁ ବାହାରି ପଡ଼ିଲ । ତୁମର ଟିକିଏ ଅକଲ ଥାଆନ୍ତା ତ ବାଘଟିକୁ ସେଇଠି ଅକଲ ଶିଖେଇ ଦେଇ ଆସି ପାରିଥାଆନ୍ତ । ବାଘଟାକୁ ଧପାଇ ଦେବାକୁ କ’ଣ ତୁମକୁ ବୁଦ୍ଧି ଦିଶିଲାନି ।

 

ଚଷା ଚିଡ଼ିଯାଇ କହିଲା– ‘‘ତୁ କ’ଣ ଉପାୟ କରୁଛୁ କର !

 

ସ୍ତ୍ରୀ କହିଲା– ‘‘ଆଚ୍ଛା ଠିକ୍‌ ଅଛି । ମୁଁ କ’ଣ ଜାଣିନି, ତୁମ ବୁଦ୍ଧି କେତେ ? କେତେ ବୁଦ୍ଧି ଖଟାଇ କାମ କରିଛ । ନା ଆଜି କରିବ ? ହଉ ମୁଁ ଆଜି ଏହାର ବ୍ୟବସ୍ଥା କରୁଛି । ହଉ ମୁଁ ଏବେ ଯାହା କହୁଛି ସେଇଆ କର ।’’

 

ଚଷା କହିଲା– ‘‘କ’ଣ କରାଯିବ ଶୀଘ୍ର କହ ।’’

 

ସ୍ତ୍ରୀ କହିଲା– ‘‘ତୁମେ ବଳଦକୁ ଏଇଠି ଛାଡ଼ିଦେଇ ଯାଅ । ବାଘକୁ କହିବ– ମୋ ସ୍ତ୍ରୀ ମଇଁଷି ନେଇ ଆସୁଛି ।’’

 

ଚଷା ସେଇଆ କଲା । ଖାଲି ହାତରେ ଫେରିବାରୁ ବାଘ ତା’ ଉପରେ ରାଗିଗଲା ।

 

ଚଷା କହିଲା– ‘‘ବାଘ ଭାଇ ! ମୋ ଉପରେ କାହିଁକି ଖପା ହେଉଛ ? ଟିକିଏ ଅପେକ୍ଷା କର । ମଇଁଷିଟା କ’ଣ ଖୁଣ୍ଟରୁ ଫିଟେଇବା ଏତେ ସହଜ ହୋଇଛି ।’’

 

ମୋ ସ୍ତ୍ରୀ ଛଡ଼ା ସେ ଆଉ କାହାରିକୁ ପାଖ ପୂରାଇ ଦିଏନା । ମୋ ପଛେ ପଛେ ସ୍ତ୍ରୀ ମଇଁଷିକୁ ନେଇ ଆସୁଛି ।

 

ଏଣେ ସ୍ତ୍ରୀ ସ୍ୱାମୀକୁ ବିଦା କରିଦେଇ ପୁରୁଷ ବେଶ ହେଲା । ମୁଣ୍ଡରେ ଗୋଟାଏ ବଡ଼ ଠେକା ବାନ୍ଧିଲା । କାନ୍ଧରେ ବନ୍ଧୁକ ପକାଇଲା । ତା’ପରେ ଘୋଡ଼ା ଉପରେ ବସି ଆଉ ଗୋଟିଏ ବାଟରେ ଯାଇ ସେହି ବଣପାଖେ ପହଞ୍ଚିଲା । ବାଘକୁ ଶୁଣେଇ ପାଟିକଲା– ‘‘କିଓ ପ୍ରଧାନେ ! ବାଘଟାଏ କେଉଁଠି ମିଳିବ ମୋତେ ଦୟାକରି କୁହ । ଦି’ଦିନ ହେଲା ପାଟି ବାଘ ମାଂସ ଚାଖିନାହିଁ । ପଅରଦିନ ଯାହା ତିନିଟା ମିଳିଥିଲା । ସତ କହୁଛି ଯଦି ବାଘଟାଏ ହାବୁଡ଼େ ପଡ଼ନ୍ତା, ତେବେ ବନ୍ଧୁକ କୁନ୍ଦାରେ ସବୁ ଠିକ୍‌ ହୋଇଯାଆନ୍ତା ।’’

 

ଏହା ଶୁଣି ବାଘ ଡରିଗଲା । ସେଠାରୁ ଅତର୍ଚ୍ଛରେ ପଛେଇ ପଛେଇ ଚମ୍ପଟ କଲା । ଯାଉ ଯାଉ ବାଟରେ ତା’ର ମନ୍ତ୍ରୀ ଶିଆଳ ସଙ୍ଗେ ଦେଖାହୋଇଗଲା । ବାଘ ରାଜା ଜନ୍ତୁ ଶିକାର କଲେ ତା’ ଭାଗରେ ନିଶ୍ଚୟ କିଛି ଚମଡ଼ା, କଣ୍ଟା ମିଳିଯିବ । ସେଇ ଆଶାରେ ସେ ରାଜାଙ୍କ ପଛେ ପଛେ ଥାଏ; ମାତ୍ର ବାଘ ରାଜା ଓଲଟି ଧାଇଁ ପଳାଇବା ଦେଖି ସେ ପଚାରିଲା– ‘‘ମହାରାଜ ! ଏ କି କଥା ? ଆପଣ ପଳାଇ ଯାଉଛନ୍ତି କାହିଁକି ?’’

 

ବାଘ ଡରରେ ପଛକୁ ଚାହିଁ ଚାହିଁ କହିଲା– ବାପ୍‌ରେ ବାପ୍‌ ଏଠି ଦଣ୍ଡେ ରୁହନା ! ଶୀଘ୍ର ପଳାଅ ! ପଳାଅ ! ଆରେ ଏଇ ଜଙ୍ଗଲକୁ ଗୋଟିଏ ଭୟଙ୍କର ଶିକାରୀ ଆସିଛି । ସେ ଏକା ଥରକେ ତିନିଟା ବାଘର ମାଂସ ଜଳଖିଆ କରେ । ଆଉ ଏଠି ରହିବା କଥା ନୁହେଁ ।

 

ଶିଆଳ ହସିକରି କହିଲା– ‘‘ଦେଖୁଛି ଆଜି ଆପଣଙ୍କର କ’ଣ ବିଗିଡ଼ି ଯାଇଛି । ସେଇ ଘୋଡ଼ା ଉପରେ ବସି ଆସିଥିବା ଲୋକଟିକୁ ଦେଖି ଆପଣ ପୁଣି ଘାବୁରେଇ ଯାଉଛନ୍ତି । ସେଇଟା କ’ଣ ଶିକାରୀ ? ସେ ପରା ଚଷାର ସ୍ତ୍ରୀ । ଆପଣ ଦେଖିପାରିଲେ ନାହିଁ ତା’ ପିଠିରେ ପରା ବାଳ ଝୁଲୁଛି । ଭଲା ଗୋଟିଏ ସ୍ତ୍ରୀ ଲୋକକୁ ଦେଖି ଆପଣ ରାଜ୍ୟ ଛାଡ଼ି, ଶିକାର ଛାଡ଼ି ପଳାଇବାକୁ ବସିଛନ୍ତି ।

 

ଯେତେ ବୁଝାଇଲେ ବି ବାଘର ବିଶ୍ୱାସ ନ ହେବାରୁ ଶିଆଳ କହିଲା– ‘‘ଆଚ୍ଛା ମୋ ଲାଙ୍ଗୁଡ଼ରେ ଆପଣଙ୍କ ଲାଙ୍ଗୁଡ଼କୁ ବାନ୍ଧି ସେଠାକୁ ଚାଲନ୍ତୁ । ସବୁ ବୁଝିପାରିବେ । ଶିଆଳ ସାଥିରେ ଯିବା ଶୁଣି ବାଘର ସାହସ ହେଲା । ଦୁହିଁଙ୍କ ଲାଙ୍ଗୁଡ଼ ଖୁବ୍‌ ଜୋରରେ ଗଣ୍ଠି ପକେଇ ବନ୍ଧାଗଲାରୁ ଦୁହେଁ ଚାଷୀର ବିଲଆଡ଼େ ଚାଲିଲେ ।’’

 

ଏଣେ ତରକେଇବା ଫଳରେ ବାଘଟା ପଳାଇ ଯିବାରୁ ଚାଷୀ ଓ ତା’ ସ୍ତ୍ରୀ ବହେ ହସିଲେ । ଦୁହେଁ ଖୁସିହୋଇ ଘରକୁ ଫେରୁଥାନ୍ତି । ଏହି ସମୟରେ ଚାଷୀର ଆଡ଼େ ନଜର ପଡ଼ିଗଲା । ଦେଖିଲା ବାଘ ଶିଆଳକୁ ଲାଙ୍ଗୁଡ଼ରେ ବାନ୍ଧି ସେଇ ଆଡ଼କୁ ଆସୁଛି । ସେ ସ୍ତ୍ରୀକୁ କହିଲା– ‘‘ଆରେ ଆମ କଥା ସରିଗଲା । ଏଇ ଦେଖ, ବାଘ ପୁଣି ଫେରିଲାଣି । ଲାଙ୍ଗୁଡ଼ରେ ପୁଣି ଶିଆଳକୁ ବାନ୍ଧିକରି ଆସୁଛି । ତୁ ତ ପଗଡ଼ି ଖୋଲି ସାରିଲୁଣି । ଏଥର ସେ ତୋତେ ନିଶ୍ଚୟ ଚିହ୍ନି ଦେବ ।’’

 

ଏବେ କ’ଣ କରିବାକୁ ପଡ଼ିବ ତା’ ସ୍ତ୍ରୀ ସଙ୍ଗେ ସଙ୍ଗେ ଠିକ୍‌ କରିନେଲା । ଭୟରେ ଥରୁଥିବା ସ୍ୱାମୀକୁ ସେ ଧୀରେ କହିଲା– ‘‘କାହିଁକି ମିଛରେ ଏମିତି ଡରୁଛ ? ଦେଖୁଛି ସାହସ ହରାଇ ତୁମେ ସବୁ ଗୋଳମାଳ କରିଦେବ । ତମେ ଚୁପ୍‌ କରି ଦେଖ । କେମିତି ମଜା ହେଉଛି । ମୁଁ ଏଇନେ ଏ ଦୁହିଁଙ୍କୁ ନ ନଚାଇଛି ତ ତମେ ମୋତେ କହିବ । ଡରରେ ବାଘଟିର ଅକଲ ଗୁଡ଼ୁମ୍‌ ହୋଇଯାଇଛି । ଏବେ ଏଇ ଶିଆଳଟାକୁ ମୁଁ ଏମିତି ପାଠ ଶିଖାଇବି, ସେ ବିଚାରା ମଲାଯାଏ ମନେ ରଖିଥିବ ।’’

 

ଶିଆଳ ଓ ବାଘ ନିକଟକୁ ଆସିବାରୁ ସ୍ତ୍ରୀ ବଡ଼ପାଟିରେ କହିଲା– ‘‘ବାଃ ବାଃରେ ଶିଆଳ ବେଟା ! ତୁ ତ ବେଶ୍‌ ହୁସିଆର । ଆପଣା କାମଟାତ ତୁ ବେଶ୍‌ କରିଜାଣୁ । ମୁଁ ଭାବିଲି, ତୋ ବାପଘରେ ବହୁତ ବାଘ ଅଛନ୍ତି । ଏଠିକି ଦି’ଚାରିଟା ଧରିକରି ଆଣିବୁ । କ’ଣ ମୋଟେ ଗୋଟାଏ ଆଣିଛୁ ? ତାକୁ ପୁଣି କୌଣସିମତେ ଲାଙ୍ଗୁଡ଼ରେ ଟାଣି ଓଟାରି ଆଣିଛୁ । ଗୋଟାଏ ବାଘରେ ଭଲା କ’ଣ ମୋର ହୋଇଯିବ ?’’

 

ଏହା ଶୁଣି ବାଘ ଶିଆଳକୁ ସନ୍ଦେହ କରିବାକୁ ଆରମ୍ଭ କଲା । ଭାବିଲା ଶିକାରୀ ସଙ୍ଗେ ଏହାର ସଲାସୁତର ହୋଇଛି । ଆଉ ସେଥିପାଇଁ ସିଏ ମୋତେ ଭୁଲେଇକରି ଏଠାକୁ ଆଣିଛି ।

 

ସ୍ତ୍ରୀ ଦେଖିଲା ବାଘଟା ଏକଦମ୍‌ ଡରିଗଲାଣି । ସେ ଶିଆଳକୁ ଆହୁରି ଟେକା ଟେକି କରି କହିଲା– ‘‘ଆରେ ଭାଇ ଶିଆଳ ସେଠି ରହିଯାଉଛୁ କାହିଁକି ? ଟାଣିଆଣ ସେ ବାଘଟାକୁ । ତାକୁ ଗୁଳିମାରିବା ବୃଥା । ପ୍ରଥମେ ମୁଁ ତା’ର କାନ କାଟିବି । ତା’ପରେ ତା’ ତଣ୍ଟି ଚିପିବି । ଏଇ ବଦମାସ୍‌ ମୋତେ ଦେଖି ଚୁପ୍‍ ଚାପ୍‌ ଖସି ପଳାଇଥିଲା । ତୋ’ରି ଚାଲାକି ପାଇଁ ସିନା ଆସିଲା । ତୁ’ଟା ବେଶ୍‌ ସିଆଣିଆ । ୟାର ଲାଙ୍ଗୁଡ଼କୁ ବାନ୍ଧି ଆଚ୍ଛା କରିଛୁ ।’’

 

ବାଘର ଆଉ ସନ୍ଦେହ ରହିଲାନାହିଁ । ସେ ପ୍ରାଣ ବିକଳରେ ଜଙ୍ଗଲ ଆଡ଼କୁ ଧାଇଁଲା । ବିଚାରା ଶିଆଳ ତା’ ଲାଙ୍ଗୁଡ଼ରେ ବନ୍ଧା ହୋଇଥିବାରୁ ବୁଦା ଓ ମାଟି ଉପରେ ଘୋଷାଡ଼ି ହୋଇ ଅଣନିଃଶ୍ୱାସୀ ହୋଇଗଲା । ପ୍ରାଣ ବିକଳରେ ସେ ଖାଲି ପାଟି କରୁଥାଏ, ‘‘ମହାରାଜ ଟିକିଏ ରହିଯାଅ । ଟିକିଏ ରୁହ ! ବାଘ ହୋଇ ଏପରି କରିବାଟା କ’ଣ ତୁମକୁ ସାଜେ ? ରୁହ ରୁହ ତୁମକୁ ଭଗବାନଙ୍କ ରାଣ । ମୋ ହାତ ଗୋଡ଼ ଜାଣ ଚୂନା ହୋଇଗଲାଣି । ଟିକିଏ ମୋ କଥା ଶୁଣ !’’

 

ମାତ୍ର ବାଘ ତା’ କଥାରେ ମୋଟେ କାନ ଦେଉ ନଥାଏ । ବରଂ ଶିଆଳଟାକୁ ଲହୁ ଲୁହାଣ ହେବା ଦେଖି ସେ ଖୁସି ହେଉଥାଏ । ସେ ଧାଇଁ ଧାଇଁ ପାଖ ଜଙ୍ଗଲରେ ଆପଣା ସ୍ତ୍ରୀ ପାଖେ ପହଞ୍ଚିଲା । ସେତେବେଳକୁ ବିଚାରା ଶିଆଳ ଘୁଷୁରି ଘୁଷୁରି ମରି ସାରିଥାଏ ।

 

ବାଘ ଭୟରେ ଥରୁଥିବା ଦେଖି ବାଘୁଣୀ କହିଲା– ‘‘କ’ଣ ହୋଇଛି ? ତୁମ ଲାଙ୍ଗୁଡ଼ରେ ଏଇ ମଲା ଶିଆଳଟାକୁ ବାନ୍ଧିଲା କିଏ ?’’

 

ବାଘ ମୁହଁରୁ ଝାଳ ପୋଛୁ ପୋଛୁ କହିଲା– ‘‘ଆଲୋ ତତେ ସେକଥା କ’ଣ କହିବି ? ତୋ କପାଳ ଭଲ । ସେଇଥି ଯୋଗୁ ମୁଁ ଆଜି ବଞ୍ଚିଗଲି । ଆଜି ଜଙ୍ଗଲକୁ ଗୋଟାଏ ଭୟଙ୍କର ଶିକାରୀ ଆସିଛି । ସେ ଏକା ଗୁଳିରେ ଦଶଟା ବାଘକୁ ଖତମ୍‌ କରିଦେଉଛି । ସେ ବଦ୍‌ମାସର ଜଳଖିଆ ଲାଗି ପୁଣି ଥରକେ ତିନିଟା ବାଘ ଦରକାର । ବାପ୍‌ରେ ବାପ୍‌, ତା’ କଥା ଶୁଣିଲେ ମୋ ଛାତିରୁ ରକ୍ତ ଶୁଖିଯାଉଛି । ଆମ ଛୋଟ ଛୁଆ ଦି’ଟାକୁ ଆଉ ସେ ଚାଷୀର ବିଲଆଡ଼କୁ ଛାଡ଼ିବୁ ନାହିଁ । ଏଇ ଶିଆଳଟାତ ତା’ ହାତରେ ମୋତେ ମରେଇ ଦେବାକୁ ବସିଥିଲା । କାଲି ଏଇ ଜଙ୍ଗଲରୁ ସବୁ ଶିଆଳଙ୍କୁ ନିପାତ କଲେ ଯାଇ ମୋ ମନ ଶାନ୍ତି ହେବ ।’’

 

ବାଘ ସେଇ ଦିନଠୁ ଆଉ କେବେ ଭୁଲ୍‌ରେ ବି ସେଇ ଚାଷୀର ବିଲଆଡ଼େ ଯାଏନାହିଁ ।

 

ଚତୁର ସ୍ତ୍ରୀ ଯୋଗୁ ଚଷା ପୁଅର ଦୁଇଟି ବଳଦ ଓ ମଇଁଷିଟି ରକ୍ଷା ପାଇଗଲେ । ଯେଉଁଠି ବଳ ନକାଟେ ସେଇଠି ବୁଦ୍ଧିରେ ହିଁ କାମ ହାସଲ ହୁଏ ।

 

(ଉତ୍ତର ଭାରତ)

Image

 

ଜଗତର ଶ୍ରେଷ୍ଠ ବିଷୟ

 

ବନାରସର ରାଜା ମରିଗଲେ । ତାଙ୍କର ତିନି ପୁଅ । ସେମାନଙ୍କ ମଧ୍ୟରୁ ବଡ଼ ପୁଅ ରାଜା ହେବା କଥା; ମାତ୍ର ସେ ଦେଶର ସେନାପତି କୂଟ କପଟରେ ରାଜଗାଦି ମାଡ଼ିବସିଲେ । ତିନି ରାଜପୁତ୍ର କିପରି ବା ଆଉ ସେ ଦେଶରେ ରହିବେ ? ସେନାପତିଙ୍କ ଭୟରେ ସେମାନେ ରାତି ଅଧରେ ଘୋଡ଼ାଚଢ଼ି ରାଜ୍ୟ ଛାଡ଼ି ଚାଲିଗଲେ । କେତେ ବାଟ ଗଲାପରେ ଗୋଟାଏ ପର୍ବତ ପଡ଼ିଲା । ତା’ପରେ ମରୁଭୂମି, ପର୍ବତ ତଳେ ତିନି ଆଡ଼କୁ ତିନୋଟି ରାସ୍ତା ପଡ଼ିଛି । ସେଇ ଛକ ପାଖରେ ଚଟି ଘରଟିଏ । ଭାଇମାନେ ସେଇଠି ରାତିରେ ବିଶ୍ରାମ ନେଲେ; ମାତ୍ର ଏତେ ଦୁର୍ଯ୍ୟୋଗ ପରେ ସେମାନଙ୍କୁ ନିଦ ହେଉଛି ବା କେଉଁଠୁ ? ସେନାପତିଠାରୁ କିପରି ରାଜ୍ୟ ଫେରିପାଇବେ, ସେଇକଥା ସେମାନଙ୍କ ମଧ୍ୟରେ ବିଚାର ପଡ଼ିଲା ।

 

ରାତି ପାହି ସକାଳ ହେଲା । ତଥାପି ସେମାନେ କିଛି ଠିକଣା କରିପାରିଲେ ନାହିଁ । ବଡ଼ ଭାଇଙ୍କ ନାଁ ଦେବ । ସେ ହଠାତ୍‌ କହିଲେ– ‘ଆଚ୍ଛା, ଏ ସମ୍ପର୍କରେ ମୋ ମନକୁ ଗୋଟାଏ ପ୍ରଶ୍ନ ଆସୁଛି । ଜଗତରେ ସବୁଠାରୁ ବଡ଼ କଥାଟି କ’ଣ ?’

 

ଏତିକିବେଳେ ଚଟି ଘର ମାଲିକର ସୁନ୍ଦର ସାନ ଝିଅଟି ଚୁଲି ଲଗାଇବାକୁ ଆସିଲା । ସାନ ଭାଇ ଅମଳ ତା’ରି ଆଡ଼କୁ ଚାହିଁ କହିଲେ– ‘ବାସ୍ତବିକ ଜଗତରେ କେଉଁଟି ସବୁଠାରୁ ବଡ଼ ତାହା ମୁଁ ଏପର୍ଯ୍ୟନ୍ତ ଜାଣିନି । ଏଣୁ ସେ ବିଷୟରେ ମୁଁ କିଛି କହି ପାରିବିନାହିଁ ।’

 

ମଝିଆ ଭାଇଙ୍କ ନା ଶଙ୍ଖ । ସେ କହିଲେ– ‘ମୋ ମତରେ, ପୃଥିବୀରେ ସବୁଠାରୁ ପ୍ରଧାନ ବିଷୟ ହେଉଛି କ୍ଷମତା, ଶକ୍ତି । ଜୋର ଯାର ମୁଲକ ତା’ର । ଆମ ନିଜ ଅବସ୍ଥାରୁ ମୋର ଏଇ ଧାରଣା ହୋଇଛି । ବାପାଙ୍କର ସବୁ କ୍ଷମତା ସେନାପତି ଅଧିକାର କରିବାରୁ ତ ଆମେ ଆଜି ସର୍ବହରା, ଦାଣ୍ଡର ଭିକାରି ।’

 

ଦେବ କହିଲେ– ‘‘ମୁଁ ଭାବୁଛି, ଧନ ଦଉଲତ ହେଉଛି ଜଗତରେ ସବୁଠାରୁ ବଡ଼ ବଳ । ସେନାପତି କେମିତି ଆମ ରାଜ୍ୟ ଅଧିକାର କଲା ଜାଣିଥିବ । ମୁଁ ଜାଣେ, ସେ ସୈନିକମାନଙ୍କୁ ବହୁତ ଟଙ୍କା ଲାଞ୍ଚ ଦେଇଥିଲା ।’’

 

ବଡ଼ ଓ ମଝିଆଭାଇଙ୍କ ମଧ୍ୟରେ ଏ ସଂପର୍କରେ ବହୁତ ତର୍କ ହେଲା । ଅମଳ ତାହା ଚୁପ୍‌ ଚାପ୍‌ ଶୁଣୁଥାଏ; ମାତ୍ର ସେ ବିଷୟରେ କିଛି ଠିକ୍‌ କରିପାରୁନଥାଏ ।

 

ସକାଳର ଖାଇବା ଜିନିଷ ତିଆରି ହୋଇଗଲା । ଭାଇମାନେ ନିତ୍ୟକର୍ମ ସାରି ଖାଇ ପିଇ ଘରଭଡ଼ା ତୁଟାଇ ଦେଲେ ଓ ମରୁଭୂମି ଭିତରକୁ ଯିବାଲାଗି ଘୋଡ଼ାରେ ବସିଲେ । ସମସ୍ତଙ୍କୁ ଟିକିଏ ରହିବାକୁ ନିର୍ଦ୍ଦେଶ ଦେଇ ଦେବ କହିଲେ– ‘ପାଖରେ ଧନ ଦଉଲତ ନଥିଲେ ଜଗତରେ କିଛି କରିହେବ ନାହିଁ । ଭାବୁଛି, ମୁଁ ଏଠାରୁ ପୂର୍ବ ପଟେ ଚୀନ ଦେଶକୁ ଯିବି । ସେଠାରୁ ପ୍ରଚୁର ଧନ ରତ୍ନ ଉପାର୍ଜନ କରି ଫେରିଲେ ଯାହା କରିବାର କରିବି ।’

 

ଶଙ୍ଖ କହିଲେ– ‘ମୁଁ ତା’ହେଲେ ପଶ୍ଚିମ ପଟେ ତୁର୍କିସ୍ଥାନ ରାଜ୍ୟକୁ ଯିବି । ସେଠାରୁ ବହୁ ସୈନ୍ୟ ଆଣିବାକୁ ଯୋଗାଡ଼ କରିବି । ନିଜ ଅଧୀନରେ ସୈନ୍ୟଦଳ ନ ରହିଲେ କିଛି କରିବା ସମ୍ଭବ ନୁହେଁ ।’

 

ଅମଳ କୁଆଡ଼େ ଯିବ ତା’ ସେ ନିଜେ ଠିକ୍‌ କରିପାରିଲା ନାହିଁ । ଭାଇମାନଙ୍କୁ ପଚାରିଲା, ବଡ଼ ଓ ମଝିଆଁ ଭାଇ ସେକଥା କହିଲେ– ତୋ’ର ଯାହାଇଚ୍ଛା ତା’ କର । ଏଠି ରହିବୁ ତ ରହ, ନଚେତ୍‌ ତୁ ଶ୍ୟାମ ଦେଶକୁ ଯାଇପାରୁ ।’

 

ଅମଳ ପଚାରିଲା– ‘ଆମର ପୁଣି କେବେ ଓ କେଉଠିଁ ଦେଖା ହେବ ?’

 

ଶଙ୍ଖ କହିଲେ– ‘ଆଜିଠାରୁ ଦଶବର୍ଷ ପରେ ବସନ୍ତ ଋତୁର ପ୍ରଥମ ଦିନ ଆମେ ଆସି ଏଇ ଚଟି ଘର ପାଖେ ଏକାଠି ହେବା । ସେହି ଦିନ ଜଣାପଡ଼ିବ ଆମ ଭିତରୁ କିଏ ଜଗତର, ସବୁଠାରୁ ଭଲ ଜିନିଷଟି ପାଇଛି । ତାହାରି ସାହାଯ୍ୟରେ ହୁଏତ ଆମେ ଆମ ରାଜ୍ୟ ଉଦ୍ଧାର କରିବାକୁ ସମର୍ଥ ହେବା ।’

 

ତିନିହେଁ ଏଥିରେ ରାଜିହେଲେ । ପରସ୍ପରକୁ ଆଲିଙ୍ଗନ କରି ସେମାନେ ବିଦାୟ ନେଲେ । ଦେବ ତା’ ଘୋଡ଼ାରେ ବସି ମରୁଭୂମିରେ ଯାଉଥିବା ଚାଇନାର ବଣିକମାନଙ୍କ ଓଟଦଳ ପଛେ ପଛେ ଚାଲିଲା ।

 

ଶଙ୍ଖ ମରୁଭୂମିର ଏକ ନିର୍ଜନ ବାଟରେ ତୁର୍କିସ୍ଥାନ ଆଡ଼କୁ ଆଗେଇଲା । କ୍ରମେ ଦେବ ଓ ଶଙ୍ଖ ଆଉ ଦୃଷ୍ଟିରେ ପଡ଼ିଲେ ନାହିଁ ।

 

ବିଚରା ଅମଳ ଏକୁଟିଆ ସେଇ ଚଟି ଘର ପାଖକୁ ଫେରିଆସିଲା । ଭାଇମାନଙ୍କ ଯିବା ବାଟକୁ ଚାହିଁ ତା’ ଆଖିରୁ ଦୁଇଟୋପା ଲୁହ ବୋହିପଡ଼ିଲା ।

 

ଚାହୁଁ ଚାହୁଁ ଦଶ ବର୍ଷ ବିତିଗଲା । ବସନ୍ତର ପ୍ରଥମ ଦିନ ଆସିଲା । ପର୍ବତ ଘାଟିରେ ଶେଷରେ ଥିବା ସେଇ ଚଟି ଘରଟି ଏଇ କେତେ ବର୍ଷରେ ବହୁତ ବଦଳି ଯାଇଛି । ପୂର୍ବ ଅପେକ୍ଷା ଏହା ଅଧିକ ସୁନ୍ଦର ଦେଖାଯାଉଥାଏ । ଘର ଚାରିପଟେ ସୁନ୍ଦର ଲତାଟିଏ ମାଡ଼ି ତାକୁ ସବୁଜ କରିଦେଇଛି, ଚାରିପଟ ବାଡ଼ରେ ଫୁଟିଛି ନାଲି ଗୋଲାପ ଫୁଲ । ସେଦିନର ସେଇ ଛୋଟ ଝିଅଟି ଏବେ ବୋହୂଟିଏ । ଘର ଦୁଆର ମୁହଁରେ ସେ ଠିଆହୋଇଛି । କାଖରେ ତା’ର ଛୋଟିଆ ଝିଅଟିଏ, ଛୋଟପୁଅ ଦୁଇଟି ତଳେ ଠିଆହୋଇ ତା’ ଲୁଗା କାନିକୁ ଟାଣୁଥାନ୍ତି ।

 

ଏଇ ସମୟରେ ଦେଖାଗଲା, ଦୁଇଟି ଦଳ, ଗୋଟିଏ ପୂର୍ବପଟୁ ଓ ଅନ୍ୟଟି ପଶ୍ଚିମରୁ ସେଇ ଘର ଆଡ଼କୁ ଆସୁଛନ୍ତି । ପୂର୍ବପଟୁ ଚାଇନା ଆଡ଼ୁ ଆସୁଥିଲେ ଧାଡ଼ି ଧାଡ଼ି ହେଇ ନେଳି ପୋଷାକ ପିନ୍ଧା ବହୁଲୋକ, ଘୋଡ଼ା ଓ ଓଟ । ଦଳ ଆଗରେ ଆସୁଥିବା ହାତୀ ଉପରେ ପଡ଼ିଥାଏ ସୁନାର ହାଉଦା, ସେଥିରେ ମଣି ମୁକ୍ତା ଲାଗି ଥିବାରୁ ତାହା ଦୂରରୁ ଝଲମଲ କରୁଥାଏ; ମାତ୍ର ସେଇ ହାଉଦା ଉପରେ ଯିଏ ବସିଥିଲେ, ତାଙ୍କ ମୁହଁ ଶୁଖି ଯାଇଥିଲା ଓ ସେ ବହୁତ ଚିନ୍ତିତ ଦେଖାଯାଉଥିଲେ ।

 

ପଶ୍ଚିମ ଦିଗରୁ ଆସୁଥିବା ଦଳର ଲୋକେ ଥିଲେ, ଯେପରି ଡେଙ୍ଗା ସେହିପରି ଭୟଙ୍କର । ଧନୁ, ବର୍ଚ୍ଛା ଧରି, ଘୋଡ଼ାରେ ବସି ଶହ ଶହ ସଂଖ୍ୟାରେ ସେମାନେ ଧାଇଁ ଧାଇଁ ଆସୁଥାନ୍ତି । ଅଦ୍‌ଭୁତ ଭାଷାରେ ଚିତ୍‌କାର ମଧ୍ୟ କରୁଥାନ୍ତି । ସେଇମାନଙ୍କ ମଝିରେ ଜଣେ ଡେଙ୍ଗା ଲୋକ ଉଜ୍ଜ୍ୱଳ ସାଞ୍ଜୁ ଓ ପଗଡ଼ି ପିନ୍ଧି ଘୋଡ଼ାରେ ଚାଲିଥାନ୍ତି, ହାତରେ ତାଙ୍କର ଥାଏ ଗୋଟାଏ ଖୋଲା ତରବାରି । ସେ ହଠାତ୍‌ ଦଳ ଆଗକୁ ଚାଲିଆସିଲେ ଓ ହାତୀ ଉପରେ ବସିଥିବା ବ୍ୟକ୍ତିଙ୍କୁ ଚାହିଁ କହିଲେ– ‘ଭାଇ, ନମସ୍କାର’ ।

 

ହାତୀ ଉପରେ ବସିଥିବା ବ୍ୟକ୍ତି କହିଲେ– ‘କିରେ, ଶଙ୍ଖ ! ଯାହେଉ, ଭଲରେ ଫେରିଲୁ’ ହାତୀ ଓ ଘୋଡ଼ାରୁ ଦୁହେଁ ଓହ୍ଳାଇ ପରସ୍ପରକୁ ଆଲିଙ୍ଗନ କଲେ । ଶଙ୍ଖ କହିଲା– ‘ବଡ଼ଭାଇ, ତମେ ବହୁତ ବୁଢ଼ା ହୋଇଯାଇଛ । ତୁମ ମୁହଁରେ ଆଉ ପୂର୍ବର ସେଇ ପ୍ରସନ୍ନତା ନାହିଁ ।

 

‘ହଁ, ତା’ ହୋଇଥିବ । ଦଶ ବର୍ଷ ଧରି ମୋତେ ଦିନ ରାତି ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିଛି । ଯା’ ହେଉ, ମୁଁ ଏବେ ଜଗତର ସବୁଠାରୁ ଧନୀ । ମୋର ଏଇ ଯେଉଁ ଘୋଡ଼ା, ଓଟ ଦେଖୁଛୁ, ଏମାନଙ୍କ ଉପରେ ଲଦା ହୋଇଛି କେବଳ ସୁନା ଓ ମଣିମୁକ୍ତା ।’ –ଦେବ ଉତ୍ତର ଦେଲା ।

 

ଶଙ୍ଖ ପଚାରିଲା– ‘ଭାଇ, ତମେ ଜଗତରେ ସବୁଠାରୁ ଧନୀ ହୋଇଛ ସତ; ମାତ୍ର ପ୍ରକୃତରେ ତମେ କ’ଣ ମନେକରୁଛ ଧନ ହେଉଛି ପୃଥିବୀରେ ସବୁଠାରୁ ବଡ଼ ଜିନିଷ ! ମୁଁ ତା’ ଆଦୌ ବିଶ୍ୱାସ କରିପାରୁନି । ସୈନ୍ୟ ଦଳ ଓ ଅସ୍ତ୍ରଶସ୍ତ୍ର ନିକଟରେ ଧନ କିଛିନୁହେଁ । ମୋର ସୈନ୍ୟମାନଙ୍କୁ ଟିକିଏ ଚାହଁ । ଏମାନଙ୍କୁ ଯୋଗାଡ଼ କରିବାକୁ ମୋତେ ଦଶବର୍ଷ ଲାଗିଲା । ଏଥିପାଇଁ ମୋତେ ପ୍ରାୟ ଶହେଥର ଯୁଦ୍ଧକରିବାକୁ ପଡ଼ିଛି ।’

 

ତୁ ଏତେ ସୈନ୍ୟଙ୍କୁ ଯୋଗାଡ଼ କଲୁ; ମାତ୍ର ଏମାନଙ୍କୁ କ’ଣ ଖାଇବାକୁ ଦେଇ ପୋଷି ପାରିବୁ ? ତୁ ସୈନ୍ୟମାନଙ୍କୁ ଯେତେ ଟଙ୍କା ବେତନ ଦେଉଛୁ, ମୁଁ ଇଚ୍ଛାକଲେ ତା’ଠାରୁ ବେଶି ଟଙ୍କାଦେଇ ତୋ ସୈନ୍ୟମାନଙ୍କୁ ହାତକରି ନେଇପାରିବି । ବେଶି ଟଙ୍କା ପାଇଲେ ସେମାନେ ନିଶ୍ଚୟ ତୋତେ ଛାଡ଼ି ମୋ ପାଖକୁ ଚାଲି ଆସିବେ । ସେଥିପାଇଁ କହୁଥିଲି, ଟଙ୍କା ହେଉଛି ଜଗତରେ ସବୁଠାରୁ ବଡ଼ । ଟଙ୍କା ବଳରେ କ’ଣ କରି ନ ହେବ ?’–ଦେବ କହିଲେ ।

 

ଶଙ୍ଖ ରାଗିଯାଇ କହିଲା– ‘ତୁମ କଥା ଠିକ୍‌ ନୁହେଁ । ମୋର ଏଇ ତୂରୀକୁ ଚାହଁ–ୟାକୁ ମୁଁ ବଜାଇ ଦେବାମାତ୍ରେ ମୋ ସୈନ୍ୟମାନେ ମୁହୂର୍ତ୍ତକ ମଧ୍ୟରେ ତୁମର ସମସ୍ତ ଲୋକଙ୍କୁ ମାରି ଶୁଆଇ ଦେବେ । ତୁମର ସମସ୍ତ ଧନ ସମ୍ପତ୍ତିକୁ ଅଧିକାର କରିବାକୁ ମୋତେ ପାଞ୍ଚ ମିନିଟ୍‌ରୁ ଅଧିକ ଲାଗିବ ନାହିଁ ।’

 

ଏହା ଶୁଣି ବଡ଼ଭାଇ ଦେବର ମୁହଁ ମଳିନ ହୋଇଗଲା । ସେ ତୀକ୍ଷ୍‌ଣ ଦୃଷ୍ଟିରେ ଭାଇ ଆଡ଼କୁ କିଛି ସମୟ ଚାହିଁ କହିଲା–ଆଚ୍ଛା, ହେଉ, ତୋ କଥା ହୁଏତ ଠିକ୍‌ । ତେବେ, ଅମଳଟା ଏପର୍ଯ୍ୟନ୍ତ କାହିଁକି ଆସିଲା ନାହିଁ ! ସେ ଆସିଲେ, ଜଗତରେ କିଏ ବଡ଼ ସେ ସମ୍ପର୍କରେ ହୁଏତ ଆଉ କିଛି କହିପାରେ ।’

 

ଶଙ୍ଖ କହିଲା– ସିଏ ବିଚରା ନିହାତି ଛୋଟ । ସେ ଏ ବିଷୟରେ ଯେ କିଛି ଜାଣିପାରିବ ତାହା ମୋର ମନେ ହେଉନାହିଁ । ମୋର ଜନବଳ ଓ ତୁମର ଧନବଳ ଅଛି । ଏଥର ଆମ ରାଜ୍ୟ ଅଧିକାର ଲାଗି ଆମକୁ ଆଉ କିଛି ଭାବିବାକୁ ପଡ଼ିବନାହିଁ ।’’

 

ଏହି ସମୟରେ ଜଣେ ଡେଙ୍ଗା ସୁନ୍ଦର ଯୁବକ ସେଇ ଚଟିଘର ଭିତରୁ ବାହାରିଲେ । ମୁହଁ ତାଙ୍କର ପ୍ରସନ୍ନ ଓ ହସ ହସ, ଆଖି ଉଜ୍ଜ୍ୱଳ । ସାଧାରଣ ପୋଷାକ ସେ ପିନ୍ଧିଥାନ୍ତି । ଦୁଆର ମୁହଁରେ ତରୁଣୀଟିଏ ତିନୋଟି ପିଲାଙ୍କୁ ଧରି ତାଙ୍କୁ ଚାହିଁ ରହିଥାଏ ।

 

ଦେବ କହିଲେ– ‘‘ହେଇଟି ଅମଳ ଆସିଲାଣି । ଅମଳ ଧାଇଁ ଯାଇ ଭାଇମାନଙ୍କୁ କୁଣ୍ଢାଇ ପକାଇଲା ।’’

 

ଦେବ କହିଲେ– ‘‘କିରେ ଅମଳ ! ତୁ ଏଇଠି ଅଛୁ । ଯା ହେଉ, ତୋତେ ଦେଖିଲେ ମନେହୁଏ ଜଗତର କିଛି ଭଲ ଜିନିଷ ତୁ ବୋଧହୁଏ ପାଇଛୁ ।’’

 

ଅମଳ ହସି ହସି କହିଲା– ‘‘ଭାଇ, ସତରେ ତା’ ମୁଁ ପାଇଛି । ଦଶବର୍ଷ ପୂର୍ବେ ମୁଁ ଶ୍ୟାମଦେଶ ଆଡ଼କୁ ବାହାରିଥିଲି; ମାତ୍ର ସେଠିକି ଯିବା ଆଉ ହୋଇପାରିଲାନାହିଁ । ମୁଁ ପୁଣି ଏଠାକୁ ଫେରିଆସିଲି । ସେହିଦିନୁ ଆଉ ଏଇସ୍ଥାନ ଛାଡ଼ି କୁଆଡ଼େ ଯାଇନାହିଁ । ହେଇଟି ! ମୋ ସ୍ତ୍ରୀ ଓ ତିନୋଟି ପିଲା । ସେଇଠି ଠିଆ ହୋଇଛନ୍ତି । ଏଇମାନଙ୍କ ସହ ମୁଁ ଏଠି ଖୁସିରେ ଅଛି ।’’

 

ଦେବ କହିଲେ– ‘‘ଅମଳ ! କ’ଣ ଗୁଡ଼ାଏ ତୁ ବୋକା ପିଲାଙ୍କ ପରି କଥା କହୁଛୁ ? ତୁ କ’ଣ ଭାବୁଛୁ ଏଇ ପାରିବାରିକ ସୁଖ, ସ୍ନେହ, ମମତା ଜଗତର ଶ୍ରେଷ୍ଠ ବିଷୟ ।’’

 

ଧୀରକଣ୍ଠରେ ଅମଳ କହିଲା– ‘‘ଖାଲି ସୁଖ ବା ସ୍ନେହ ମମତା ପାଇଁ ଏଇ ଛୋଟ କୁଟିରକୁ ମୁଁ ଫେରିଆସିଲି ତା’ ନୁହେଁ । ସ୍ନେହ, ମମତା ପ୍ରଭୃତି ମୋତେ ପରେ ମିଳିଛି; ମାତ୍ର ମୁଁ ଏପରି ଜିନିଷ ପାଇଛି, ଯାହା ନିକଟରେ ଭଲପାଇବା, ଧନ, ଶକ୍ତି ପ୍ରଭୃତି ମୋତେ ଧୂଳି ବା ପାଉଁଶ ଭଳି ତୁଚ୍ଛ ମନେହେଲା ।’’

 

ସେ ଜିନିଷଟା କ’ଣ ? ବଡ଼ ଓ ମଝିଆଁ ଭାଇ ଦୁହେଁ ଅତ୍ୟନ୍ତ ଆଗ୍ରହରେ ଏକା ସଙ୍ଗେ ପଚାରିଲେ ।

 

‘‘ଜଗତର ସବୁଠାରୁ ସାର ବିଷୟ ହେଉଛି ଆନନ୍ଦ,–‘‘ଅମଳ କହିଲା । ବଡ଼ ଓ ମଝିଆ ଭାଇ ଦୁଇଜଣ ଯାକ ଚୁପ୍‌ ହୋଇଗଲେ । ଦୁହେଁ କିଛିକ୍ଷଣ ପରସ୍ପରକୁ ଓ ତା’ପରେ ଆପଣାର ଦଳବଳଙ୍କୁ ଚାହିଁ ଧୀରେ ଧୀରେ ଅମଳ କୁଟୀର ଆଡ଼କୁ ଚାଲିଲେ । ଯାଉ ଯାଉ ଦେବ ହଠାତ୍ ଶଙ୍ଖର ହାତକୁ ଧରି କହିଲା– ‘‘ଟୋକାଟା ବୟସରେ ସାନ ହେଲେ କ’ଣ ହେବ । ଯାହା କହିଲା ତା ଠିକ୍‌ ! ଏକଦମ୍‌ ଠିକ୍‌ । ଜାଣିଛୁ ଶଙ୍ଖ ! ସବୁ ଧନରତ୍ନ ସତ୍ତ୍ୱେ ମୋ ମନରେ ସୁଖ ନାହିଁ । ସତ କହୁଛି ମୋ ମନ କଳୁଷିତ ହୋଇଯାଇଛି । ତୋର ସୈନ୍ୟମାନଙ୍କୁ ଲାଞ୍ଚଦେଇ ମୁଁ ହାତ କରିବାକୁ ମନେ ମନେ ପାଞ୍ଚୁଥିଲି ।’’

 

ଶଙ୍ଖ କହିଲା– ‘‘ମୁଁ ମଧ୍ୟ ସେଇଆ ଭାବୁଥିଲି । ଆଜି ରାତିରେ ମୋ ଲୋକଙ୍କଦ୍ୱାରା ତୁମର ସମସ୍ତ ଧନ ସମ୍ପଦ ଲୁଟିନେବି ।’’

 

ଅମଳ ସେମାନଙ୍କ ସଙ୍ଗେ ଚାଲୁଥାଏ । ଦୁଇଭାଇଙ୍କ କଥାଶୁଣି କହିଲା– ‘‘ତୁମେମାନେ କାହିଁକି ପରସ୍ପର ବିରୁଦ୍ଧରେ ମନେମନେ ଏପରି ଚକ୍ରାନ୍ତ କରିବାକୁ ଆରମ୍ଭ କରିଦେଲ ତା’ ମୁ ବୁଝିପାରୁନାହିଁ ।’’

 

ଦେବ କହିଲା– ‘‘ଆମ ରାଜ୍ୟ ଫେରି ପାଇବାଲାଗି ଆମକୁ ଯେପରି ହେଉ ଚେଷ୍ଟା କରିବାକୁ ପଡ଼ିବ । ଏଣୁ ଧନ ସଙ୍ଗେ ମୁ ଶକ୍ତିଶାଳୀ ସୈନ୍ୟମାନଙ୍କୁ ମୋ ଅଧିକାରକୁ ଆଣିବାକୁ ଇଚ୍ଛା କରୁଥିଲି ।’’

 

ଶଙ୍ଖ ସେହିପରି ସ୍ୱୀକାର କଲା, ରାଜ୍ୟ ଫେରି ପାଇବା ଲାଗି ଅଧିକ ଶକ୍ତି ଓ ଧନର ଅଧିକାରୀ ହେବା ଇଚ୍ଛାରେ ସେ ନିଜ ସୈନ୍ୟମାନଙ୍କ ସାହାଯ୍ୟରେ ପ୍ରଥମେ ବଡ଼ ଭାଇଙ୍କର ଧନରତ୍ନ ଲୁଟିନେବାକୁ ବିଚାରି ଥିଲା ।

 

ଅମଳ କହିଲା– ‘ଭାଇ, ! ଆପଣ ଦୁହିଁଙ୍କଠାରୁ ମୁଁ ବୟସରେ ସାନ, ହେଲେ ମୁଁ ବୁଝିଛି; ଧନ ବା ଶକ୍ତିର ଅଧିକାରୀ ହେଲେ ସନ୍ତୋଷ ମିଳେନାହିଁ । ଧନ ଓ ଶକ୍ତିର ଅଧିକାରୀ ହେବାକୁ ବହୁତ କାମ କରିବାକୁ ପଡ଼େ । ବହୁତ କଥା ମଧ୍ୟ କହିବାକୁ ହୁଏ; ମାତ୍ର ସେ କଥାର ମୂଲ୍ୟ ବା କ’ଣ ? ମୋ ମତରେ ଚାଷୀର ଜୀବନ ଏହାଠାରୁ ଅଧିକ ମୂଲ୍ୟବାନ୍‌ । ଏଇ କେତେ ବର୍ଷ ମଧ୍ୟରେ ଆମ ରାଜ୍ୟର କ’ଣ ହେଲାଣି ଆପଣମାନେ ବୋଧହୁଏ ତା’ ଜାଣନ୍ତି ନାହିଁ । ଯେଉଁ ମନ୍ତ୍ରୀ ଆମ ରାଜ୍ୟ ଅଧିକାର କରିଥିଲେ, ଇତିମଧ୍ୟରେ ତାଙ୍କୁ ମଧ୍ୟ ରାଜ୍ୟ ହରାଇବାକୁ ପଡ଼ିଛି । ମାଳବ ରାଜାଙ୍କ ସହ ବିବାଦ ହେବାପରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ହେଲା । ସେ ମୃତ୍ୟୁ ମୁଖରେ ପଡ଼ିଲେ । ଏବେ ମାଳବ ରାଜାହିଁ ଆମ ରାଜ୍ୟର ରାଜା, ତେବେ ସେ ମଧ୍ୟ ଏବେ ଦୁଶ୍ଚିନ୍ତା–ଗ୍ରସ୍ତ ।’’

 

ଦେବ ଓ ଶଙ୍ଖ କହିଲେ– ‘‘ଦୁଶ୍ଚିନ୍ତାରୁ କିଏ ବା ମୁକ୍ତି ପାଇଛି ? ରାଜା ହେଲେ ତ ନିଶ୍ଚୟ ନାନା ବିଷୟରେ ଚିନ୍ତିତ ହେବାକୁ ପଡ଼ିବ ।’’

 

ସାନ ଭାଇ ନମ୍ର ଭାବରେ କହିଲେ– ‘‘ଭାଇମାନେ ! ମୁଁ ଏତିକି ଜାଣିଛି, କେବଳ କୃଷକହିଁ ନିଶ୍ଚିନ୍ତ ଜୀବନ ଯାପନକରେ । କଥା କହିବାକୁ ତା’ର ଫୁରୁସତ୍‌ ନଥାଏ କିମ୍ବା ସେ ବଡ଼ ହେବ ବୋଲି ଇଚ୍ଛା କରେନା । ବର୍ଷସାରା ସେ ବିଲରେ ହିଁ ଖଟେ–ଯାହା ଶସ୍ୟ ମିଳେ ସେଇଥିରେ ସନ୍ତୋଷରେ କାଳ କଟାଇ ଦିଏ । ତା’ରି ଯୋଗୁଁ ସିନା ଅନ୍ୟମାନେ ଆହାର ପାଆନ୍ତି, ବଡ଼ ବଡ଼ କଥା କହନ୍ତି । କିଏ ରାଜା ହେବ ବା ଲକ୍ଷପତି ହେବ ବୋଲି ଭାବନ୍ତି, ଏହା ଜାଣିବା ପରେ ମୁଁ ଆଉ ରାଜ୍ୟଲାଭର ଆଶା ନରଖି କୃଷକ ଭାବେହିଁ ଏଠାରେ ରହୁଛି । ଏଇ ଯେଉଁ କ୍ଷେତ ଘର ଚାରିପାଖେ ଦେଖୁଛ, ସେତିକିରେ ମୁଁ ଦିନସାରା ପରିଶ୍ରମ କରେ । ସଞ୍ଜରେ ଘରକୁ ଫେରେ । ରାତିରେ ଗୋରୁଗାଈଙ୍କ କଥା ବୁଝେ । ପିଲାମାନଙ୍କ ସହ ଖେଳେ । ଗୀତ ବୋଲି ଶୋଇପଡ଼େ । ରାଜ୍ୟର ରାଜା ହୋଇ ଦୁଶ୍ଚିନ୍ତାରେ କାଳ କଟାଇବାଠାରୁ ଏପରି ଚଳିବା କ’ଣ ଭଲ ନୁହେଁ ? ମୋ ମନରେ ଏହି ଅଧିକ ଶ୍ରମ ଓ ସନ୍ତୋଷ ହିଁ ଜଗତର ଶ୍ରେଷ୍ଠ ବିଷୟ ।’’

 

ବଡ଼ ଦୁଇ ଭାଇଙ୍କ ପାଟିରୁ କଥା ବହାରିଲା ନାହିଁ । ଦୁହେଁ ବିସ୍ମୟରେ ସାନ ଭାଇ ଆଡ଼କୁ ଚାହିଁ ରହିଲେ । ଦେବ କହିଲେ–‘‘ମୁଁ କୃଷକଟିଏ ହୋଇ ରହିବାକୁ ଚାହେଁ । ଭାବୁଛି ଏତେ କଷ୍ଟରେ ଆଣିଥିବା ମୋର ସବୁ ଧନ ରତ୍ନ ଗରିବମାନଙ୍କ ମଧ୍ୟରେ ବିତରଣ କରିଦେବି ।

 

ଶଙ୍ଖ କହିଲେ– ‘‘ମୁଁ ମୋର ସୈନ୍ୟମାନଙ୍କୁ ଚାଷ କାମରେ ଲଗାଇଦେବି । ଚାଷ ବାସ କଲେ ସେମାନେ ନିଶ୍ଚୟ ଭଲରେ ରହିବେ ।’’

 

(ଉତ୍ତର ଭାରତ)

Image

 

ବିଚାରକଙ୍କ ବୁଦ୍ଧି

 

ଜଣେ ବିଚାରକ ଥିଲେ । ନ୍ୟାୟ ନିଶାପରେ ତାଙ୍କର ଖୁବ୍‌ ନାଁ ଡାକ । ଦୂରଦୂରାନ୍ତରରୁ ଲୋକେ ତାଙ୍କ ନିକଟକୁ ପରାମର୍ଶ ପାଇଁ ଆସନ୍ତି । ବୟସ ଅଳ୍ପ ହେଲେ ବି ସେ ଦେଶର ରାଜା ମଧ୍ୟ ତାଙ୍କର ମତାମତ ଲୋଡ଼ନ୍ତି । ଘରେ ତାଙ୍କର ସ୍ତ୍ରୀ । ଦେଖିବାକୁ ଯେପରି ସୁନ୍ଦର ସେହିପରି ସୁକୁମାର । ଫୁଲରେ ଶୁଅନ୍ତି, ଫୁଲରେ ଚାଲନ୍ତି । ଧନର ତ ଅଭାବ ନାହିଁ । ଘରେ ଗଣ୍ଡା ଗଣ୍ଡା ଦାସୀ ଖଞ୍ଜା । ତଥାପି ସ୍ୱାମୀଙ୍କ ଲାଗି ତାଙ୍କ ମନରେ ସବୁବେଳେ ଦୁଃଖ । ନ୍ୟାୟ ନିଶାପରେ ସବୁବେଳେ ଲାଗିଥିବାରୁ ଘରେ ତାଙ୍କୁ ଖୁବ୍‌ କମ୍‌ ସମୟ ରହିବାକୁ ପଡ଼େ । ସ୍ତ୍ରୀଙ୍କ ସଙ୍ଗେ କଥାବର୍ତ୍ତା କରିବାକୁ ବି ଫୁରୁସତ୍‌ ନଥାଏ । ଏଣୁ ସ୍ତ୍ରୀ ସବୁବେଳେ ଚିଡ଼ି ଚିଡ଼ି ହୁଅନ୍ତି ।

 

ସେ ଦେଶର ରାଜାଙ୍କର ଗୋଟିଏ ବୋଲି ପୁଅ; ମାତ୍ର ସବୁ ଖରାପ ଗୁଣତକ ତାରିଠାଇଁ । ରାତିଯାକ ଏଣେ ତେଣେ ବୁଲେ । ଖରାପ ସ୍ତ୍ରୀ ଲୋକଙ୍କ ସଙ୍ଗେ ମିଶେ; ନାଚ ଗୀତ ଶୁଣି କାଳ କଟାଏ । ଏଣେ ବିଚାରକଙ୍କ ସ୍ତ୍ରୀ ସବୁଦିନ ରାତିରେ ଝରକା ପାଖେ ବସି ସ୍ୱାମୀଙ୍କ ଆସିବା ବାଟକୁ ଚାହିଁ ରହିଥାନ୍ତି । ରାଜକୁମାର ଗଲାବେଳେ ତାଙ୍କୁ କେତେଥର ଦେଖିଲେଣି । ଦିନେ ରାତିରେ ମଦନିଶାରେ ଭୋଳ ହୋଇ ସେ ବିଚାରକଙ୍କ ଘର ଭିତରକୁ ପଶିଆସିଲା । ବିଚାରକଙ୍କ ସ୍ତ୍ରୀ ତାଙ୍କୁ ଦେଖି ଡରିଗଲେ । ତଥାପି ଖୁବ୍‌ ସାହସରେ କହିଲେ– ‘‘ଘରୁ ବାହାରି ଯାଅ, ପାଦେ ଆଗକୁ ଆସିବତ ଭଲ ହେବନାହିଁ ।’

 

ମାତ୍ର ରାଜକୁମାରର ହୋସ୍‌ ନଥାଏ, ସେ ଯେମିତି ସ୍ତ୍ରୀଙ୍କ ପାଖକୁ ମାଡ଼ି ଆସିଛି, ସେ ସଙ୍ଗେ ସଙ୍ଗେ ତା’ର ବେକକୁ ଚିପି ଧରିଲେ । ଏତେ ଜୋର୍‌ରେ ଚିପିଧରିଲେ ଯେ, ଅଳ୍ପ ସମୟ ମଧ୍ୟରେ ରାଜକୁମାର ଛଟପଟ ହୋଇ ମରିଗଲା ।

 

ମୁହୂର୍ତ୍ତକ ମଧ୍ୟରେ ଏପରି ଗୋଟିଏ ଅଘଟଣ ଘଟିବ ବୋଲି ସ୍ତ୍ରୀ ଭାବି ନଥିଲେ ।

 

ରାଜକୁମାର ଘର ଭିତରକୁ ପଶିଆସିବା ବିଷୟ ଘରର ଦାସ ଦାସୀ ବା ଆଉ କାହା ନଜରରେ ପଡ଼ିନାହିଁ । ସ୍ତ୍ରୀ ସଙ୍ଗେ ସଙ୍ଗେ ରାଜକୁମାରର ଶବକୁ ପଲଙ୍କ ତଳେ ଲୁଚାଇଦେଲେ ।

 

ବାହାରକୁ ଆସି ସେ ଦାସଦାସୀମାନଙ୍କୁ ଯେଝା ଘରକୁ ଚାଲିଯିବାକୁ କହିଦେଲେ । ସେମାନେ ଚାଲିଗଲା ପରେ ସେ କ’ଣ କରିବେ ସେଇଆ ଭାବୁଥାନ୍ତି । ରାଜାପୁଅକୁ ମାରିବା ବିଷୟ କ’ଣ ଲୁଚେଇ ହେବ ? ସକାଳ ହେଲେ ସମସ୍ତେ ଏହା ଜାଣିଯିବେ । ରାଜା ନିଶ୍ଚୟ ତାଙ୍କୁ ଶୂଳିଦେବେ । ଉଦ୍ଧାର ପାଇବାର କୌଣସି ଉପାୟ ତାଙ୍କୁ ଦିଶୁନଥାଏ । ସ୍ୱାମୀ ଆସିଲେ ବା କ’ଣ ବାଟ ବତାନ୍ତେ । ଘର ତାଙ୍କୁ ମାଡ଼ି ମାଡ଼ି ପଡ଼ୁଥାଏ । ସ୍ୱାମୀ ଫେରିଆସିବା ବାଟକୁ ବ୍ୟାକୁଳ ଭାବରେ ସେ ଅପେକ୍ଷା କରିଥାନ୍ତି ।

 

ରାତି ଅଧକୁ ସ୍ୱାମୀ ଆସିଲେ । ସ୍ତ୍ରୀଙ୍କ ମଳିନମୁଖ ଦେଖି ସେ କ’ଣ ଗୋଟିଏ ଘଟିଛି ଭାବି ପଚାରିଲେ–‘‘କଣ ହୋଇଛି ? ତୁମ ମୁହଁ କାହିଁକି କଳାକାଠ ପଡ଼ିଯାଇଛି ?’’

 

ସ୍ତ୍ରୀ ପାଦତଳେ ପଡ଼ିଯାଇ କାନ୍ଦି କାନ୍ଦି କହିଲେ– ଯଦି ଦୋଷ କ୍ଷମାକରିବ ଓ ମୋ ଜୀବନ ବଞ୍ଚାଇ ଦେବ ତେବେ କହିବି ।’’ ସ୍ୱାମୀ ହଁ ଭରିଲେ । ତଥାପି ସ୍ତ୍ରୀ କହିଲେ– ‘‘ମୋ ଦେହ ଛୁଇଁ ସତ୍ୟ କଲେ କହିବି ।’’ ସ୍ୱାମୀ ସେଥିରେ ରାଜିହେବାରୁ ଯାହା ସବୁ ଘଟିଥିଲା ସ୍ତ୍ରୀ ଗୋଟି ଗୋଟି କରି ତାଙ୍କ ଆଗେ କହିଗଲେ । ଏହା ଶୁଣି ବିଚାରକଙ୍କ ମୁଣ୍ଡରେ ସତରେ ଯେମିତି ଆକାଶ ଛିଣ୍ଡିପଡ଼ିଲା । ତଥାପି ସେ ସ୍ତ୍ରୀଙ୍କୁ ଦମ୍ଭଦେଇ କହିଲେ– ‘‘ରାଜାଙ୍କର ଗୋଟିଏ ବୋଲି ପୁଅ । ତାଙ୍କୁ ମାରିବାର ଫଳ ହେଉଛି ଆମେ ସବଂଶ ଫାଶୀପାଇବା । ତଥାପି ସତ୍ୟ କରିଛି, ତୁମକୁ ଯେତେବେଳେ କଥା ଦେଇଛି ନିଶ୍ଚୟ ତୁମର ଜୀବନ ରକ୍ଷା କରିବି ।’’

 

ବିଚାରକ କିଛି ସମୟ ବସି ଚୁପ୍‌ଚାପ୍‌ ଭାବିଲେ । ତା’ପରେ ଉଠି ରାଜକୁମାରଙ୍କ ଶବକୁ କଳା କନାରେ ବାନ୍ଧି ତାହାକୁ କାନ୍ଧରେ ଧରି ବାହାରିଗଲେ । ରାଜକୁମାର ରାତିରେ ଯେଉଁ ଯେଉଁ ଜାଗାକୁ ଯାଏ, ତାହା ତାଙ୍କୁ ଜଣା । ସେ ଶବକୁ ଧରି ଯାଇ ମଦ ଦୋକାନ ପାଖରେ ପହଞ୍ଚିଲେ ।

 

ଦୋକାନ ଦୁଆର ମୁହଁରେ ଶବଟିକୁ କୌଶଳରେ ଠିଆ କରାଇ ଦେଇ କବାଟକୁ ଖଡ଼୍‌ ଖଡ଼୍‌ କଲେ ଓ ସଙ୍ଗେ ସଙ୍ଗେ ସେଠାରୁ ଚୁପ୍‌ ଚାପ୍‌ ଖସିଆସିଲେ ।

 

ମଦ ଦୋକାନୀ ଝରକାରୁ ଚାହିଁ ରାଜକୁମାରଙ୍କୁ ଦେଖି ଦେଇ କହିଲା– ‘ଓ’ ! ରାଜକୁମାର ଆସିଛନ୍ତି, କ’ଣ ଆଜି ବହୁ ଡେରିରେ ।’’ ଏହା କହି ଯେମିତି କବାଟ ଖୋଲି ଦେଇଛି, ସେମିତି ରାଜକୁମାରଙ୍କ ଶବ ତଳେ ପଡ଼ିଗଲା । ଦୋକାନୀ ଦେଖିଲା, ତାଙ୍କ ଦେହରେ ଆଉ ପ୍ରାଣନାହିଁ । ତା’ ଯୋଗୁ ରାଜାଙ୍କ ପୁଅ ମରିଗଲା–ଏହା ଭାବି ସେ ଘାବୁରିଗଲା । କ’ଣ କରିବ ? ତାକୁ ବୁଦ୍ଧି ଦିଶିଲାନାହିଁ । ଭାବି ଭାବି ଠିକ୍‌ କଲା ଏକମାତ୍ର ବିଚାରକ ହିଁ ଭରସା । ଏକା ସେ ହିଁ କିଛି ହେଲେ ବଞ୍ଚିବାର ଉପାୟ କରିପାରିବେ । ଅନ୍ଧାରରେ ସେ ଯାଇ ବିଚାରକଙ୍କ ଘରେ ପହଞ୍ଚି ତାଙ୍କ ଦୁଆର ଖଡ଼୍‌ ଖଡ଼୍‌ କଲା । ଭିତରୁ ବିଚାରକ ବିରକ୍ତିର ସହିତ ପଚାରିଲେ–‘‘କିଏ ସେ ? କ’ଣ ରାତିରେ ଶୋଇବାକୁ ଟିକେ ଦେବନାହିଁ ? ମୁଁ ବର୍ତ୍ତମାନ ଆଉ କୁଆଡ଼କୁ ନ୍ୟାୟ ନିଶାପକୁ ଯାଇପାରିବିନାହିଁ ।’’

 

ତଥାପି ଦୁଆର ବାଡ଼େଇବା ବନ୍ଦ ହେଉନଥାଏ । କିଛିକ୍ଷଣ ପରେ ବିଚାରକ ଆସି ଯେମିତି କବାଟ ଖୋଲିଛନ୍ତି, ମଦ ଦୋକାନୀ ତାଙ୍କ ପାଦତଳେ ପଡ଼ିଯାଇ କହିଲା–‘‘ଆଜ୍ଞା ମରିଗଲି, ମୋତେ ରକ୍ଷାକରନ୍ତୁ । ମୋର ସବୁ ସରିଗଲା ।’’

 

ବିଚାରକ ପଚାରିଲେ–‘କଥା କ’ଣ ? କଥା କ’ଣ ?’ ‘‘ଆଜ୍ଞା, ମୋ ଘର ଦୁଆରେ ରାଜକୁମାର ମରିଗଲେ ।’’ –ମଦ ଦୋକାନୀ କହିଲା ।

 

‘‘ହେ ଭଗବାନ୍‌’’ କହି କପାଳରେ ହାତ ବାଡ଼େଇ ବିଚାରକ କାନ୍ଦିବାକୁ ଲାଗିଲେ ।

 

ହାତ ଯୋଡ଼ିକରି ଦୋକାନୀ କହିଲା– ‘‘ମୋତେ କିଛି ଉପାୟ ବତାନ୍ତୁ । ଯାହା କହିବେ ମୁଁ ତାହା ଆପଣଙ୍କୁ ଦେବି ।’’

 

ଦୋକାନୀକୁ ସାଙ୍ଗରେ ଧରି ବିଚାରକ ତା’ ଦୋକାନ ପାଖକୁ ଆସିଲେ । ଦୋକାନୀ ତାଙ୍କୁ ଦଶ ହଜାର ସୁନା ମୋହର ଦେଲା । ବିଚାରକ ଜାଣନ୍ତି ରାଜକୁମାର ମଦ ପିଇସାରି ପାଖରେ ଥିବା ମାଂସ ‘କବାବ୍‌’ ଦୋକାନକୁ ଯାଆନ୍ତି । ସେ ତା’ର ଶବକୁ ନେଇ ସେହି ‘କବାବ୍‌’ ଦୋକାନ ଆଗରେ ଠିଆକରିଦେଲେ । ଦୋକାନର ଶିକୁଳିକୁ ଖଟ୍‌ ଖଟ୍‌ କରି ସେଠାରୁ ଖସି ଘରକୁ ଚାଲି ଆସିଲେ । କବାବ୍‌ ଦୋକାନୀ ଦରଜା ଖୋଲି ଯେମିତି ରାଜକୁମାରଙ୍କୁ ଛୁଇଁଛି ସେ ସଙ୍ଗେ ସଙ୍ଗେ ତଳକୁ ଗଡ଼ିପଡ଼ିଲେ । ଏହା ଦେଖି କବାବ୍‌ ଦୋକାନୀର ମୁଣ୍ଡ ଘୂରିଗଲା । କିପରି ଏ ଦୋଷରୁ ରକ୍ଷାପାଇବ ! ତାକୁ କିଛି ବୁଦ୍ଧି ପଇଟିଲା ନାହିଁ । ଭାବି ଭାବି ସେ ମଧ୍ୟ ଯାଇ ବିଚାରକଙ୍କ ଦୁଆରେ ପହଞ୍ଚିଲା । ବିଚାରକ ତାହାଠାରୁ ସବୁକଥା ଶୁଣିଲେ; ମାତ୍ର ଏ ବିଷୟରେ କିଛି କରିପାରିବେନାହିଁ ବୋଲି ପ୍ରଥମରୁ ମନା କରିଦେଲେ । ତଥାପି ଦୋକାନୀ ତାଙ୍କୁ ବହୁତ ନେହୁରା ହେଲା । ଶେଷକୁ ଦଶହଜାର ସୁନା ମୋହରଦେଲା । ବିଚାରକ ତା’ ଦୋକାନକୁ ଆସି ସେଠାରୁ ରାଜକୁମାର ଶବକୁ ନେଇ ବେଶ୍ୟା ଘର ନିକଟରେ ପହଞ୍ଚିଲେ ।

 

ବେଶ୍ୟାଘର ସାମନାରେ ସେହିପରି ରାଜକୁମାର ଶବକୁ ଠିଆକରିଦେଇ ଆପଣା ଘରକୁ ଚାଲିଆସିଲେ । ବେଶ୍ୟା ଆସି ଯେମିତି ରାଜକୁମାରଙ୍କ ଶବକୁ ଛୁଇଁଛି ସେ ଗଡ଼ି ପଡ଼ିଲା । ବିଚରା ବେଶ୍ୟାଟି ଆଉ କ’ଣ କରିବ ? ସେ ମଧ୍ୟ ସେହି ରାତି ଅନ୍ଧାରରେ ଆସି ବିଚାରକଙ୍କ ଦୁଆରେ ପହଞ୍ଚିଲା । ବିଚାରକ କହିଲେ–‘‘ମୁଁ ରାତିରେ କୌଣସି ବେଶ୍ୟାଘରକୁ ଯାଇପାରିବି ନାହିଁ ।’’ ବେଶ୍ୟା ତାଙ୍କ ପାଦତଳେ ପଡ଼ି ବହୁତ ନେହୁରା ହେଲା । ଲକ୍ଷେ ସୁନାମୋହର ଦେବ ବୋଲି କହିବାରୁ ବିଚାରକ ତା’ ଦୁଆରକୁ ଆସିଲେ । ସେହି ଶବକୁ ସେ ତା’ ଦୁଆରୁ ନେଇ ବାହାରି ପଡ଼ିଲେ; କିନ୍ତୁ ଯିବେ କୁଆଡ଼େ ? ଭାବି ଭାବି ସେ ରାଜମହଲ ଆଡ଼କୁ ଚାଲିଲେ । ଫାଟକ ପାଖରେ ପହଞ୍ଚି ଶୁଣିବାକୁ ପାଇଲେ ରାଜାରାଣୀ ପୁଅ ଏତେ ରାତିଯାଏ ନ ଫେରିବାରୁ କଥାବାର୍ତ୍ତା ହେଉଛନ୍ତି ।

 

ରାଣୀ କହିଲେ–‘‘ତୁମେ କାହିଁକି ପୁଅକୁ ବାହା କରାଇ ଦେଉନାହଁ ? ଏମିତି ସେ ରାତିଯାକ ଖରାପ ସ୍ତ୍ରୀମାନଙ୍କ ମେଳରେ କଟାଇବାଟା କ’ଣ ଭଲ ହେଉଛି ?’’

 

‘‘ସେଇଟା କୁଳାଙ୍ଗାର । ତା’ ମୁହଁ ଚାହିଁବାକୁ ମୋର ଇଚ୍ଛା ହେଉନାହିଁ । ଏମିତି ପୁଅ ଥିବାଠାରୁ ନଥିବା ଭଲ ।’’

 

ବିଚାରକ ଏକଥା ଶୁଣୁଥାନ୍ତି । ସଙ୍ଗେ ସଙ୍ଗେ ସେ ରାଜକୁମାରଙ୍କ ଅଣ୍ଟାରୁ ଚାଦରଟି ଖୋଲିଦେଲେ ଓ ତାହାକୁ ଶବର ବେକରେ ବାନ୍ଧି ସିଂହଦ୍ୱାର ସାମନାରେ ଥିବା ଗଛ ଡାଳରେ ଝୁଲାଇଦେଲେ । ତା’ପରେ ଚୁପ୍‌ ଚାପ୍‌ ଆସି ନିଜ ଘରେ ଶୋଇପଡ଼ିଲେ ।

 

କିଛି ସମୟ ଗଲା । ଏଣେ ରାଜକୁମାର ନ ଫେରିବାରୁ ରାଣୀ ରାଜାଙ୍କୁ କହିଲେ– ‘‘ତୁମେ ଟିକେ ବାହାରକୁ ଯାଇ ଦେଖ, ପୁଅଟା କାହିଁକି ଏ ପର୍ଯ୍ୟନ୍ତ ଫେରିଲାନାହିଁ !’’ ରାଣୀଙ୍କ ଅନୁରୋଧରେ ରାଜା ସିଂହଦ୍ୱାର ଖୋଲି ବାହାରକୁ ଆସିଲେ । ସାମନା ଗଛକୁ ଚାହିଁଦେଇ ତାଙ୍କର ହାଲୁକ ଶୁଖିଗଲା । ରାଣୀ ଧାଇଁ ଆସିଲେ । ମୁଣ୍ଡ ବାଡ଼େଇ କାନ୍ଦି ସ୍ୱାମୀଙ୍କୁ କହିଲେ– ‘‘ପୁଅ ନିଶ୍ଚୟ ତୁମ କଥା ଶୁଣିଛି । ତା’ର ତ ଜୀବନକୁ ମାୟା ନଥିଲା । ସେହି ରାଗରେ ସେ ଗଛରେ ଦଉଡ଼ି ଲଗାଇଦେଇଛି ।’’

 

ରାଜା କହିଲେ–‘‘ହଉ ତୁମେ ଏତେ ଜୋରରେ ପାଟି କରନା, ଏକଥା ଜାଣିଲେ ଆମର ନିନ୍ଦା । ଏବେ କ’ଣ କରିବା ?’’

 

ରାଣୀ କାନ୍ଦୁ କାନ୍ଦୁ କହିଲେ–‘‘ମୁଁ କହୁଛି ବିଚାରକଙ୍କୁ ଡକାଇ ପଠାଅ ।’’

 

କାଳେ କଥା ପ୍ରଘଟ ହୋଇଯିବ । ଏଣୁ ରାଜା ନିଜେ ବିଚାରକଙ୍କୁ ଡାକିବାକୁ ବାହାରିଲେ । ବିଚାରକଙ୍କ ଦୁଆରେ ଖଟ୍‌ ଖଟ୍‌ କରିବାରୁ ବିଚାରକ ଘରୁ ଚିଡ଼ିଉଠି କହିଲେ–‘‘ସବୁବେଳେ ଖାଲି ନ୍ୟାୟ, ନିଶାପ ! ମୋତେ କ’ଣ ଟିକେ ଶାନ୍ତିରେ ବି ଶୁଆଇ ଦେବନାହିଁ ?’’ ଏହାକହି ଆସି ଦରଜା ଖୋଲିଲେ । ରାଜାଙ୍କୁ ଦେଖିବାମାତ୍ରେ ତାଙ୍କ ପାଦତଳେ ପଡ଼ି କିଛି ନ ଜାଣିବା ଭଳି ପଚାରିଲେ–‘‘ଆପଣ କାହିଁକି ଏତେବେଳେ ?’’

 

ରାଜା ତାଙ୍କୁ ପୁଅର ଯାହା ହୋଇଛି ସେଇକଥା ଫିଟାଇ କହିଲେ । ଶେଷରେ କାନ୍ଦି କାନ୍ଦି କହିଲେ, ଯାହା ହେବାର ତ ହେଲା । ମୋତେ ଏ ବଦ୍‌ନାମରୁ ରକ୍ଷାକର । ମୁଁ ତୁମକୁ ଯଥେଷ୍ଟ ପୁରସ୍କାର ଦେବି । ବିଚାରକ ଆଖି ପୋଛୁ ପୋଛୁ କହିଲେ–‘‘ହଉ ଚାଲନ୍ତୁ । ଆପଣଙ୍କ ମାନ୍‌ କ’ଣ ମୋର ମାନ୍‌ ନୁହେଁ ?’’

 

ଦୁହେଁ ଆସି ରାଜମହଲରେ ପହଞ୍ଚିଲେ । ରାଜକୁମାରଙ୍କ ଶବକୁ ବାହାରୁ ଅଣାଇ ଘର ଭିତରେ ଶୁଆଇ ଦିଆଗଲା । ବିଚାରକ ରାଜାଙ୍କୁ କହିଲେ–‘‘ଏବେ ରାଜ୍ୟରେ ପ୍ରଚାର କରିଦିଅନ୍ତୁ–କୁମାରଙ୍କୁ ଭୀଷଣ ପେଟବ୍ୟଥା ହେଉଛି ଓ ତାଙ୍କୁ ଔଷଧ ଦିଆହେଉଛି । ପୁଣି ସକାଳେ ଘୋଷଣା କରିଦେବେ ଔଷଧରେ କିଛି ଫଳ ହେଲାନାହିଁ, ରାଜକୁମାର ଆମକୁ ଛାଡ଼ି ଚାଲିଗଲେ ।’’

 

ପରାମର୍ଶ ଅନୁଯାୟୀ ସେଇଆ ପ୍ରଚାର କରାଗଲା । ରାଜାଙ୍କର ମାନ୍‌ ରହିଲା । ରାଜାଙ୍କଠାରୁ ପୁରସ୍କାର ନେଇ ବଚାରକ ଆପଣା ଘରକୁ ଫେରିଲେ । ସ୍ତ୍ରୀଙ୍କୁ ପଚାରିଲେ–‘‘କଥା ଦେଇଥିଲି, ସତ୍ୟ କରିଥିଲି, ତା ମୁଁ ପାଳିଛି ନା ନାହିଁ ?

 

ସ୍ତ୍ରୀ ତାଙ୍କ ପାଦତଳେ ପଡ଼ି କହିଲେ–‘‘ମୋର ଭୁଲ୍ ହୋଇଛି । ତୁମେ ମୋତେ ବଞ୍ଚାଇ ଦେଲ ।’’ ସେଇଦିନଠାରୁ ନ୍ୟାୟ ନିଶାପ ଯୋଗୁ ସ୍ୱାମୀଙ୍କର ଘରକୁ ଫେରିବାରେ ବିଳମ୍ବ ହେଲେ ସେ ଆଉ ସ୍ୱାମୀଙ୍କ ଉପରେ ଚିଡ଼ନ୍ତି ନାହିଁ ।

 

(ରାଜସ୍ଥାନ)

Image

 

ଅତି ଗର୍ବର ଫଳ

 

ରାଜସ୍ଥାନରେ ଜଣେ ରାଜା ଥିଲେ । ତାଙ୍କ ନାଁ କମଳ ସିଂହ । ରାଜ୍ୟଟି ତାଙ୍କର ଛୋଟ ହେଲେ ବି ଧନ ଧାନ୍ୟରେ ପୂରି ହସି ଉଠୁଥିଲା । କମଳ ସିଂହ ଥିଲେ ଖୁବ୍‌ ସାହସୀ ଓ ଉଚ୍ଚାଭିଳାଷୀ । ନିଜ ସୈନ୍ୟବାହିନୀକୁ ସେ ଖୁବ୍‌ ଶକ୍ତିଶାଳୀ କରିଥିଲେ; ତେଣୁ ତାଙ୍କ ନାମ ଖୁବ୍‌ ବିଖ୍ୟାତ ହୋଇଥିଲା; ମାତ୍ର ଏତେ ଶକ୍ତିଶାଳୀ ଓ ଧନବାନ୍‌ ହେଲେ ହେଁ ସେ ଥିଲେ ନିର୍ବୋଧ ଓ ଉଦ୍ଧତ ।

 

ଥରେ କାଶ୍ମୀର ଦେଶରୁ ଦଳେ ବେପାରୀ ତାଙ୍କ ଦେଶକୁ ବେପାର କରିବାକୁ ଆସିଥିଲେ । ସେମାନେ ଆଣିଥିଲେ ଗୁଡ଼ିଏ ଜାଫ୍ରାନ କେଶର । ସେଗୁଡ଼ିକୁ ବିକିବା ଲାଗି ସେମାନେ ରାଜାଙ୍କ ପାଖକୁ ନେଲେ । ଧନଯୋଗୁ ରଜାଙ୍କ ଅହଂକାରର ସୀମା ନଥିଲା । ଆପଣା ଧନର ପ୍ରାଚୁର୍ଯ୍ୟ ଜଣାଇ ଦେବାପାଇଁ ସେ ବେପାରୀମାନଙ୍କଠାରୁ ସବୁତକ ଜାଫ୍ରାନ କେଶର କିଣିନେଲେ ଓ ସେଗୁଡ଼ିକୁ ସଙ୍ଗେ ସଙ୍ଗେ ଗଡ଼ଖାଇ ଭିତରକୁ ଫିଙ୍ଗିଦେବାକୁ ଆଦେଶଦେଲେ ।

 

ରାଜାଙ୍କର ଏପରି ଅହଂକାର ଲକ୍ଷ୍ମୀଦେବୀ ସହିପାରିଲେ ନାହିଁ । ମୂର୍ଖ ରାଜାଙ୍କୁ ସେ ଉଚିତ୍‌ ଶିକ୍ଷାଦେବାକୁ ଠିକ୍‌ କଲେ । ରାଜାଙ୍କ ମନକୁ ସେ ଜୁଆ ଖେଳରେ ଲଗାଇଦେଲେ । ଜୁଆ ଖେଳରେ ମାତି ରାଜା ଅଳ୍ପ କେତେ ମାସ ମଧ୍ୟରେ ଆପଣାର ଧନ ସମ୍ପତ୍ତି ହରାଇଲେ । ଶେଷକୁ ନିଜର ରାଜ୍ୟଟି ମଧ୍ୟ ହରାଇ ବସିଲେ । ସହାୟ ସମ୍ବଳହୀନ ହୋଇ ଲାଜରେ ସେ ଆଉ ମୁହଁ ଦେଖାଇ ପାରିଲେ ନାହିଁ । ଦିନେ ବାଧ୍ୟ ହୋଇ ନିଜ ପୁଅ ବୋହୂଙ୍କ ସହିତ ସେ ରାଜ୍ୟ ଛାଡ଼ି ଚାଲିଗଲେ । ତାଙ୍କ ପୁଅ ନାମ ଅଶ୍ୱିନୀ କୁମାର, ବୋହୂ ନାମ ଦକ୍ଷିଣା । ପୁଅ ବୋହୂଙ୍କ ଦୁଃଖ ମଧ୍ୟ କହିଲେ ନସରେ ।

 

ରାଜା ଓ ତାଙ୍କ ପୁଅ ବୋହୂଙ୍କର ପାଦରେ ଚାଲିବାର ଅଭ୍ୟାସ ନଥିଲା । ବହୁଦିନ ଚାଲି ଚାଲି ସେମାନେ ଥକିଗଲେ । ଶେଷରେ ସେମାନେ ଆସି ଜଣେ ରାଜାଙ୍କ ରାଜ୍ୟରେ ପହଞ୍ଚିଲେ । ସେଇଠି ଆଶ୍ରୟ ନେଲେ । ଭାବିଲେ ଆଉ ଦୂରକୁ ଯାଇ କି ଲାଭ ? ଏଇଠି ରହିବା, ଯାହା ଆମ ଭାଗ୍ୟରେ ଥିବ । ଏହା ସ୍ଥିର କରି ରାଜାଙ୍କ ନଅରଠାରୁ ଅଳ୍ପଦୂରରେ ଗୋଟିଏ କୁଡ଼ିଆ ଘର କରି ସେଠାରେ ରହିଲେ । ନିଜେ ନ ଖଟିଲେ କିଏ ବା ସେମାନଙ୍କୁ ସବୁଦିନ ଖାଇବାକୁ ଦେବ ? ରାଜା ଓ ତାଙ୍କ ପୁଅ ମଜୁରି ଲାଗିଲେ । କେଉଁଦିନ ପଥର ହାଣିଲେ ତ କେଉଁଦିନ ବୋଝ ବୋହିଲେ ବା ପାଣି ବୋହିଲେ । ଏମିତି ମୁଣ୍ଡ ଝାଳ ତୁଣ୍ଡରେ ମାରି ପେଟ ପୋଷିଲେ ।

 

ଏଣେ ବୋହୂ ଦକ୍ଷିଣା ସ୍ୱାମୀ ଶ୍ୱଶୁରଙ୍କ ସେବା କରୁଥାଏ । ଦେଖିବାକୁ ସେ ଯେମିତି ସୁନ୍ଦରୀ, ସେମିତି ଗୁଣର । ଏତେ ଦୁଃଖରେ ବି ମନ ତା’ର ଭାଙ୍ଗିଯାଇ ନଥାଏ । ସବୁବେଳେ ସେ ଘର କାମରେ ଲାଗିଥାଏ । ଦିନେ ସେ ତା’ ସ୍ୱାମୀ ଓ ଶ୍ୱଶୁରଙ୍କୁ କହିଲା– ‘‘ଆପଣ କାମକୁ ଯାଉଛନ୍ତି । ଫେରିଲାବେଳେ ସବୁଦିନ କିଛି ହେଲେ ଗୋଟାଏ ଜିନିଷ ଘରକୁ ଆଣିବେ ।’’ ରାଜା ଓ ପୁଅ ଏଥିରେ ରାଜି ହେଲେ । ସବୁଦିନ ଫେରିଲା ବେଳକୁ ଯାହା ପାଇଲେ ଆଣିବାକୁ ଲାଗିଲେ । କେଉଁଦିନ ଇଟାଟାଏ ଓ କେଉଁଦିନ କାଠ ଖଣ୍ଡେ, କେଉଁଦିନ ଭଙ୍ଗାପଥରଟାଏ ତ କେଉଁଦିନ ଫଳଟାଏ । ଏମିତି ସବୁଦିନ ଯାହା ପାଆନ୍ତି ଘରକୁ ଆଣନ୍ତି ।

 

ବାପପୁଅ ଦିନେ ଫେରିଲାବେଳେ ଗୋଟିଏ ମଲା ସାପ ପାଇଲେ । ବୋହୂ କଥା ମାନି ସେଇଟିକୁ ମଧ୍ୟ ସେମାନେ ଘରକୁ ନେଇଆସିଲେ । ଅଶ୍ୱିନୀ ସାପଟିର ଲାଞ୍ଜ ଧରି ଆସି ଘରେ ପହଞ୍ଚିଲା । ସେଇଟା ବା କେଉଁ କାମରେ ଲାଗିବ ? ଏଣୁ ତାକୁ ସେ ଘରର ଚାଳଉପରକୁ ପକାଇଦେଲା ।

 

ତା’ପର ଦିନ ସନ୍ଧ୍ୟାବେଳକୁ କମଳ ସିଂହ ଓ ତାଙ୍କ ପୁଅ କାମ ସାରି ଘରକୁ ଫେରିଥାନ୍ତି । ଦେଖିଲେ, ରାଜ୍ୟର ଲୋକମାନଙ୍କ ଭିତରେ ଚହଳ ପଡ଼ିଯାଇଛି । ନିଜ ନିଜ ଭିତରେ ଲୋକେ କ’ଣ ସବୁ କଥାବାର୍ତ୍ତା ହେଉଛନ୍ତି । ରାଜା ଜଣକୁ ପଚାରିଲେ–‘‘ହଇଓ ଭାଇ, ଘଟଣା କ’ଣ ?’’

 

ଲୋକଟି କହିଲା– ‘‘ତମେ କ’ଣ ଏକଥା ଶୁଣିନ ?’’ ଆଜି ସକାଳେ ପରା ରାଣୀଙ୍କର ଦାମିକା ହାରଟା ହଜିଯାଇଛି । ସେ ସେଇଟିକୁ ଝରକା ଦାଢ଼ରେ ଥୋଇଥିଲେ । ହଟାତ୍‌ କୁଆଡ଼ୁ ଗୋଟିଏ ଚିଲ ଉଡ଼ିଆସି ସେଇଠି ବସିଥିଲା, ତା’ପରେ ଚିଲଟା କୁଆଡ଼େ ଉଡ଼ି ପଳାଇଲା । ସେତିକିବେଳୁ ରାଣୀଙ୍କ ହାରଟି ମିଳୁନି । ରାଜା ଘୋଷଣା କରିଛନ୍ତି–‘‘ଯିଏ ଏଇ ହାରଟି ପାଇ ଆଣିଦେବ, ତାକୁ ବହୁତ ପୁରସ୍କାର ଦିଆଯିବ ।’’

 

କମଳ ସିଂହ ଓ ଅଶ୍ୱିନୀ ଯାଇ ଘରେ ପହଞ୍ଚିଲେ । ଦକ୍ଷିଣାକୁ ରାଣୀଙ୍କର ହାର ବିଷୟ କହିଲେ । ଏହା ଶୁଣିବା ମାତ୍ରେ ସେ ଆଶ୍ଚର୍ଯ୍ୟ ହୋଇ କହିଲା–‘‘ଓଃ, ମୁଁ ତେବେ ଯେଉଁଟି ପାଇଛି, ସେଇଟି ରାଣୀଙ୍କ ହାର ।’’ ବାପ ପୁଅ ଦୁହେଁ ଆଶ୍ଚର୍ଯ୍ୟ ହୋଇ ଏକା ବେଳକେ ପଚାରିଲେ–‘‘ରାଣୀଙ୍କ ହାର ତୁମେ କିପରି ପାଇଲ ?’’

 

ଦକ୍ଷିଣା ସ୍ୱାମୀଙ୍କୁ କହିଲା– ‘‘ହଁ ମୁଁ ଠିକ୍‌ କହୁଛି, ଯେଉଁଟି ମୁଁ ପାଇଛି ସେଇଟି ରାଣୀଙ୍କ ହାର । ଆଉ ଏ ବିଷୟରେ ମୁଁ ତୁମକୁ କିଛି କହିବାକୁ ଚାହେନାହିଁ । ତୁମେ ଏବେ ରାଣୀଙ୍କ ନଅରକୁ ଯାଇ ପୁରସ୍କାର କ’ଣ ମିଳିବ ବୁଝିଆସ ।’’

 

ଅଶ୍ୱିନୀ ସଙ୍ଗେ ସଙ୍ଗେ ପ୍ରାସାଦକୁ ଯାଇ ମନ୍ତ୍ରୀମାନଙ୍କୁ ପଚାରିଲା, ‘‘ଆଜ୍ଞା, ଯଦି ଜଣେ ହାରଟିକୁ ପାଇ ଆଣିଦିଏ, ତାକୁ କି ପୁରସ୍କାର ମିଳିବ ?’’ ମନ୍ତ୍ରୀମାନେ ମଧ୍ୟ ଏକଥା ଜାଣିନଥିଲେ । ସେମାନେ ରାଜାଙ୍କୁ ଯାଇଁ ପଚାରିଲେ । ରାଜା କହିଲେ– ‘‘ଲୋକଟିକୁ କହିଦିଅ ସେ ଯାହା ଚାହିଁବ, ତାକୁ ତାହା ଦିଆଯିବ ।’’

 

ଅଶ୍ୱିନୀ ଘରକୁ ଫେରିଆସି ସ୍ତ୍ରୀକୁ ସେଇଆ କହିଲା ।

 

ଦକ୍ଷିଣା କହିଲା– ‘‘ତେବେ ଶୀଘ୍ର ଚାଲ ରାଜାଙ୍କ ପାଖକୁ ଯିବା ।’’ ଦକ୍ଷିଣା ଓ ତା ସ୍ୱାମୀ ନଅରକୁ ଯାଇ ରାଜା ଓ ରାଣୀଙ୍କ ପାଖେ ପହଞ୍ଚିଲେ । ଦକ୍ଷିଣା ନମସ୍କାର କରି ହାରଟିକୁ ରାଣୀଙ୍କୁ ଦେଇ କହିଲା–‘‘ଏଇ ହାରଟି ଆପଣଙ୍କର ହଜିଯାଇଥିଲା ତ ?’’

 

ଉତ୍କଣ୍ଠାର ସହିତ ରାଣୀ କହିଲେ– ‘‘ହଁ ଏଇ ହାରଟି । ତମେ ଏଇ ହାରଟି କେଉଁଠୁ ପାଇଲ ?’’

 

ଦକ୍ଷିଣା କହିଲା– ‘‘ମୁଁ ଆଜି ସକାଳେ ଆମ କୁଡ଼ିଆ ଦୁଆରେ ଛିଡ଼ା ହୋଇଥିଲି । ଚିଲଟିଏ କୁଆଡ଼ୁ ଉଡ଼ିଆସି ଆମ ଚାଳରେ ବସିଲା । ତା’ ଥଣ୍ଟରେ ଏଇ ହାରଟି ଥିଲା । ଆମ ଚାଳ ଉପରେ ମଲା ସାପଟିଏ ଦେଖି ଚିଲଟା ହଠାତ୍‌ ଡରରେ ଉଡ଼ି ପଳାଇଲା । ସେତିକିବେଳେ ତା’ ଥଣ୍ଟରୁ ଏଇ ହାରଟା ଗଳି ପଡ଼ିବାର ମୁଁ ଦେଖିଲି ।’’

 

ରାଣୀ କହିଲେ– ‘‘ତୁମେ ବାସ୍ତବିକ ଭାଗ୍ୟବତୀ ।’’ ଏପରି ଗୋଟିଏ ଅଦ୍ଭୁତ ଘଟଣା ଘଟିବ ବୋଲି ମୁଁ ଭାବି ନ ଥିଲି । ହଉ ଏବେ ତୁମେ କି ପୁରାସ୍କାର ନେବ କୁହ ?’’ ତୁମ କାର୍ଯ୍ୟରେ ମୁଁ ଅତି ଆନନ୍ଦିତ ।’’

 

ଦକ୍ଷିଣା କହିଲା– ‘‘ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ; ମାତ୍ର ମୁଁ ଆପଣଙ୍କୁ କ’ଣ ବା ମାଗିବି ? ମୋର ଧନ ସମ୍ପତ୍ତି ବା ରାଜ୍ୟ ଲୋଡ଼ାନାହିଁ, ମୁଁ ଖାଲି ଏତିକି ମାତ୍ର ଚାହୁଁଛି, ଆସନ୍ତା ଦୀପାବଳୀ ଦିନ ଆପଣଙ୍କ ଉଆସ ବା ସହରରେ କେହି ଦୀପ ଜାଳି ପାରିବେନି । ଯଦି କେହି ବତି ଜାଳିବାକୁ ଚାହିଁବେ, ତେବେ ସେମାନେ କେବଳ ମୋରି ଘରେ ଆସି ଜଳାଇବେ ।’’

 

ସ୍ତ୍ରୀ ଲୋକଟିର ଏପରି ଅଦ୍ଭୁତ ପ୍ରାର୍ଥନା ଶୁଣି ରାଜା ରାଣୀ ଆଶ୍ଚର୍ଯ୍ୟ ହୋଇଗଲେ ! ବିଚିତ୍ର କଥା ! ଦୀପାବଳୀ ଦିନ ଉଆସରେ ପୁଣି ଦୀପ ଜଳିବନି ? ମାତ୍ର ସେ ତ ପୂର୍ବରୁ ଘୋଷଣା କରିଛନ୍ତି । ତାଙ୍କୁ ସତ୍ୟ ରକ୍ଷାକରିବାକୁ ହେବ । ଦକ୍ଷିଣାର ପ୍ରାର୍ଥନା ପୂରଣ କରିବାକୁ ସେ ବାଧ୍ୟହେଲେ ।

 

ସାରା ରାଜ୍ୟରେ ନାଗରା ପିଟି ଘୋଷଣା କରାଗଲା–‘‘ଦୀପାବଳୀ ଦିନ କେହି ନିଜ ଘରେ ଦୀପ ଜାଳିବେନାହିଁ । କେବଳ ଦକ୍ଷିଣାର କୁଡ଼ିଆ ପାଖରେ ବତି ଜଳିବ ।’’

 

କିଛିଦିନ ପରେ ଦୀପାବଳୀ ଆସିଲା । ଦକ୍ଷିଣାର ସେଇ କୁଡ଼ିଆ ଘର ଛଡ଼ା ସହରର ଆଉ କେଉଁ ଘରେ ଦୀପ ଜଳିଲାନାହିଁ, ସଂଧ୍ୟା ହେବା ପରେ ଧନର ଅଧିକାରିଣୀ ମହାଲକ୍ଷ୍ମୀ ସହରକୁ ବିଜେକଲେ । ଆସି ଦେଖିଲେ ଛାରିଆଡ଼ ଅନ୍ଧାର ହୋଇଛି । ଏଥିରେ ସେ କାହା ଘରକୁ କିପରି ଯିବେ ?

 

ଦୂରକୁ ଚାହିଁ ଦେଖିଲେ, ସହର ଶେଷରେ ଗୋଟିଏ କୁଡ଼ିଆ ଘରେ ଅନେକ ଦୀପ ଜଳୁଛି । କୁଡ଼ିଆ ଘରଟି ସୁନ୍ଦର ଭାବେ ଆଲୋକିତ ହୋଇଛି ।

 

ସେ ସେଠାକୁ ବିଜେକଲେ । ଭାବିଲେ ସେଇଠି ରାତିଟା କଟେଇବେ । ତେଣେ ଦକ୍ଷିଣା ଜାଣେ ଲକ୍ଷ୍ମୀ ଠାକୁରାଣୀ ମୋ ଘରକୁ ନିଶ୍ଚୟ ଆସିବେ । ସେଥିପାଇଁ ସେ ଗୋଟିଏ ଠେଙ୍ଗାଧରି ଦୁଆର ମୁହଁରେ ଛିଡ଼ା ହୋଇଥାଏ ।

 

ଲକ୍ଷ୍ମୀ ଠାକୁରାଣୀ ଯେମିତି ତା’ ଘର ଭିତରକୁ ଯିବାକୁ ବାହାରିଲେ, ଦକ୍ଷିଣା ଖୁବ୍‌ ଟାଣହୋଇା କହିଲା–‘‘ଖବରଦାର୍‌ ! ତୁମେ କିଏ ? ମୋ କୁଡ଼ିଆ ଭିତରକୁ ତୁମେ କାହିଁକି ଯାଉଛ ?’’

 

ମହାଲକ୍ଷ୍ମୀ ଶଙ୍କିଯାଇ କହିଲେ– ‘‘ତମେ ତ ଆଚ୍ଛା ସ୍ତ୍ରୀ ଲୋକ । ତୁମ କୁଡ଼ିଆଟି ଛଡ଼ା ସହରଯାକ ଏପରି ଅନ୍ଧାର ହୋଇଛି କାହିଁକି ? ଆଚ୍ଛା ହେଉ, ମୁଁ ପରା ମହାଲକ୍ଷ୍ମୀ । ମୁଁ ତୁମକୁ ଆଶୀର୍ବାଦ ଦେବାକୁ ଆସିଛି । ଅଥଚ ତୁମେ ମୋତେ ଘରେ ପଶିବାକୁ ଦେଉନ ?’’

 

ଦକ୍ଷିଣା ନରମ କଣ୍ଠରେ କହିଲା– ‘‘ଆପଣଙ୍କୁ ମୁଁ କାହିଁକି ମୋ ଘରେ ପଶିବାକୁ ଦେବି ? ଆପଣ ଆମକୁ କେଉଁ ଭଲରେ ରଖିଛନ୍ତି । ଆପଣ ତ ଟିକେ ହେଲେ ଦୟା କଲେନାହିଁ । ଆପଣ ନିର୍ଦ୍ଦୟ ହେବାରୁ ଏବେ ଆମେ ଅତି ଦୁଃଖ କଷ୍ଟରେ କାଳ କାଟୁଛୁ ।

 

ଲକ୍ଷ୍ମୀ କହିଲେ– ‘‘ଆଚ୍ଛା ହେଉ, ମୋତେ ଆଜି ରାତିଟା ତୁମ କୁଡ଼ିଆରେ ରହିବାକୁ ଦିଅ । ମୁଁ ତୁମର ସବୁ ଦୁଃଖ ଦୂର କରିଦେବି । ହରେଇଥିବା ରାଜ୍ୟ ତୁମ ଶ୍ୱଶୁର ଫେରିପାଇବେ ।’’

 

ଦକ୍ଷିଣା ମନରେ ହସ ଫୁଟିଉଠିଲା । ସେ ଲକ୍ଷ୍ମୀଙ୍କ ପାଦ ଧୋଇ ତାଙ୍କୁ କୁଡ଼ିଆ ଭିତରକୁ ନେଇଗଲା । ଲକ୍ଷ୍ମୀ ରାତିଟି ସେଇଠି କଟେଇଲେ ଓ କମଳ ସିଂହର ପରିବାରକୁ ଆଶୀର୍ବାଦ କଲେ ।

 

ତା’ ପରଦିନ ସକାଳେ ଦକ୍ଷିଣା ଉଠି ଦେଖିଲା ତା’ର କୁଡ଼ିଆ ଘରଟି ସୁନା, ରୂପା, ହୀରା, ନୀଳା, ମୋତି ମାଣିକ୍ୟରେ ପୂରିଯାଇଛି । କମଳ ସିଂହ ପୁଅ ବୋହୂଙ୍କୁ ନେଇ ନିଜ ରାଜ୍ୟକୁ ଫେରିଲେ । ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସେମାନଙ୍କ ମନରେ ଆଉ ଅହଙ୍କାର ନଥିଲା, ଦକ୍ଷିଣାଯୋଗୁଁ ସେ ଯାହା ସବୁ ହରାଇଥିଲେ ଫେରି ପାଇଲେ ।

 

(ରାଜସ୍ଥାନ)

Image

 

ସପନ ଗଛ

 

ରାଜାଙ୍କର ଦୁଇଟି ରାଣୀ । ବଡ଼ ରାଣୀର ଚାରି ପୁଅ, ସାନ ରାଣୀଙ୍କର ଗୋଟିଏ । ରାଜା ପାଞ୍ଚ ପୁଅଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି; କିନ୍ତୁ ସାନ ପୁଅଟିର ସ୍ୱଭାବ ଥିଲା ସବୁଠାରୁ ଭଲ । ତେଣୁ ରାଜା ତାଙ୍କୁ ବେଶି ଆଦର କରୁଥିଲେ ।

 

ଦିନେ ରାତିରେ ରାଜା ଗୋଟିଏ ବିଚିତ୍ର ସ୍ୱପ୍ନ ଦେଖିଲେ । ସଙ୍ଗେ ସଙ୍ଗେ ସେ ପାଞ୍ଚ ପୁଅଙ୍କୁ ଡାକି କହିଲେ–‘‘ଆରେ ପିଲାଏ, ମୁଁ ଏବେ ସପନରେ ଗୋଟିଏ ବିଚିତ୍ର ଗଛ ଦେଖିଲି । ତା’ର ମୂଳରୁ ଡାଳ ପର୍ଯ୍ୟନ୍ତ ରୂପାରେ ତିଆରି । ଡାଳଗୁଡ଼ିକ ସୁନାର, ପତ୍ର ଗୁଡ଼ିକ ହୀରାର । ସେଥିରେ ମୋତି ସବୁ ପେନ୍ଥା ପେନ୍ଥା ହୋଇ ଫଳିଛି । ସେଇ ଗଛ ଉପରେ ଶୁଆ ପକ୍ଷୀଟିଏ ବସିଛି । ପକ୍ଷୀଟି ଯେତେବେଳେ ଖୁସିରେ ବୋବାଉଛି, ସେତେବେଳେ ଗଛଟି ସତେଜ ଦିଶୁଛି, ମାତ୍ର ପକ୍ଷୀଟି ଯେତେବଳେ ଦୁଃଖରେ ମୁହଁ ଶୁଖେଇ ଦେଉଛି, ସେତେବେଳେ ଗଛଟି ଝାଉଁଳି ପଡ଼ୁଛି । ଏଇ ସପନ ଗଛଟିକୁ ପାଇବାକୁ ମୋର ଭାରି ଇଚ୍ଛା । ଦୁଇବର୍ଷ ଭିତରେ ତୁମମାନଙ୍କ ଭିତରୁ ଯେ ସେ ଗଛଟିକୁ ଆଣିଦେବ, ମୁଁ ତାକୁଇ ରାଜଗାଦି ଦେବିବୋଲି ଭାବିଛି । ସେଥିପାଇଁ ଟଙ୍କା ସୁନା ଯାହା ଦରକାର ଭଣ୍ଡାରରୁ ତମେ ନେଇପାର ।

 

ବଡ଼ରାଣୀର ଚାରି ପୁଅ ବହୁତ ଧନ ଦଉଲତ ନେଇ ସପନ ଗଛ ଖୋଜିବାକୁ ବାହାରି ପଡ଼ିଲେ । ସେମାନଙ୍କ ପଛେ ସାନ ପୁଅ ମଧ୍ୟ କିଛି ଟଙ୍କା ପଇସା ନେଇ ବାହାରି ପଡ଼ିଲା ।

 

ଯାଉ ଯାଉ ପାଞ୍ଚ ରାଜକୁମାର ଗୋଟିଏ ଜଙ୍ଗଲରେ ପହଞ୍ଚିଲେ । ସେଇଠି ବଡ଼ ଚାରିପୁଅ ସାନ ପୁଅଠାରୁ ସବୁ ଟଙ୍କା ପଇସା ଛଡ଼ାଇ ତାକୁ ଗୋଟେ କୂଅରେ ପକାଇଦେଲେ । କିଛି ଦୂର ଗଲାପରେ ସେମାନେ ଗୋଟିଏ ସହରରେ ପହଞ୍ଚିଲେ । ସେଠିକାର ସବୁଠାରୁ ବଡ଼ ବଣିଆ ପାଖକୁ ଯାଇ ତାକୁ ରାଜାଙ୍କ କହିବା ମତେ ଗଛଟିଏ ଗଢ଼ିଦେବାକୁ ବରାଦକଲେ । ଦଶଲକ୍ଷ ଟଙ୍କାରେ ଗଛଟି ଗଢ଼ିଦେବ ବୋଲି ବଣିଆ କହିବାରୁ ରାଜପୁତ୍ରମାନେ ତାକୁ ଲକ୍ଷେ ଟଙ୍କା ବଇନା ଦେଇ ସେହି ସହରରେ ରହିଲେ ।

 

ଏଣେ ସାନ ରାଜାପୁଅ କୂଅରେ ପଡ଼ି ଛଟ ପଟ ହେଉଥାଏ । ଏହି ସମୟରେ ଦଳେ ଗାଈଆଳ ଟୋକା କୂଅକୁ ପାଣି ପିଇବାକୁ ଆସିଲେ । କୂଅରେ ଜଣେ କିଏ ପଡ଼ିଛି ଦେଖି ସେମାନେ ଦୌଡ଼ି ପକାଇ ଉପରକୁ ଉଠାଇଲେ । ରାଜକୁମାର କହିଲା– ‘‘ଭାଇମାନେ, ତମ ଋଣ ମୁଁ ଶୁଝି ପାରିବିନି ।’’ ସେମାନଙ୍କୁ ଧନ୍ୟବାଦ ଦେଇ ସାନ ରାଜାପୁଅ ଆଗକୁ ଚାଲିଲା । ଗୋଟିଏ ବଣ ପାଖରେ ଦେଖିଲା ଜଣେ ସାଧୁ ଶୋଇଛନ୍ତି । ସାଧୁ ସନ୍ଥଙ୍କ ପ୍ରତି ତା’ର ବହୁତ ଭକ୍ତି । ଶୁଣିଲା, ସେଇ ସାଧୁ ଛଅମାସ ଶୋଇରହନ୍ତି ଓ ଛଅମାସ ଚେଇଁ ରହନ୍ତି । ତାଙ୍କ ଚାରିପାଖେ ଲମ୍ବା ଲମ୍ବା ଘାସ ଉଠି ଯାଇଥାଏ ।

 

ରାଜକୁମାର ଘାସ ସବୁ ପରିଷ୍କାର କରି ସାଧୁଙ୍କ ପାଦ ଆଉଁଷିବାରେ ଲାଗିଗଲା । ନିଦରୁ ଉଠିବାଲାଗି ସାଧୁଙ୍କର ଆଉ ମାତ୍ର ତିନି ଦିନ ବାକିଥାଏ । ତିନି ଦିନ କାଳ ସେ ସାଧୁଙ୍କ ପାଦ ସେବାରେ ଲାଗିରହିଲା ।

 

ସାଧୁ ତିନିଦିନ ପରେ ଆଖି ଖୋଲିଲେ । ରାଜକୁମାର ପାଦସେବା କରୁଛି ଦେଖି ଖୁସି ହୋଇ କହିଲେ–‘‘ଆରେ ପୁଅ, ମୁଁ ଜାଣେନା ତୁ କେଉଁଦିନୁ ମୋ ସେବାରେ ଲାଗିଛୁ । ଏବେ କ’ଣ ବର ମାଗୁଛୁ ମାଗ ।’’

 

ରାଜକୁମାର କହିଲା– ‘‘ମହାରାଜ, ମୁଁ ମୋ ବାପାଙ୍କ ଲାଗି ସପନ ଗଛ ଖୋଜି ବାହାରିଛି ।’’ ଏହା କହି ସେ ରାଜା ଦେଖିଥିବା ସପନ ଗଛ ବିଷୟ ତାଙ୍କୁ ଜଣାଇଲା ।

 

ସାଧୁ କହିଲେ– ‘‘ଆରେ ବାବୁ, ମୁଁ ଜାଣି ନଥିଲି ତୁ ଏପରି କଠିନ ବର ମାଗିବୁ ବୋଲି । ଏପରି ଜିନିଷ ଦେବା ମୋ ଶକ୍ତି ବାହାରେ । ତୁ ମୋ ଗୁରୁଙ୍କ ପାଖକୁ ଯାଆ । ଏଇ ପାଖରେ ତାଙ୍କର କୁଡ଼ିଆ । ସେ ବର୍ଷେ କାଳ ଶୋଇ ରହନ୍ତି । ପୁଣି ବର୍ଷେ କାଳ ଚେଇଁ ରହନ୍ତି । ତାଙ୍କର ଦୟା ହେଲେ ତୋତେ ସପନ ଗଛ ମିଳି ପାରିବ ।’’

 

ସାଧୁଙ୍କୁ ପ୍ରଣାମକରି ସାନପୁଅ ଯାଇ ଗୁରୁଙ୍କ ପାଖେ ପହଞ୍ଚିଲା । ତାଙ୍କ ଶୋଇବା ଜାଗା ପାଖରୁ ବଣ ବୁଦା ସଫାକରି ସେ ପୂର୍ବ ପରି ସାଧୁଙ୍କ ପାଦସେବା କରିବାକୁ ବସିଗଲା ।

 

ସାଧୁଙ୍କ ନିଦ ଭାଙ୍ଗିବାକୁ ଆଉ ତିନିଚାରି ଦିନ ବାକିଥାଏ । ନିଦ ଭାଙ୍ଗିଲାପରେ ରାଜାପୁଅକୁ ତାଙ୍କ ପାଦ ସେବା କରୁଥିବା ଦେଖି ସେ କହିଲେ– ‘‘ଆରେ ବାବୁ, ତୁ କେଉଁଦିନରୁ ମୋ ସେବାରେ ଲାଗିଛୁ ଜାଣେନା । ମୋତେ କି ବର ମାଗୁଛୁ ମାଗ ।’’

 

ରାଜକୁମାର ତାହାଙ୍କୁ ସେଇ ସ୍ୱପ୍ନ ବୃକ୍ଷକଥା କହିଲା ।

 

ସାଧୁ କହିଲେ– ‘‘ଆରେ ଆରେ, ଏ ତ ମୋ ଶକ୍ତିର ବାହାରେ । ଯାହା ହେଉ, ମୁଁ ତୋତେ ତାହା ପାଇବାର ବାଟ ବତେଇ ଦେବି । ଏଠାରୁ ଅଳ୍ପ ଦୂରରେ ମୋ ଗୁରୁ ରହନ୍ତି । ତୁ ତାଙ୍କ ପାଖକୁ ଯାଆ । ସେ ତୋର ଇଚ୍ଛା ନିଶ୍ଚୟ ପୂର୍ଣ୍ଣ କରିଦେବେ । ସେ ଦୁଇବର୍ଷ ଶୁଅନ୍ତି ଓ ଦୁଇବର୍ଷ ଚେଇଁ ରହନ୍ତି । ଏବେ ତାଙ୍କ ନିଦ ଭାଙ୍ଗିବାକୁ ଆଉ ତିନିଚାରି ଦିନ ବାକି ଅଛି ।

 

ସାଧୁଙ୍କୁ ପ୍ରଣାମକରି ରାଜକୁମାର ତାହାଙ୍କ ଗୁରୁଙ୍କ ସ୍ଥାନରେ ପହଞ୍ଚିଲା । ସେଠିକାର ଜଙ୍ଗଲ ଘାସ ସଫାକରି ସେହିପରି ତାଙ୍କର ପାଦସେବା କଲା । ନିଦ ଭାଙ୍ଗିଲା ପରେ ସାଧୁ ଖୁସି ହେଲେ । ରାଜକୁମାରଙ୍କୁ ବର ମାଗିବାକୁ କହିଲେ ।

 

ରାଜକୁମାର ତାଙ୍କୁ ସପନ ଗଛ ବିଷୟ କହିଲା ।

 

ସାଧୁ କହିଲେ– ‘‘ମୋ ପକ୍ଷେ ତୋତେ ଏଇ ବରଦେବା ବି ସହଜ ନୁହେଁ । ତୁ ଚିନ୍ତା କରନା । ମୁଁ ତା’ର ବାଟ ବତେଇ ଦେଉଛି । ଏଇ ପାଖରେ ଗୋଟିଏ ମନ୍ଦିର ଅଛି । ତୁ ସେଠାକୁ ଯାଇ ଠାକୁରଙ୍କୁ ପୂଜାକର । ଠାକୁର ତୋତେ ଗୋଟିଏ ମଣି ଦେବେ । ସେଇ ମଣିକୁ ନେଇ ତୁ ପାତାଳ ପୁରକୁ ଯିବୁ । ପାତାଳପୁରରେ ଦେଖିବୁ ଗୋଟିଏ ରାଜ ମହଲ । ସେଇ ମହଲରେ ରହିଛି ‘ସପନ ଗଛ’ ।

 

ସାଧୁଙ୍କୁ ପ୍ରଣାମ କରି ସାନ ରାଜକୁମାର ସେଇ ଠାକୁରଙ୍କ ମନ୍ଦିରରେ ପହଞ୍ଚିଲା । ନିଷ୍ଠାରେ ଠାକୁରଙ୍କୁ ପୂଜା କରିବାରୁ ଠାକୁର ତାକୁ ଗୋଟିଏ ମଣି ଦେଲେ । ମଣିଟିକୁ ନେଇ ସେ ପାତାଳ ପୁରରେ ପହଞ୍ଚିଲା । ସତକୁ ସତ ସେଇଠି ଦେଖିଲା, ଗୋଟିଏ ସୁନ୍ଦର ରାଜମହଲ । ଫାଟକ ଜଗୁଆଳୀ ପଚାରିଲେ–‘‘ତୁ କିଏ ସେ ? ଏଇଟା ପରୀ ମହଲ । ପରୀଙ୍କ ଆଦେଶ ନ ପାଇଲେ କେହି ଏହା ଭିତରକୁ ଯାଇପାରିବେନି ।’’

 

ରାଜକୁମାର କହିଲା । ‘‘ମୁଁ ମର୍ତ୍ତ୍ୟ ଲୋକରୁ ଆସିଛି । ଗୁରୁଙ୍କ ଆଜ୍ଞା, ମୁଁ ନିଶ୍ଚୟ ଏହା ଭିତରକୁ ଯିବି । ତୁମେ ଯାଇ ଭିତରୁ ବୁଝି ଆସ ।’’

 

ପ୍ରହରୀ ଭିତରରୁ ଯାଇ ପରୀ ରାଣୀଙ୍କୁ ଏଇ କଥା ଜଣାଇଲା, ସେ ଅନୁମତି ଦେବାରୁ ରାଜକୁମାର ଭିତରକୁ ଗଲା । ଦେଖିଲା, ପ୍ରଥମ କୋଠରି ଉପରେ ଲେଖାହୋଇଛି ‘‘ରୂପା ପରୀ ମହଲ’’ ସେଇ ଘର ଭିତରର ସବୁ ଜିନିଷ ରୁପାରେ ତିଆରି । ରାଜକୁମାର ନିର୍ଭୟରେ ରୂପା ପରୀଙ୍କ ନିକଟକୁ ଗଲା । ରୂପା ପରୀ ପଲଙ୍କ ଉପରେ ଶୋଇଥାନ୍ତି । ରାଜ କୁମାରଙ୍କୁ ଦେଖି ସେ ଉଠିପଡ଼ି କହିଲେ–‘ଆରେ ତମେ ଆସିଛ ! ତୁମକୁ ସ୍ୱାମୀ ରୂପେ ପାଇବା ଲାଗି ମୁଁ କେଉଁଦିନୁ ଅପେକ୍ଷା କରି ରହିଛି । ଆଜି ମୋର ବଡ଼ ଭାଗ୍ୟ । ତମେ ଦେବତାଙ୍କ ମଣି ପାଇ ମୋ ପାଖକୁ ଆସିଲ ।’

 

ରାଜକୁମାର କହିଲା– ‘ମୁଁ ତ ଆସିଲି, କିନ୍ତୁ ତୁମର କି ଗୁଣ ଅଛି ତାହାତ ଜାଣେ ନା ।’

 

ରୂପାପରୀ କହିଲା– ‘ମୁଁ ସପନ ଗଛର ଗଣ୍ଡି ହୋଇ ଯାଇପାରିବି ।’

 

ରାଜକୁମାର କହିଲା– ‘ହଉ, ଏବେ ମୁଁ ବେଶି ସମୟ ରହି ପାରୁନି । ଏହା ଭିତରେ ଚାରିଆଡ଼ ବୁଲା ବୁଲି କରି ଗୁରୁଙ୍କ ପାଖକୁ ମୋର ଫେରି ଯିବାର କଥା ।’

 

ରୂପାପରୀ ପାଖରେ ଦିନଟିଏ ରହି ରାଜକୁମାର ସେଇ ମହଲର ଅନ୍ୟ ଆଡ଼କୁ ଦେଖିବାକୁ ଗଲା । ତା’ପରେ ସେ ଯାଇ ଯେଉଁ କୋଠରି ପାଖରେ ପହଞ୍ଚିଲା, ସେଇ ଘର ଉପରେ ଲେଖା ହୋଇଥିଲା ‘ସୁନାପରୀ ମହଲ’ । ସୁନାପରୀ ମହଲର ସବୁ ଜିନିଷ ସୁନାରେ ତିଆରି । ରାଜକୁମାର ସେଇ କୋଠରି ଭିତରକୁ ନିର୍ଭୟରେ ଗଲା ।

 

ସୁନାପରୀ ପଲଙ୍କ ଉପରେ ଶୋଇଥିଲେ । ରାଜକୁମାରଙ୍କୁ ଦେଖି ସେ ଉଠିପଡ଼ି କହିଲେ– ‘‘ଓଃ ତମେ ଆସିଛ ! ତମକୁ ସ୍ୱାମୀ ରୂପେ ପାଇବା ଲାଗି ମୁଁ କେଉଁ କାଳୁ ଅପେକ୍ଷାକରି ରହିଛି । ଭାଗ୍ୟର କଥା, ଠାକୁରଙ୍କ ମଣି ପାଇ ତମେ ଏଠାକୁ ଆସିଲ ।’’

 

ସୁନାପରୀ ରାଜକୁମାରଙ୍କୁ ଆଦରରେ ବସାଇଲା । ରାଜକୁମାର ତା’ର କି ଗୁଣ ଅଛି ବୋଲି ପଚାରିବାରୁ ସେ କହିଲା–‘‘ମୋ ଗୁଣ ହେଉଛି, ରୂପାପରୀ ଯଦି ସପନ ଗଛର ଗଣ୍ଡି ହୋଇଯିବ ତେବେ ମୁଁ ସୁନାର ଶାଖା ହୋଇ ସେଥିରେ ଲାଗିଯିବି ।’

 

ରାଜକୁମାର କିଛିଦିନ ସୁନାପରୀ ପାଖରେ ରହି ମହଲର ଅନ୍ୟ ଅଂଶ ଦେଖିଯିବାକୁ ଇଚ୍ଛାକଲା । ସୁନାପରୀ ତାକୁ ତୃତୀୟ କୋଠରିର ବାଟ ଦେଖାଇଦେଲା । ରାଜାପୁଅ ସେଠାକୁ ଯାଇ ଦେଖିଲା, ସେଠାରେ ଲେଖାହୋଇଛି ‘ହୀରାପରୀ ମହଲ’ । ସେଇ ଘରର ସବୁ ଜିନିଷ ହୀରାରେ ତିଆରି । ରାଜକୁମାର ନିର୍ଭୟରେ ସେଇ କୋଠରି ଭିତରକୁ ଗଲା । ହୀରାପରୀ ସେହିପରି ତାକୁ ଦେଖି ପଲଙ୍କରୁ ଉଠି ସୁନା ଓ ରୁପାପରୀ ଭଳି ଆଦର ସତ୍କାର କଲା ଓ ସ୍ୱାମୀ ଭାବରେ ଗ୍ରହଣ କଲା । ତା’ର କି ଗୁଣ ଅଛି ପଚାରିବାରୁ ସେ କହିଲା–‘‘ମୋ ଗୁଣ ହେଉଛି, ଯଦି ରୁପାପରୀ ସପନ ଗଛର ମୂଳ ଓ ସୁନାପରୀ ତା’ର ଡାଳ ହୋଇଯିବ, ତାହେଲେ ମୁଁ ସେଥିରେ ପତ୍ର ହୋଇ ଲାଗିଯିବି ।

 

ସାନ ରାଜାପୁଅ ଖୁସି ହୋଇ ତା’ ପାଖରେ କିଛିଦିନ ରହିବା ପରେ ତାଠାରୁ ବିଦାୟ ନେଇ ମହଲର ଅନ୍ୟ ଅଂଶ ଦେଖିବାକୁ ବାହାରିଲା ।

 

ହୀରାପରୀ ତାକୁ ମୋତିପରୀର ମହଲ ଦେଖାଇ ଦେଲା । ମୋତିପରୀ ମଧ୍ୟ ରାଜକୁମାରକୁ ସ୍ୱାମୀ ରୂପେ ଗ୍ରହଣ କରିବାକୁ ଆପଣାର ଗୁଣ କହିବାକୁ ଯାଇ କହିଲା–‘ମୁଁ ସପନ ଗଛରେ ମୋତି ପେନ୍ଥା ହୋଇ ଫଳରୂପେ ଲାଗିଯିବି । ରାଜକୁମାର ମୋତିପରୀ ପାଖରେ କିଛିଦିନ ରହି ମହଲର ଶେଷ ଅଂଶ ଦେଖି ଯିବାକୁ ଚାହିଁଲା ।

 

ମୋତିପରୀ ରାଜକୁମାରକୁ ଶୁଆପରୀ ମହଲକୁ ପଠାଇ ଦେଲା । ସେଇ କୋଠରିର ସବୁ ଜିନିଷ ସବୁଜ ରଙ୍ଗର । ରାଜକୁମାର ସେଇ ମହଲକୁ ଯିବାରୁ ଶୁଆପରୀ ମଧ୍ୟ ତାକୁ ସ୍ୱାମୀ ଭଳି ଆଦର କଲା । ତାହାର କି ଗୁଣ ଅଛି ପଚାରିବାରୁ ସେ କହିଲା–‘‘ରୁପାପରୀ, ସୁନାପରୀ, ହୀରାପରୀ ଓ ମୋତିପରୀ ମିଶି ଯଦି ସପନ ଗଛ ତିଆରି କରନ୍ତି, ତେବେ ମୁଁ ଶୁଆଟିଏ ହୋଇ ଯାଇ ସେଇ ଗଛ ଉପରେ ବସିଯିବି । ମୋ ମନ ଖୁସି ରହିଲେ ସେ ଗଛଟି ସତେଜ ଦିଶିବ । ତା’ ନ ହେଲେ ଗଛଟି ଝାଉଁଳି ପଡ଼ିବ ।

 

ରାଜକୁମାର ଶୁଆପରୀ ପାଖେ ଖୁସିରେ କିଛି ଦିନ ରହିବା ପରେ ଦିନେ କହିଲା– ‘ଏଥର ମୋତେ ମୋ ଗୁରୁଙ୍କ ପାଖକୁ ଫେରିଯିବାକୁ ପଡ଼ିବ ।’

 

ଶୁଆପରୀ କହିଲା– ‘ମୋତେ ତେବେ ତୁମ ସାଙ୍ଗରେ ନିଅ । ଶୁଆପରୀକୁ ସାଙ୍ଗରେ ନେଇ ରାଜକୁମାର ମୋତିପରୀ ପାଖକୁ ଆସିଲା । ସେ ମଧ୍ୟ ରାଜକୁମାର ସଙ୍ଗରେ ଯିବାପାଇଁ ଚାହିଁଲା । ଏହିପରି ରାଜକୁମାର ହୀରାପରୀ, ସୁନାପରୀ ଓ ରୁପାପରୀକୁ ନେଇ ଦେଶକୁ ଯିବାକୁ ପାଞ୍ଚିଲା । ପରୀମାନଙ୍କୁ ପାଖରେ ବସାଇ କହିଲା–‘ମୋ ବାପାଙ୍କ ଲାଗି ସପନ ଗଛ ଖୋଜିବାକୁ ଆସି ତୁମ୍ଭମାନଙ୍କ ପାଖେ ପହଞ୍ଚିଲି । ତୁମେ ମୋତେ ସ୍ୱାମୀରୂପେ ଗ୍ରହଣ କରିଛ ଓ ମୁଁ ତୁମକୁ ସ୍ତ୍ରୀ ରୂପେ ଗ୍ରହଣ କରିଛି; ମାତ୍ର ଆଉ ଏଠାରେ ମୁଁ ବେଶି ସମୟ ରହି ପାରିବିନି । ଏଥର ତୁମେ ସମସ୍ତେ ତୁମ ଗୁଣ ଦେଖାଅ । ତା’ପରେ ଆମେ ସମସ୍ତେ ଦେଶକୁ ବାହାରିବା ।

 

ଚାହୁଁ ଚାହୁଁ ମୁହୂର୍ତ୍ତକ ମଧ୍ୟରେ ରୁପାପରୀ, ସୁନାପରୀ, ହୀରାପରୀ ଓ ମୋତିପରୀ ମିଶି ସୁନାଗଛ ହୋଇଗଲେ । ଶେଷକୁ ଶୁଆପରୀ ଉଡ଼ିକରି ଆସି ସେଇ ଗଛର ଶାଖା ଉପରେ ବସିଗଲା । ପାଞ୍ଚପରୀଙ୍କ ଗୁଣ ଦେଖି ରାଜକୁମାର ଭାରି ଖୁସି ହୋଇଗଲା ଓ ସେମାନଙ୍କୁ ସାଙ୍ଗରେ ନେଇ ଗୁରୁଙ୍କ ପାଖରେ ପହଞ୍ଚିଲା ।

 

ଗୁରୁ ତାହାକୁ ଆଶୀର୍ବାଦ କଲେ ଓ ମଣିଟିକୁ ମନ୍ଦିରର ଯେଉଁଠାରୁ ନେଇଥିଲା ସେଠାରେ ରଖିଦେବାକୁ କହିଲେ । ତାଙ୍କର ମଧ୍ୟ ସପନ ଗଛ ରୂପ ଦେଖିବାକୁ ଇଚ୍ଛାହେଲା । ରାଜକୁମାରର ଆଦେଶରେ ପରୀମାନେ ମିଶି ସପନ ଗଛ ତିଆରି କରିଦେଲେ । ସାଧୁ ଏଇ ଆଶ୍ଚର୍ଯ୍ୟ ଗଛ ଦେଖି ଭାରି ଖୁସି ହେଲେ ଓ ତାକୁ ଗୋଟିଏ କୁହୁକ ଲାଠି ଓ ଦଉଡ଼ି ଦେଇ କହିଲେ– ‘‘ଆରେ ବାବୁା ତୁ ତେବେ ତୋ ବାପାଙ୍କ ପାଖକୁ ଯାଇ ତାହାଙ୍କୁ ଏଇ ଗଛ ଦେଖାଇ ଖୁସିକର । ଏଇ ବାଡ଼ି ଓ ଦଉଡ଼ି ଥିଲେ ବାଟରେ କୌଣସି ଶତ୍ରୁ ତୋଠାରୁ ଏଇ ପରୀଙ୍କୁ ନେଇଯାଇ ପାରିବନି ।’’

 

ସାଧୁଙ୍କୁ ପ୍ରଣାମ କରି ରାଜକୁମାର, ପରୀ, ବାଡ଼ି ଓ ଦଉଡ଼ି ନେଇ ଦ୍ୱିତୀୟ ସାଧୁଙ୍କ ପାଖେ ପହଞ୍ଚିଲା । ସେ ମଧ୍ୟ ରାଜକୁମାର ଉପରେ ଖୁସି ହେଲେ ଓ ସପନ ଗଛ ଦେଖିବାକୁ ଇଚ୍ଛାକଲେ; ମାତ୍ର ସପନ ଗଛ ଦେଖିଲା ପରେ ତାଙ୍କର ଲୋଭହେଲା; ସେ ଭାବିଲେ, ମୁଁ ଏତେ ଦିନ ତପସ୍ୟାକରି ମଧ୍ୟ ଏପରି ଆଶ୍ଚର୍ଯ୍ୟ ଜିନିଷଟିଏ ପାଇ ପାରିଲିନାହିଁ । ତାହାକୁ ପାଇବା ଲାଗି ସେ ରାଜକୁମାରକୁ କହିଲେ– ‘‘ଆରେ ବାବୁ, ଏ ପରୀମାନଙ୍କୁ ମୋ ପାଖେ ଛାଡ଼ି ଯା’ । ତୋତୋ ମୁଁ ଏଇ କୁହୁକ କଟରାଟି ଦେଉଛି । ଏହାର ଗୁଣ ହେଉଛି, ତୁ ଯେତେବେଳେ ଏହାକୁ କହିବୁ, ଏଥିରୁ ଅପୂର୍ବ ଖାଦ୍ୟ ବାହାରିବ ।’’

 

ରାଜକୁମାର କହିଲା– ‘‘ମହାରାଜ, ଆପଣଙ୍କ ଅନୁଗ୍ରହରୁ ମୁଁ ଏତେ କଷ୍ଟକରି ଏହାକୁ ପାଇଛି । ତାହାକୁ ମୋ ବାପାଙ୍କୁ ଦେଖାଇବା ଲାଗି ନେଉଛି । ଆପଣ ଏହା ବିବେଚନା କରନ୍ତୁ ।’’ ସାଧୁ ରାଜକୁମାରର କୌଣସି କଥା ଶୁଣିବାକୁ ଚାହିଁଲେନି । ବିଚାରା ରାଜକୁମାର ପାଞ୍ଚପରୀଙ୍କୁ ସେଠାରେ ଛାଡ଼ି ବାଟେ ବାଟେ ବାଡ଼ି ଦଉଡ଼ି ଓ କଟରାକୁ ନେଇ ଆଗକୁ ଚାଲିଲା । ପରୀମାନଙ୍କୁ ଛାଡ଼ିବାକୁ ତ ତା’ର ଆଦୌ ଇଚ୍ଛା ନଥାଏ । କିଛିଦୂର ଯିବା ପରେ ସେ ବାଡ଼ି ଦଉଡ଼ିକୁ ଆଦେଶ ଦେଲା–‘‘ଯାଅ, ସାଧୁଙ୍କୁ ବାନ୍ଧି ପାଞ୍ଚପରୀଙ୍କୁ ନେଇ ଆସ ।’’

 

ବାଡ଼ି ଦଉଡ଼ି ଦୁହେଁ ଯାଇ ସାଧୁଙ୍କୁ କହିଲେ– ‘‘ତୁମ ଗୁରୁଙ୍କ ଆଜ୍ଞା, ଆମେ ରାଜକୁମାରଙ୍କ କଥା ମାନି ଚଳିବୁ !! ପାଞ୍ଚପରୀଙ୍କୁ ଭଲରେ ଫେରାଇ ଦିଅ । ନହେଲେ ଆମେ ଆମ କରାମତି ଦେଖାଇବୁ ।’’

 

ସାଧୁ ବାଡ଼ି ଦଉଡ଼ିକୁ ଦେଖି ଡରିଗଲେ । ସଙ୍ଗେ ସଙ୍ଗେ ପାଞ୍ଚ ପରୀଙ୍କୁ ଫେରାଇ ଦେଲେ । ପରୀମାନଙ୍କୁ ପାଇ ରାଜକୁମାର ସେମାନଙ୍କ ସହିତ ଆସି ଛ’ମାସ ଶୋଇଥିବା ସାଧୁଙ୍କ ପାଖରେ ପହଞ୍ଚିଲା । ସେ ମଧ୍ୟ ସପନ ଗଛ ଦେଖିବାକୁ ଇଚ୍ଛାକଲେ । ରାଜକୁମାର କହିବାରୁ ପରୀମାନେ ମିଶି ତାହାଙ୍କୁ ସପନ ଗଛ ଦେଖାଇଲେ । ଏଇ ଗୁରୁଙ୍କର ମଧ୍ୟ ପରୀଙ୍କୁ ଦେଖି ଲୋଭ ହେଲା । ସେ କହିଲେ– ‘‘ଆରେ ବାବୁ, ତୁ ଏ ପରୀମାନଙ୍କୁ ମୋ ପାଖରେ ଛାଡ଼ି ଦେ’ । ଏମାନଙ୍କ ବଦଳରେ ମୁଁ ତୋତେ କଟରାଟିଏ ଦେଉଛି । ଏହାର ଗୁଣ ଅଦ୍ଭୁତ । ଯେତେବେଳେ ଚାହିଁବୁ ଓ ଯେତେଲୋକଙ୍କ ପାଇଁ ଚାହିଁବୁ ଏଥିରୁ ଦିବ୍ୟ ଖାଇବା ଜିନିଷ ମିଳିପାରିବ ।’’ ସାଧୁଙ୍କୁ ବୁଝାଇବା ସତ୍ତ୍ୱେ ସାଧୁ ନ ବୁଝିବାରୁ ପରୀମାନଙ୍କୁ ସେଠାରେ ଛାଡ଼ି ରାଜକୁମାର ଆଗକୁ ଚାଲିଲା । କିଛି ବାଟ ଗଲାପରେ ବାଡ଼ି ଦଉଡ଼ିକୁ ଆଦେଶ ଦେଲା–‘‘ଶିଘ୍ର ଯାଇ ସାଧୁଙ୍କ ପାଖରୁ ପରୀମାନଙ୍କୁ ନେଇ ଆସ ।’’ ବାଡ଼ି ଦଉଡ଼ି ଯାଇ ସାଧୁଙ୍କ କୁଡ଼ିଆକୁ ଘେରିଗଲେ । ବାଡ଼ି ଦଉଡ଼ିର କରାମତି ସାଧୁଙ୍କୁ ଜଣା । ସଙ୍ଗେ ସଙ୍ଗେ ସେ ପରୀମାନଙ୍କୁ ତାଙ୍କ ଜିମା କରିଗଲେ ।

 

ଦୁଇବର୍ଷ ପୂରିବାକୁ ଅଳ୍ପ କେତେଦିନ ଥାଏ । ଛୋଟ ରାଜକୁମାର ପରୀଙ୍କୁ ନେଇ ଯୋଉ କୂଅରେ ତାକୁ ଭାଇମାନେ ଠେଲି ଦେଇଥିଲେ ସେହିଠାରେ ପହଞ୍ଚିଲା । ସେଇଠି ମୁହଁ ହାତ ଧୋଇ ସେ ବିଶ୍ରାମ କରୁଥାଏ । ଦୂରରୁ ଦେଖାଗଲା, ଚାରିଭାଇ ଘୋଡ଼ାରେ ବସି ଗୋଟିଏ ଦିଗରୁ ଆସୁଛନ୍ତି ।

 

ଚାରିଭାଇ ଆସି ସେଇଠି ପହଞ୍ଚିଲେ । ସେମାନେ ପଚାରିଲେ– ‘‘କିରେ, ତୁ କେଉଁଠାରୁ ଫେରିଲୁ ! ବାପାଙ୍କ ପାଇଁ ସପନ ଗଛ ଆଣିଛୁ ନା ନାହିଁ ?’’

 

ଛୋଟ ରାଜକୁମାର ତ ଅତି ସରଳ; ଛନ୍ଦ କପଟ କ’ଣ ଜାଣେନା ସେ ଭାଇମାନଙ୍କୁ ଯାଇ ଯାହା ଘଟିଥିଲା କହିଲା । ଈର୍ଷାରେ ଚାରିଭାଇଙ୍କ ହୃଦୟ ଜଳୁଥାଏ । ସେମାନେ କପଟ କରି ଛୋଟ ରାଜକୁମାରକୁ ପୁଣି ସେହି କୂଅକୁ ଠେଲିଦେଲେ । ପରୀମାନଙ୍କୁ ନେଇ ଦେଶକୁ ଚାଲିଗଲେ । ମାତ୍ର ପରୀମାନେ ଭାଇମାନଙ୍କ କଥା ମାନୁ ନଥାନ୍ତି । ବାପାଙ୍କ ପାଖରେ ପହଞ୍ଚି ଚାରିପୁଅ କହିଲେ– ‘‘ବାପା ଆମେ ଗୋଟିଏ ବଡ଼ ସହରକୁ ଯାଇ ଦଶ ଲକ୍ଷ ଟଙ୍କାରେ ଜଣେ ଭଲ ବଣିଆଦ୍ୱାରା ସପନ ଗଛ ତିଆରି କରି ଆଣିଛୁ । କହିବେ ଯଦି ଏଇନେ ତାହା ଦେଖାଇବୁ ।’’

 

ରାଜା କହିଲେ– ‘‘ଆରେ ଦିନଟିଏ ଅପେକ୍ଷା କର । କାଲିକୁ ଦୁଇବର୍ଷ ପୂରିବ । ସାନ ପୁଅତ ଆଜିଯାଏ ଫେରିନାହିଁ । ତା’ ପାଇଁ ମଧ୍ୟ ଆମେ ଅପେକ୍ଷା କରିବା ।’’

 

ଏଣେ ରାଜକୁମାର ଯେଉଁ କୂଅରେ ପଡ଼ିଥିଲା, ସେଠାକୁ ଗାଈ ଚରାଳୀମାନେ ପାଣି ପିଇବାକୁ ଆସିଲେ । ସେମାନେ ତାକୁ କୂଅରୁ ଉଦ୍ଧାର କଲେ । ପଚାରିଲେ– ‘‘ଭାଇ, ତୁମେ କିଏ ? ତମକୁ ତ ଆଉଥରେ ଆମେ ଏଥିରୁ ଉଦ୍ଧାର କରିଥିବା ଭଳି ମନେହେଉଛି ।’’

 

ଛୋଟ ରାଜକୁମାର କହିଲା– ‘‘ମୋ ଦୁଃଖ କଥା କ’ଣ କହିବି ? ମୋ ଭାଇମାନେ ମୋତେ ପୁଣି କୂଅକୁ ଠେଲିଦେଲେ । ତୁମେମାନେ ମୋତେ ଦୁଇଥର ଏଇ କୂଅରୁ ଉଦ୍ଧାର କଲ । ଏ ଉପକାର ମୁଁ କିପରି ଶୁଝିବି ? ଗତଥର ଉଦ୍ଧାର କଲାବେଳେ ମୁଁ ଦେଇପାରି ନଥିଲି । ଏଥର ଭାବୁଛି, ତୁମକୁ ଓ ତୁମ ସାଙ୍ଗ ଭାଇ କୁଟୁମ୍ବଙ୍କୁ ମଧ୍ୟ କିଛି ଖାଇବାକୁ ଦେବି । ଯାଅ, ସେମାନଙ୍କୁ ଡାକି ଆଣିବ ।’’

 

ଗାଈଆଳ ପିଲାଏ ଗାଁକୁଯାଇ ତାଙ୍କ ବନ୍ଧୁ କୁଟୁମ୍ବମାନଙ୍କୁ ଡାକି ଆଣିଲେ । ରାଜକୁମାର ସେମାନଙ୍କୁ ବସିଯିବାକୁ କହିଲା । ସମସ୍ତେ କିନ୍ତୁ କିଛି ବୁଝିପାରୁ ନଥାନ୍ତି । ରାଜକୁମାର ତା’ ଥଳିରୁ କଟରାଟିକୁ କାଢ଼ି ସମସ୍ତଙ୍କୁ ଦିବ୍ୟ ଭୋଜନ ପରଷିବାକୁ ଆଦେଶ ଦେଲା ।

 

ମୁହୂର୍ତ୍ତକ ମଧ୍ୟରେ ସମସ୍ତେ ଦେଖିଲେ ପ୍ରତ୍ୟେକଙ୍କ ଆଗରେ ଦିବ୍ୟ ଖାଦ୍ୟ ପଦାର୍ଥ ବଢ଼ା ହୋଇଯାଇଛି । ସମସ୍ତେ ଖାଇ ପିଇ ଖୁସିହୋଇ ରାଜକୁମାରକୁ କଲ୍ୟାଣ କରି ଯେ ଯାହା ଘରକୁ ଗଲେ ।

 

ସାନ ରାଜକୁମାର ବାଡ଼ି ଦଉଡ଼ି ଓ କଟରାକୁ ନେଇ ବାପାଙ୍କ ପାଖରେ ପହଞ୍ଚିଲା । ଘରୁ ଗଲାଦିନଠାରୁ ଯାହା ଯାହା ଘଟିଥିଲା, ତାଙ୍କୁ ତାହା କହିଲା । ଚାରି ଭାଇଙ୍କ କାର୍ଯ୍ୟ ଶୁଣି ରାଜା ଖୁବ୍‌ ରାଗିଗଲେ ।

 

ପରଦିନ ଦରବାର ବସିଲା । ଶହ ଶହ ଲୋକ ଜମା ହୋଇଥାନ୍ତି । ରାଜା ପ୍ରଥମେ ବଡ଼ ଚାରି ପୁଅଙ୍କୁ ସପନ ଗଛ ଦେଖାଇବାକୁ କହିଲେ । ରାଜକୁମାରମାନେ ଦଶଲକ୍ଷ ଟଙ୍କାରେ ତିଆରି କରାଇଥିବା ଗଛଟିକୁ ଆଣି ରାଜାଙ୍କ ଆଗରେ ରଖିଲେ । ଗଛଟିର ମୂଳ ରୁପାର, ଶାଖା ସବୁ ସୁନାର ଓ ପତ୍ରସବୁ ହୀରାର । ସେଥିରେ ପେନ୍ଥା ପେନ୍ଥା ହୋଇ ମୋତିର ଫଳ ସବୁ ଝୁଲୁଥାଏ । ରାଜା ଏହାକୁ ଦେଖି କହିଲେ– ‘‘ଗଛଟି ସିନା ଠିକ୍‌ ତିଆରି ହୋଇଛି, ମାତ୍ର ଏଥିରେ ତ ସେଇ ଶୁଆଟି ବସିନାହିଁ, ଯିଏ ଖୁସି ହେଲେ ଗଛଟି ହସି ଉଠିବ ଓ ଦୁଃଖକଲେ ଗଛଟି ଝାଉଁଳି ପଡ଼ିବ ।’

 

ଏହାପରେ ରାଜା ସାନ ପୁଅକୁ ସପନ ଗଛ ଦେଖାଇବାକୁ କହିଲେ । ସାନପୁଅ କହିବା ମାତ୍ରେ ରୁପାପରୀ ଗଛର ମୂଳ ହୋଇଗଲା । ସୁନାପରୀ ସେଥିରେ ଡାଳ ହୋଇଗଲା ଓ ହୀରାପରୀ ସୁନାଗଛର ଡାଳରେ ହୀରାପତ୍ର ହୋଇ ଝୁଲିଲା । ଶେଷରେ ମୋତି ପରୀ ସେଇ ଗଛରେ ପେନ୍ଥା ପେନ୍ଥା ହୋଇ ଝୁଲିଲା । ତାହାପରେ ଶୁଆ ପରୀ ଉଡ଼ିଆସି ତା’ ଉପରେ ଖୁସିରେ ବସି ପଡ଼ିଲା ଓ ଗଛଟି ତଦ୍ଦ୍ୱାରା ହସି ଉଠିଲାଭଳି ଦିଶିଲା । ଏହି ସମୟରେ ଚାରି ରାଜାପୁଅ ଖୁବ୍‌ ପାଟିତୁଣ୍ଡ କରି ସାନ ପୁଅକୁ ଏହା ଦେଖାଇବାରେ ବାଧା ଦେଉଥାନ୍ତି । ଏହାଦେଖି ଶୁଆଟିର ମନ ଖରାପ ହେବାରୁ ଚାହୁଁ ଚାହୁଁ ସପନ ଗଛଟି ଝାଉଁଳି ପଡ଼ିଲା । ଏଇ ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖି ସମସ୍ତେ କାବା । ରାଜକୁମାରକୁ ସମସ୍ତେ ଧନ୍ୟ ଧନ୍ୟ କହୁଥାନ୍ତି । ରାଜା ସମସ୍ତଙ୍କ ଆଗରେ ଘୋଷଣା କଲେ– ‘‘ମୋର ପୁଅମାନଙ୍କ ମଧ୍ୟରେ ସାନ ହିଁ ସବୁଠାରୁ ଯୋଗ୍ୟ । ମୋ ପରେ ସେ ରାଜଗାଦିରେ ବସିବ । ବଡ଼ ଚାରିପୁଅ କେବଳ ଖୋରାକ ପୋଷାକ ପାଇବେ ।’’

 

(ବିହାର)

Image

 

Unknown

ଓଟ ଓ ବିଲୁଆ

 

ଓଟ ଓ ବିଲୁଆ ଦୁହେଁ ସାଙ୍ଗ । ବଣରେ ଗୋଟିଏ ପଟେ ଦୁହେଁଯାକ ରହୁଥାନ୍ତି । ନିତି ଦେଖା ଚାହାଁରୁ ଦୁହିଁଙ୍କ ମଧ୍ୟରେ ଖୁବ୍‌ ବନ୍ଧୁତୀ ହେଲା । ବିଲୁଆ ଯେମିତି ଚତୁର, ଧାଇଁ ପଳାଇବାରେ ସେହିପରି ଧୁରନ୍ଧର । ମାତ୍ର ଓଟର ଥିଲା ଖୁବ୍‌ ବିଚାର ବୁଦ୍ଧି ଓ ସେ ସହଜରେ ବିଚଳିତ ହେଉନଥିଲା । ବିଲୁଆ ବେଶି ଚାଲାକ ହୋଇଥିବାରୁ ଓଟର ଭଲ ପଣିଆର ସୁଯୋଗ ନେଉଥିଲା । ବେଳେବେଳେ ସେ ଓଟ ପିଠିରେ ବସିଯାଏ ଓ ଓଟକୁ ଏଣେ ତେଣେ ଯିବାକୁ କହେ । ଓଟ ସରଳ ବିଶ୍ୱାସରେ ବନ୍ଧୁର କଥା ମାନେ ।

 

ଦିନେ ବିଲୁଆ କହିଲା– ‘‘ସଙ୍ଗାତ, ଏଇ ନଈ ଆରପଟେ ଗୋଟିଏ କିଆରୀରେ ଖୁବ୍‌ ବଢ଼ିଆ ଆଖୁ ହୋଇଛି । ମତେ ପିଠିରେ ବସାଅ । ଚାଲ ଆମେ ନଈ ପାରହୋଇ ସେ ପଟକୁ ଯିବା ।’’ ବିଲୁଆ କଥାରେ ଓଟ ରାଜି ହୋଇଗଲା ।

 

ଦୁହେଁଯାଇ ଆଖୁ କିଆରିରେ ପହଞ୍ଚି ମନଇଚ୍ଛା ଆଖୁ ଖାଇଲେ । ବିଲୁଆ’ତ ଛୋଟ ପ୍ରାଣୀଟାଏ । କେତେ ବା ଆଖୁ ଖାଇ ପାରିବ । ଦୁଇ ଚାରିଖଣ୍ଡ ଆଖୁ ଖାଇଲାପରେ ତା’ର ପେଟ ପୂରିଗଲା । ସେ ଦେଖିଲା ଓଟର ସେ ପର୍ଯ୍ୟନ୍ତ ଖାଇବା ଶେଷ ହୋଇନାହିଁ । ଓଟଲାଗି ବେଶି ସମୟ ଅପେକ୍ଷା କରିବାକୁ ହେବ । ମାତ୍ର ଅପେକ୍ଷା କରିବାପାଇଁ ତା’ର ଆଦୌ ଇଚ୍ଛାନଥାଏ । ସେ କହିଲା–‘‘ସଙ୍ଗାତ, ଚାଲ ଆମେ ଏଠୁ ପଳାଇବା ।’’

 

ଓଟ କହିଲା– ‘‘ସଙ୍ଗାତ, ମୋ ଖିଆ ସରିବାଯାଏ ଟିକିଏ ଅପେକ୍ଷା କର’’ । ମାତ୍ର ଧୂର୍ତ୍ତ ବିଲୁଆ ମଜା ଦେଖିବା ଲାଗି ହଠାତ୍‌ ବୋବେଇବାକୁ ଆରମ୍ଭ କରିଦେଲା । କିଆରିରେ ବିଲୁଆ ରଡ଼ିଦେବା ଶୁଣି ଚାଷୀ ଗୋଟାଏ ବାଡ଼ିଧରି ଧାଇଁ ଆସିଲା । ଚାଷୀକୁ ଦେଖି ବିଲୁଆ ସହଜରେ ଖସି ଲୁଚିଗଲା ଓ ମାଡ଼ରୁ ରକ୍ଷା ପାଇଗଲା । ବିଚାରା ଓଟ ଯାଏ କୁଆଡ଼େ ? କେଉଁଠି ଲୁଚିବା ତା’ ପକ୍ଷେ ସମ୍ଭବ ନୁହେଁ । ଫଳରେ ଚାଷୀଠାରୁ ଭୀଷଣ ମାଡ଼ ଖାଇବାହିଁ ତା’ ପକ୍ଷେ ସାରହେଲା । ଧୈର୍ଯ୍ୟର ସହିତ ତାକୁ ସବୁ ସହିବାକୁ ପଡ଼ିଲା ।

 

ବିଲୁଆ ମୁହଁରେ ଆଖୁ ଖାଇବାର ମଜା ଲାଗିଛି । ତା’ ପରଦିନ ସେ ପୁଣି ଆସି ଓଟକୁ କହିଲା– ‘‘ସଙ୍ଗାତ ! ଆଜି ବି ନଈ ପାର ହୋଇ ଆରପଟକୁ ଯିବା ।’’

 

ଓଟ ରାଜିହୋଇ ବିଲୁଆକୁ ପିଠିରେ ବସାଇ ଚୁପ୍‌ ଚାପ୍‌ ଚାଲିଲା । ନଈରେ ପଶି ସେ ପହଁରିବାକୁ ଆରମ୍ଭ କରିଦେଲା । ଠିକ୍‌ ନଈ ମଝିରେ ପହଞ୍ଚି ସେ ଝୁଲିବାକୁ ଆରମ୍ଭ କଲା । ବିଲୁଆ ପାଟିକରି କହିଲା–‘‘ସଙ୍ଗାତ, ଏପରି କରନାହିଁ, ମୁଁ ତଳକୁ ପଡ଼ି ଯିବିଟି ।’’

 

ଓଟ କହିଲା– ‘‘ସଙ୍ଗାତ କାଲି ଆଖୁ ଖାଇଲା ବେଳେ ତୁମର ଯେମିତି ବୋବେଇବାକୁ ଇଚ୍ଛା ହେଉଥିଲା ସେମିତି ମୋର ଏବେ ଝୁଲିବାକୁ ଇଚ୍ଛା ହେଉଛି ।’’ ଏହାକହି ଓଟ ତାକୁ ପିଠି ଉପରୁ ପାଣିକୁ ଗଡ଼ାଇ ଦେଲା । ବିଲୁଆ ନଈ ପାଣିରେ ପଡ଼ି ବୁଡ଼ିମଲା ।

 

(ବିହାର)

Image

 

ଝିଅର ପସନ୍ଦ

 

ଗାଁ ମଝିରେ ପଣ୍ଡିତଙ୍କ ଘର । ପଣ୍ଡିତଙ୍କୁ ସମସ୍ତେ ମାନନ୍ତି । ତାଙ୍କର ଗୋଟିଏ ବୋଲି ଝିଅ । ପିଲାଦିନୁ ଗେଲବସରରେ ବଢ଼ିଥାଏ । ଝିଅଟି ବଡ଼ହେଲା । ତାକୁ ବାହାହେବାଲାଗି କେତେ ଆଡ଼ୁ କେତେ ପ୍ରସ୍ତାବ ଆସିଲା, ହେଲେ କ’ଣ ହେବ, ଝିଅର କୌଣସିଟି ପସନ୍ଦ ହେଲା ନାହିଁ । ସେ ଠିକ୍‌ କଲା, ଯାହାକୁ ସମସ୍ତେ ମାନୁଥିବେ ବା ଯିଏ ସବୁଠାରୁ ଶକ୍ତିଶାଳୀ ହୋଇଥିବ ସେ ତାକୁ ବାହା ହେବ ।

 

ଦିନେ ସେଇଁ ଗାଁକୁ ସେଇ ରାଇଜର ରାଜା ଆସିଥିଲେ । ଝିଅଟି ଦେଖିଲା, ଆଖପାଖ ଗାଁ ଗଣ୍ଡାର ସବୁଲୋକ ଆସି ତାଙ୍କୁ ନଇଁକରି ନମସ୍କାର କରୁଛନ୍ତି । ସେ ବୁଝିପାରିଲା, ରାଜା ହେଉଛନ୍ତି ସବୁଠାରୁ ଶକ୍ତିଶାଳୀ, ଏଣୁ ତାଙ୍କୁ ବାହା ହେବାକୁ ସେ ସ୍ଥିର କଲା । ରାଜା ହାତୀରେ ବସି ଉଆସକୁ ବାହାରିଲେ । ପଣ୍ଡିତଙ୍କ ଝିଅ ମଧ୍ୟ ହାତୀ ପଛେ ପଛେ ଚାଲିଲା । ରାସ୍ତାରେ ଯାଉ ଯାଉ ରାଜା ଦେଖିଲେ ତାଙ୍କ ଗୁରୁ ସାଧୁବାବା ଚାଲି ଚାଲି ଆସୁଛନ୍ତି । ସେ ସଙ୍ଗେ ସଙ୍ଗେ ହାତୀରୁ ଓହ୍ଳାଇ ପଡ଼ିଲେ; ସାଧୁ ବାବାଙ୍କ ପାଦ ଛୁଇଁ ନମସ୍କାର କଲେ । ପଣ୍ଡିତଙ୍କ ଝିଅ ଏହା ଦେଖି ବୁଝିଲା, ରାଜା ସବୁଠୁ ବଡ଼ ନୁହନ୍ତି । ରାଜାଙ୍କଠାରୁ ବଡ଼ ହେଉଛନ୍ତି, ସାଧୁ ବାବା । ଏଣୁ ସେ ରାଜାଙ୍କୁ ଛାଡ଼ି ସାଧୁଙ୍କ ପଛରେ ଯିବାକୁ ଲାଗିଲା ।

 

କେତ ବାଟ ଯିବାପରେ ଗୋଟିଏ ଶିବ ମନ୍ଦିର ପଡ଼ିଲା । ସାଧୁ ସେହି ମନ୍ଦିରକୁ ଗଲେ । ମହାଦେବଙ୍କ ମୂର୍ତ୍ତିକୁ ଦଣ୍ଡବତ କଲେ । ପଣ୍ଡିତଙ୍କ ଝିଅ ଏହା ଦେଖି ଜାଣିଲା, ସାଧୁଙ୍କଠାରୁ ମହାଦେବ ବଡ଼ । ଏଣୁ ସେ ମହାଦେବଙ୍କୁ ବାହାହେବାକୁ ସେଇ ଦେଉଳରେ ଅପେକ୍ଷା କଲା ।

 

କିଛି ସମୟ ପରେ ଗୋଟିଏ କୁକୁର ମନ୍ଦିର ଭିତରକୁ ଆସିଲା । ସେ ମହାଦେବଙ୍କ ପାଖରେ ଲାଗି ହୋଇଥିବା ଭୋଗକୁ ଖାଇଲା ଓ ତା’ ପରେ ପଛ ଗୋଡ଼ ଉଠାଇ ଶିବଲିଙ୍ଗ ଉପରେ ପରିଶ୍ରା କରି ଦେଉଳରୁ ବାହାରି ବାଟେ ବାଟେ ଚାଲିଲା । ଝିଅଟି ଭାବିଲା, କୁକୁର ମହାଦେବଙ୍କଠାରୁ ବଡ଼ । ନୋହିଲେ ମହାଦେବଙ୍କ ସଙ୍ଗେ ଏପରି ବ୍ୟବହାର ଆଉ କିଏ କରନ୍ତା ! ସେ କୁକୁରକୁ ବିବାହ କରିବାକୁ ସ୍ଥିର କରି ତା’ ପଛେ ପଛେ ଚାଲିଲା । ଯାଉ ଯାଉ କୁକୁରଟି ପାଖ ଗାଁର ଜଣେ ପଣ୍ଡିତଙ୍କ ଘରେ ପଶିଲା । ପଣ୍ଡିତଙ୍କ ଭେଣ୍ଡାପୁଅ ଦାଣ୍ଡ ଘରେ ବସିଥିଲା, କୁକୁରଟି ଯାଇ ତା’ ପାଦକୁ ସ୍ନେହରେ ଚାଟିଲା । ଏହା ଦେଖି ଝିଅଟି ବୁଝିଲା, ଯୁବକଟି କୁକୁର ଓ ଅନ୍ୟ ସମସ୍ତଙ୍କଠାରୁ ମଧ୍ୟ ବଡ଼ । ସେ ତାହାଙ୍କ ପାଖକୁ ଯାଇ ତାଙ୍କୁ ସବୁକଥା କହିଲା ଓ ତାଙ୍କୁହିଁ ବିବାହ କରି ସୁଖରେ ରହିଲା ।

 

(ମଧ୍ୟ ଭାରତ)

Image

 

ଚାରୋଟି ବିଚିତ୍ର ପଦାର୍ଥ

 

ଗୋଟିଏ ଗାଁରେ ବ୍ରାହ୍ମଣଟିଏ ରହୁଥାଏ । ସେ ଭାରି ଗରିବ । ଭିକ ମାଗି ଚଳେ । ଯେଉଁଦିନ ଭିକ ନ ମିଳେ ସେଦିନ ତା’ ପିଲାଏ ଉପାସରେ ରହନ୍ତି । ଘରକୁ ତା’ର ଚାରି ପ୍ରାଣୀ କୁଟୁମ୍ବ–ସେ ନିଜେ, ତା’ ସ୍ତ୍ରୀ, ତା’ର ପୁଅ ଓ ବୋହୂ ।

 

ସେତେବେଳ ରାଜା ବିକ୍ରମାଦିତ୍ୟଙ୍କ ରାଜୁତି । ପ୍ରଜାଙ୍କ ଦୁଃଖ ଦୂର କରିବାକୁ ସେ ସବୁବେଳେ ପ୍ରସ୍ତୁତ ଥାଆନ୍ତି । ଯେମିତି ପ୍ରତାପୀ ସେହିପରି ଦୟାଳୁ ! ନିୟମ କରିଥାନ୍ତି ଯେଉଁ ଗରିବ ବ୍ରାହ୍ମଣ ତାଙ୍କ ଦରବାରକୁ ଆସି ଶ୍ଳୋକଟିଏ ପଢ଼ି ତାଙ୍କୁ ଆଶୀର୍ବାଦ କରିବ ସେ ଗୋଟିଏ ସୁନା ମୋହର ପାଇବ । ରଜାଙ୍କର ଏଇ ଦାନଦେବା ବିଷୟ କ୍ରମେ ରାଜ୍ୟସାରା ଲୋକେ ଜାଣିଲେ । ସେଇ ଗରିବ ବ୍ରାହ୍ମଣର ସ୍ତ୍ରୀ କାନରେ ମଧ୍ୟ ଏକଥା ପଡ଼ିଲା । ବ୍ରାହ୍ମଣୀ ଭାବିଲା ଆଜି ସ୍ୱାମୀଙ୍କୁ ଏ ବିଷୟ କହି ତାଙ୍କୁ ରାଜାଙ୍କ ଦରବାରକୁ ପଠାଇବି । ସୁନା ମୋହରଟିଏ ମିଳିଗଲେ ଆଉ ଭିକ ମାଗିବାକୁ ପଡ଼ିବ ନାହିଁ ।

 

ବ୍ରାହ୍ମଣ ଘରେ ପହଞ୍ଚିବାମାତ୍ରେ ବ୍ରାହ୍ମଣୀ ତାକୁ ସବୁକଥା କହିଲା । ବିଚାରା ବ୍ରାହ୍ମଣ ଲେଖା ପଢ଼ା ଜାଣେନା । କିପରି ବା ଆଶୀର୍ବାଦ ଶ୍ଳୋକ ବୋଲିବ ? ପାଖ ଗାଁରେ ଜଣେ ପଣ୍ଡିତ ଥାନ୍ତି । ସେ ତାଙ୍କରି ପାଖକୁ ଯାଇ ତାଙ୍କୁ ଶ୍ଳୋକଟିଏ ଲେଖି ଦେବାକୁ ଅନୁରୋଧ କଲା । ପଣ୍ଡିତେ ଗରିବ ବ୍ରାହ୍ମଣ ଲାଗି ଶ୍ଳୋକଟିଏ ଲେଖି କିପରି ତାହା ବୋଲାଯାଏ ଶିଖାଇଦେଲେ । ସେଇ ଶ୍ଳୋକଟିକୁ ଘୋଷି ଘୋଷି ସେ ପଣ୍ଡିତଙ୍କ ଆଗରେ ତାହାକୁ ବୋଲି ଶୁଣାଇଲା ଓ ଖୁସିହୋଇ ଘରକୁ ଫେରି ଆସିଲା । ତା’ ପରଦିନ ସେ ରାଜାଙ୍କ ଦରବାରକୁ ଯିବବୋଲି ସ୍ଥିର କଲା ।

 

ସକାଳୁ ଉଠି ଗାଧୋଇ ପାଧୋଇ ଚିତା ଚଇତନ ହୋଇ ସେ ରାଜାଙ୍କ ଦରବାରକୁ ଯିବାଲାଗି ବାହାରି ପଡ଼ିଲା । ଆଗରୁ ସେ କେବେ ସେଠାକୁ ଯାଇନି । ପଚାରି ପଚାରି ଯାହାହେଉ ସେ ରାଜାଙ୍କ ନଅର ପାଖେ ପହଞ୍ଚିଲା । ଶ୍ଳୋକ ବୋଲିବାକୁ ଆସିଛି କହିବାରୁ ଦୁଆରୀମାନେ ତାକୁ ଦରବାରକୁ ଯିବାଲାଗି ଛାଡ଼ିଦେଲେ । ରାଜାଙ୍କ ଦରବାର ଘର ମଧ୍ୟ ସେ ଆଗରୁ କେବେ ଦେଖି ନଥିଲା । ସେହି ଘରେ ସୁନା ରୁପାର ବହୁ ଜିନିଷ ପତ୍ର ଦେଖି ବ୍ରାହ୍ମଣ ବିଚାରା କାବା ହୋଇଗଲା ଓ ପୂର୍ବରୁ ଘୋଷି ମନେ ରଖିଥିବା ଶ୍ଳୋକଟି ଭୁଲିଗଲା । ରାଜାଙ୍କୁ ଆଶୀର୍ବାଦ କଲାବେଳକୁ ତା’ ମୁହଁରୁ କେବଳ ବାହାରିଲା–‘ଓଃ କି ଆଶ୍ଚର୍ଯ୍ୟ !’

 

ରାଜା ସେତେବେଳେ ଆଉ ଗୋଟିଏ କାମରେ ଲାଗିଥିଲେ । ଏଣୁ ବ୍ରାହ୍ମଣର ଏଇ କଥା ପଦକ ଶୁଣି ମଧ୍ୟ ଶୁଣି ପାରି ନଥିଲେ । ମାତ୍ର ବ୍ରାହ୍ମଣ ନିଜ ଭୁଲ୍ ଯୋଗୁ ଘାବୁରି ଗଲା । କାଳେ ରାଜା ଏଥିପାଇଁ ଦଣ୍ଡିବେ, ଏଇ ଭୟରେ ସେ ଆଉ ସେଠାରେ ଦଣ୍ଡେମାତ୍ର ନରହି ଚୁପ୍‌ ଚାପ୍‌ ବାହାରକୁ ଚାଲି ଆସିଲା ।

 

ଏତେ ଆଶାରେ ସେ ଆସିଥିଲା । ଏଣୁ ଖାଲି ହାତରେ ଘରକୁ ଫେରିବାକୁ ତା’ର ମନ ବଳୁନଥାଏ । ଲାଜ ଓ ଦୁଃଖରେ ସେ ଗୋଟାଏ ଜଙ୍ଗଲ ଆଡ଼େ ଚାଲିଲା । ଜଙ୍ଗଲ ଭିତରେ ଯାଉ ଯାଉ ଗୋଟିଏ ପୋଖରୀ କୂଳେ ପହଞ୍ଚିଲା । ସଂଧ୍ୟା ହୋଇ ଆସୁଛି, ବଣ ଜନ୍ତୁଙ୍କ ଭୟରେ ଆଉ ଆଗକୁ ଯିବାକୁ ଭରସି ନପାରି ସେଇ ପାଖରେ ଥିବା ଗୋଟିଏ ବରଗଛରେ ଚଢ଼ି ସେଇଠି ରାତିଟା କଟାଇଲା ।

 

ସକାଳ ହେବାରୁ ବ୍ରାହ୍ମଣ ଗଛରୁ ଓହ୍ଳାଇଲା । ପୋଖରୀ କୂଳରେ ବସି ଦାନ୍ତ ଘସିଲା । ସୂର୍ଯ୍ୟ ଉଇଁଲେ ବ୍ରାହ୍ମଣ ଦେଖିଲା ପୋଖରୀ ମଝିରୁ ଗୋଟିଏ ଗୋଲ ଆକାରର ଢୋଲ ଉପରକୁ ବାହାରୁଛି । ସୂର୍ଯ୍ୟ ଯେତିକି ଉପରକୁ ଉଠିଲେ ସେଇ ଢୋଲଟି ସେତିକି ସେତିକି ଉପରକୁ ବଢ଼ିବାକୁ ଲାଗିଲା । ଦ୍ୱିପ୍ରହର ବେଳକୁ ଢୋଲଟି ସୂର୍ଯ୍ୟଙ୍କ ପର୍ଯ୍ୟନ୍ତ ପହଞ୍ଚିଗଲା । ସୂର୍ଯ୍ୟ ପଶ୍ଚିମକୁ ଢଳିବା ସଙ୍ଗେ ସଙ୍ଗେ ଢୋଲଟି ମଧ୍ୟ କ୍ରମେ କ୍ରମେ କମିବାକୁ ଲାଗିଲା ଏବଂ ସୂର୍ଯ୍ୟ ବୁଡ଼ିଯିବା ସଙ୍ଗେ ସଙ୍ଗେ ତାହା କ୍ରମେ ଛୋଟହୋଇ ପୋଖରୀ ପାଣିରେ ବୁଡ଼ିଗଲା । ବ୍ରାହ୍ମଣ ଏହି ଅଦ୍ଭୁତ ଦୃଶ୍ୟ ଦେଖି ଖୁସି ହୋଇଗଲା । ଏହା କ’ଣ ଓ କିପରି ହେଉଛି ତାହା ଭଲ କରି ଜାଣିବା ଲାଗି ସେ ସେଇଠି ପୁଣି ରାତିଟାଏ କଟାଇଲା । ପରଦିନ ସକାଳେ ବ୍ରାହ୍ମଣ ଠିକ୍‌ ସେଇ ଦୃଶ୍ୟ ଦେଖିଲା । ବୁଝିପାରିଲା, ଏଠାରେ ସବୁଦିନ ଏହିପରି ହେଉଛି ।

 

ତୃତୀୟ ଦିନ ବ୍ରାହ୍ମଣ ସେଠାରୁ ଫେରିଲା ଓ ପୁଣି ଯାଇ ରାଜାଙ୍କ ଦରବାରରେ ପହଞ୍ଚିଲା । ରାଜାଙ୍କୁ ଆଶୀର୍ବାଦ କଲା ବେଳକୁ ସେ ପୂର୍ବ ଭଳି କହିଲା–‘ଓଃ କି ଆଶ୍ଚର୍ଯ୍ୟ’ ।

 

ରାଜା ବ୍ରାହ୍ମଣକୁ ଚିହ୍ନିପାରି କହିଲେ– ‘‘ଆପଣ ତ ଏଠାକୁ ଆସିଥିଲେ ଓ ଶ୍ଳୋକଟିଏ ନ ପଢ଼ି ଏହି ଶବ୍ଦଟି କହି ଚାଲି ଯାଇଥିଲେ । ଏବେ ପୁଣି ଆସି ସେଇ ଶବ୍ଦଟି କହୁଛନ୍ତି, ଏହାର ଅର୍ଥ କ’ଣ ?’’

 

ବ୍ରାହ୍ମଣ ମୁଣ୍ଡ ହଲାଇ ଉତ୍ତର ଦେଲା–‘‘ମହାରାଜ, ମୁଁ କହିଲେ ଆପଣ ହୁଏତ ମିଛ ଭାବିବେ; ମାତ୍ର ମୁଁ ଯାହା କହିଲି ତାହାର ଅର୍ଥ ଆପଣ ମୋ ସାଙ୍ଗେ ଗଲେ ନିଜେ ବୁଝିପାରିବେ ।’’ ଏହା କହି ବ୍ରାହ୍ମଣ ରାଜାଙ୍କୁ ଯାହା ଦେଖିଥିଲା, ସେଇଆ କହିଲା । ବ୍ରାହ୍ମଣଠାରୁ ଏହି ବିଚିତ୍ର କଥା ଶୁଣି ରାଜା ସେଠାକୁ ଯିବାକୁ ପ୍ରସ୍ତୁତ ହେଲେ । ସୈନ୍ୟ ସାମନ୍ତ ସହ ରାଜା ବ୍ରାହ୍ମଣକୁ ସାଙ୍ଗରେ ନେଇ ସେଇ ପୋଖରୀ କୂଳେ ପହଞ୍ଚିଲେ ।

 

ବ୍ରାହ୍ମଣ କହିଲା– ‘‘ଏଥର ମୁଁ ଯାହା କହିବି ଆପଣ ତାହା କରିବା ହେବେ ।’’

 

ରାଜା କହିଲେ– ‘‘ପଣ୍ଡିତେ, ମୁଁ ଆପଣଙ୍କ କଥା ମାନିବାକୁ ପ୍ରସ୍ତୁତ ।’’

 

ରାତି ହୋଇଯାଇଥିଲା । ଏଣୁ ସମସ୍ତେ ସେଇ ପୋଖରୀ କୂଳେ ରହିଲେ । ରାତି ନପାହୁଣୁ ବ୍ରାହ୍ମଣ ରାଜାଙ୍କୁ ନିଦରୁ ଉଠାଇଲା ଓ ସେଇ ପୋଖରୀ ମଝିକୁ ଚାହିଁବା ଲାଗି ରାଜାଙ୍କୁ କହିଲା । ସୂର୍ଯ୍ୟ ବାହାରିବା ସଙ୍ଗେ ସଙ୍ଗେ ପାଣିରୁ ଢୋଲଟିଏ ବାହାରିଲା । ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ସେ ତାକୁ ଖାଲି ଦେଖିବେ କ’ଣ, ନିର୍ଭୟରେ ଯାଇ ଢୋଲ ଭିତରେ ବସିଗଲେ । ଦିନ ଯେତିକି ଯେତିକି ବଢ଼ିଲା, ଢୋଲଟି ସେତିକି ସେତିକି ଉପରକୁ ବଢ଼ୁଥାଏ । ଦିନ ଦଶଟା ବେଳକୁ ସୂର୍ଯ୍ୟଙ୍କ କିରଣ ପ୍ରଖର ହେଲା ଓ ରାଜା ଢୋଲ ଭିତରେ ପୋଡ଼ି ପାଉଁଶ ହୋଇଗଲେ । ତା’ପରେ ଢୋଲ ଆଉ ସୂର୍ଯ୍ୟଙ୍କ ଆଡ଼କୁ ବଢ଼ିଲା ନାହିଁ । ଉପରୁ ସୂର୍ଯ୍ୟ ଦେବତା ଡାକିଲେ–‘‘ଆଜି ଏଠାକୁ ଆସିବାକୁ ତୋର କାହିଁକି ଡେରି ହେଉଛି ?’’

 

ଢୋଲ ଉତ୍ତର ଦେଲା–‘‘ମୋ ଭିତରେ ଆଜି ରାଜା ମରି ଯାଇଥିବାରୁ ମୋତେ କଳଙ୍କ ଲାଗିଛି । ଏଣୁ ମୁଁ ଆପଣଙ୍କ ପାଖକୁ ଯାଇ ପାରୁନି ।’’

 

ସୂର୍ଯ୍ୟ ଦେବତା ଢୋଲ ଭିତରେ ଯାହା ହୋଇଛି ବୁଝିପାରିଲେ । ସେ ଉପରୁ ଦୁଇଟୋପା ଅମୃତ ପକାଇ ଦେବାରୁ ରାଜା ପୁଣି ଜୀଇ ଉଠିଲେ ଓ ଢୋଲ ସୂର୍ଯ୍ୟଙ୍କ ପାଖକୁ ଯାଇ ତାହାଙ୍କ ଚାରିପଟେ ଘୂରିଲା । ରାଜା ମଧ୍ୟ ସୂର୍ଯ୍ୟ ଦେବତାଙ୍କ ପାଖରେ ମୁଣ୍ଡ ନୁଆଇଁ ତାଙ୍କୁ ନମସ୍କାର କଲେ ।

 

ସୂର୍ଯ୍ୟ ଦେବତା ପଚାରିଲେ–‘ତମେ କିଏ ?

 

ରାଜା ଉତ୍ତର ଦେଲେ– ‘‘ମୁଁ ରାଜା ବିକ୍ରମାଦିତ୍ୟ ।’’ ସୂର୍ଯ୍ୟ ଦେବତା ରାଜାଙ୍କ ଉପରେ ଖୁସିହୋଇ ତାଙ୍କୁ ଚାରୋଟି ପଦାର୍ଥ ଦେଲେ । ଗୋଟିଏ ହେଉଛି, ଘୋଡ଼ା ଲଗାମ; ଏହାକୁ ପିଟିବା ମାତ୍ରେ ଏକ ବିଚିତ୍ର ଘୋଡ଼ା ପହଞ୍ଚିଯାଏ । ଏହା ଉପରେ ବସିଲେ ଘଣ୍ଟାକ ମଧ୍ୟରେ ସାରା ପୃଥିବୀକୁ ଘୂରି ଆସିହେବ । ଦ୍ୱିତୀୟଟି ହେଉଛି ଗୋଟିଏ ବିଚିତ୍ର ବେଲା । ଏହାକୁ ଧରି ଯେଉଁ ଖାଦ୍ୟ ମନାସିବ ତାହା ସଙ୍ଗେ ସଙ୍ଗେ ତିଆରି ହୋଇଯିବ । ଏହାଛଡ଼ା ସେ ତାକୁ ଦୁଇଟି ପେଡ଼ି ଦେଲେ । ଗୋଟିଏ ପେଡ଼ିରେ ଥିଲା ନାନା ପ୍ରକାର ଗହଣା ଓ ଅନ୍ୟଟିରେ ଥିଲା ବହୁ ବିଚିତ୍ର ଲୁଗାପଟା ।

 

ସୂର୍ଯ୍ୟଦେବତା ସେହି ଚାରୋଟି ଜିନିଷ ରାଜାଙ୍କୁ ଦେଇ କହିଲେ,–‘‘ତୁମେ ଏହାକୁ ନିଅ; ଏହା ତୁମ ନିର୍ଭୀକତାର ପୁରସ୍କାର ।’’

 

ରାଜା ଢୋଲରେ ବସି ସଂଧ୍ୟା ବେଳକୁ ସେଇ ଚାରୋଟି ଅଦ୍‌ଭୁତ ଜିନିଷ ନେଇ ଫେରି ଆସିଲେ । ଏଇ ଅଦ୍‌ଭୁତ ଜିନିଷଗୁଡ଼ିକ ପାଇଥିବା ଯୋଗୁ ସେ ବ୍ରାହ୍ମଣ ଉପରେ ଭାରି ଖୁସି । ନଅରକୁ ଆସି ସେ ବ୍ରାହ୍ମଣକୁ କହିଲେ–‘‘ପଣ୍ଡିତେ, ତୁମରି ଯୋଗୁଁ ମୁଁ ଏଇ ଜିନିଷତକ ପାଇଛି, ଏଇ ଚାରୋଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ତୁମକୁ ଦେବା ମୋର ଇଚ୍ଛା । ଏଥିରୁ ତୁମେ ଯେ କୌଣସି ଗୋଟିଏ ଜିନିଷ ନିଅ ।’’

 

ବ୍ରାହ୍ମଣ ବିଚାରା ଚାରୋଟି ଜିନିଷ ମଧ୍ୟରୁ କେଉଁଟିକୁ ନେବ ତାହା ସ୍ଥିର କରି ପାରିଲା ନାହିଁ । ଏଣୁ ସେ କହିଲା–‘‘ମହାରାଜ ! ମୁଁ ଏବେ ଏହା ସ୍ଥିର କରି ପାରୁନାହିଁ । ଘରକୁ ଯାଇ ମୋ ସ୍ତ୍ରୀ ଓ ପିଲାମାନଙ୍କୁ ଏହା ପଚାରିବି । ଏଣୁ କେଉଁଟିକୁ ନେବି ଏହା ମୁଁ ପରେ ଆପଣଙ୍କୁ କହିବି ।’’

 

ରାଜା ହସି ହସି କହିଲେ– ‘‘ଆଚ୍ଛା ହେଉ, ତୁମେ ବୁଝି ଆସିଲା ପରେ ତାହା ନେଇଯିବ ।’’

 

ବ୍ରାହ୍ମଣ ଖୁବ୍‌ ଶୀଘ୍ର ଆସି ଘରେ ପହଞ୍ଚିଲା । ପୁଅ, ବୋହୂ ଓ ସ୍ତ୍ରୀଙ୍କୁ ବସାଇ ଯାହାସବୁ ଘଟିଥିଲା ତାହା କହିଲା । ଚାରୋଟି ଜିନିଷ ମଧ୍ୟରୁ ସେ କେଉଁଟିକୁ ରାଜାଙ୍କୁ ମାଗିବ ତାହା ସମସ୍ତଙ୍କୁ ପଚାରିଲା ।

 

ବ୍ରାହ୍ମଣୀ କହିଲା– ‘‘ବହୁଦିନୁ ଆମେ ମୁଠିଏ ଖାଇବା ଲାଗି ବାର ଦୁଆରେ ହାତ ପତାଇ ଭିକ ମାଗୁଛୁ । ଏଣୁ ତମେ ବେଲାଟିକୁ ମାଗି ଆଣିବ ।’’

 

ପୁଅ କହିଲା– ‘‘ବାପା, ମୋର ଟିକିଏ ବୁଲାବୁଲି କରିବାକୁ ବହୁତ ଇଚ୍ଛା । ଏଣୁ ତୁମେ ଘୋଡ଼ା ଲଗାମଟି ଆଣିବ । ମୁଁ ଘୋଡ଼ାରେ ବୁଲିବି ।

 

ବୋହୂ କହିଲା– ‘‘ମୁଁ ଏ ଘରକୁ ବୋହୂ ହୋଇ ଆସିଲା ଦିନୁ କେହି ମୋ ଲାଗି ଗୋଟିଏ ହେଲେ ଗହଣା ଗଢ଼ାଇ ଦେଇନି । ଏଣୁ ଆପଣ ସେଇ ଗହଣା ବାକ୍‌ସଟି ଆଣିବେ ।’’

 

ଶେଷରେ ବ୍ରାହ୍ମଣ କହିଲା– ‘‘ତମେ ସବୁ ଯେ ଯାହାର ଦରକାର ବିଷୟ କହିଲ, ମାତ୍ର ମୋ କଥା କେହି ବିଚାରିଲ ନାହିଁ । ଏଇ ଚିରା ଲୁଗା ପିନ୍ଧି ମୋତେ ରାଜାଙ୍କ ପାଖକୁ ଯିବାକୁ ଲାଜ ମାଡ଼ୁଛି । ଏଣୁ ମୁଁ ଲୁଗା ପେଟରାଟି ମାଗି ଆଣିବି ବୋଲି ଭାବୁଛି ।’’

 

ଘରେ ଏବିଷୟରେ ବହୁତ ଆଲୋଚନା ହେଲା; ମାତ୍ର କେଉଁ ଜିନିଷଟି ମଗା ହୋଇ ଆସିବ ତାହା ସ୍ଥିର ହୋଇ ପାରିଲା ନାହିଁ । ଏଥିପାଇଁ ଚାରିଜଣଙ୍କ ମଧ୍ୟରେ କଳି ଲାଗିଲା । ବିଚାରା ବ୍ରାହ୍ମଣ ମହାଚିନ୍ତାରେ ପଡ଼ିଗଲେ । ପରଦିନ ସେ ରାଜାଙ୍କ ପାଖକୁ ଯାଇ କହିଲା–‘‘ମହାରାଜ ! ମୁଁ କୌଣସି ଜିନିଷ ନେବାକୁ ଚାହେଁ ନାହିଁ ।’’

 

ରାଜା ପଚାରିଲେ–‘‘ତମ ଘରେ କେତେ ଲୋକ ?’’

 

ବ୍ରାହ୍ମଣ କହିଲା– ‘‘ଆଜ୍ଞା, ମୋ ଘରେ ମୋତେ ମିଶାଇ ଚାରି ଜଣ । ଗୋଟିଏ ଜିନିଷ ନେଲେ ଆମ ଘରେ ଅନର୍ଥ ସୃଷ୍ଟି ହେବ । ସେଥିପାଇଁ ମୁଁ କୌଣସି ଗୋଟିଏ ଜିନିଷ ନେବାକୁ ଚାହୁଁ ନାହିଁ ।

 

ରାଜା ବିକ୍ରମାଦିତ୍ୟ ବ୍ରାହ୍ମଣକୁ ଚାରୋଟିଯାକ ଜିନିଷ ଦେଇ ଦେଲେ । ବ୍ରାହ୍ମଣ ସେଗୁଡ଼ିକୁ ନେଇ ଆନନ୍ଦରେ ଘରକୁ ଫେରି ଆସିଲା । ନୂଆ କରି ଘର ଦୁଆର କଲା ଓ ଖୁବ୍‌ ଆରାମରେ ରହିଲା ।

 

(ମଧ୍ୟଭାରତ)

Image

 

ମନ୍ତ୍ରୀଙ୍କ ବୁଦ୍ଧି ପରୀକ୍ଷା

 

ରାଜା କୃଷ୍ଣଦେବ ରାୟଙ୍କ ମନ୍ତ୍ରୀଙ୍କ ନାମ ଅପ୍‌ପାଜୀ । ସେ ଥିଲେ ଖୁବ୍‌ ବୁଦ୍ଧିମାନ୍‌ । ଏକଥା ଦିଲ୍ଲୀର ସୁଲତାନଙ୍କ କାନକୁ ଗଲା । ସେ ଥରେ ମନ୍ତ୍ରୀଙ୍କର ବୁଦ୍ଧି ପରୀକ୍ଷା କରିବା ପାଇଁ ଏକ ଉପାୟ ପାଞ୍ଚିଲେ । ଜଣେ ଭଲ କାରିଗର ଦ୍ୱାରା ତମ୍ବାରେ ଠିକ୍‌ ଏକା ଭଳି ତିନୋଟି ମୂର୍ତ୍ତି ଗଢ଼ାଇଲେ । ସେଇ ମୂର୍ତ୍ତି ତିନୋଟି ମଧ୍ୟରୁ କେଉଁଟି ଉତ୍ତମ, କେଉଁଟି ମଧ୍ୟମ ଓ କେଉଁଟି ସବୁଠାରୁ ଖରାପ ତାହା ପରୀକ୍ଷା କରି ଜଣାଇବା ଲାଗି ସେ କୃଷ୍ଣଦେବ ରାୟଙ୍କ ଦରବାରକୁ ସେଗୁଡ଼ିକୁ ଜଗୁଆଳିଙ୍କ ମାର୍ଫତରେ ପଠାଇଦେଲେ । କୃଷ୍ଣଦେବ ରାୟଙ୍କ ଦରବାରରେ ମୂର୍ତ୍ତିଗୁଡ଼ିକ ପହଞ୍ଚିଲା ପରେ ରାଜା ନିଜେ ମୂର୍ତ୍ତିଗୁଡ଼ିକୁ ବାରମ୍ବାର ପରୀକ୍ଷା କରି ଦେଖିଲେ; ମାତ୍ର ତିନୋଟି ଯାକ ଏକା ଭଳି; ଟିକିଏ ହେଲେ କେଉଁଠି ପାର୍ଥକ୍ୟ ଜାଣାଗଲା ନାହିଁ । ଜଣା ପଡ଼ୁଥିଲା ଯେପରି ଜଣେ କାରିଗର ଗୋଟିଏ ଛାଞ୍ଚରେ ସେଗୁଡ଼ିକୁ ତିଆରି କରିଛି । ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ଦରବାରର ଅନ୍ୟମାନେ ମଧ୍ୟ ପାର୍ଥକ୍ୟ ବାରିବା ଲାଗି ଚେଷ୍ଟା କଲେ । ମାତ୍ର କେଉଁଟି ଉତ୍ତମ, କେଉଁଟି ମଧ୍ୟମ ଓ କେଉଁଟି ଅଧମ ତାହା ଠିକ୍‌ କରି ପାରିଲେ ନାହିଁ ।

 

ତାପରେ ରାଜା ମନ୍ତ୍ରୀ ଅପ୍‌ପାଜୀଙ୍କୁ ଡକାଇଲେ । ଦିଲ୍ଲୀ ସୁଲତାନ ପଠାଇଥିବା ମୂର୍ତ୍ତିମାନଙ୍କ ବିଷୟ ତାଙ୍କୁ କହିଲେ । ମନ୍ତ୍ରୀ ମୂର୍ତ୍ତିଗୁଡ଼ିକୁ କିଛି ସମୟ ଦେଖି କହିଲେ–‘‘ଆଜ୍ଞା, ମୋତେ ଆଜି ମୂର୍ତ୍ତିଗୁଡ଼ିକୁ ଘରକୁ ନେବାକୁ ଅନୁମତି ମିଳୁ । ଏଗୁଡ଼ିକୁ ମୁଁ ଭଲ ଭାବରେ ପରୀକ୍ଷା କରି କାଲି ଆପଣଙ୍କୁ ଏହାର ଫଳ ଶୁଣାଇ ଦେବି ।’’

 

ପରଦିନ ମନ୍ତ୍ରୀ ସେହି ମୂର୍ତ୍ତିଗୁଡ଼ିକୁ ସାଥିରେ ଧରି ଦରବାରକୁ ଆସିଲେ । ମନ୍ତ୍ରୀ କହିଲେ– ‘‘ମହାରାଜ ! ମୁଁ ଏହି ତିନୋଟି ମୂର୍ତ୍ତିକୁ ପରୀକ୍ଷା କଲି । ସେଥିରୁ ମୁଁ ଏହିପରି ଭାବେ ତିନୋଟି ମୂର୍ତ୍ତିକୁ ଉତ୍ତମ, ମଧ୍ୟମ ଓ ଅଧମ ଭାବେ ବାଛି ନେଇଛି’’–ଏହା କହି ତିନୋଟି ମୂର୍ତ୍ତିକୁ ଆଗପଛ କରି ରାଜାଙ୍କ ସାମ୍ନାରେ ରଖି ଦେଲେ । ରାଜା ମଧ୍ୟ ସେଗୁଡ଼ିକୁ ଦେଖି ଏହାର ପାର୍ଥକ୍ୟ ବୁଝିନପାରି ପଚାରିଲେ–‘‘କିପରି ଏହା ତୁମେ କରିଛ ମୋତେ ବୁଝାଇ ଦିଅ ।’’

 

ମନ୍ତ୍ରୀ କହିଲେ– ‘‘ମଣିମା ! ଖୁବ୍‌ ଭଲ ଭାବରେ ମୂର୍ତ୍ତିଗୁଡ଼ିକୁ ପରୀକ୍ଷା କରି ମୁଁ ପ୍ରତ୍ୟେକଟି ମୂର୍ତ୍ତିର କାନରେ ଛିଦ୍ର ହୋଇଥିବା ଦେଖିବାକୁ ପାଇଲି । ଗୋଟିଏ ମୂର୍ତ୍ତିର କାନରେ ତାରଟିଏ ଭର୍ତ୍ତିକରି ଦେଖିଲି ତାହା ମୂର୍ତ୍ତିଟିର ମୁହଁ ବାଟେ ବାହାରି ଆସିଲା । ଅନ୍ୟ ଗୋଟିଏ ମୂର୍ତ୍ତିର କାନରେ ତାର ଭର୍ତ୍ତିକରି ଦେଖିଲି । ତାହା ମୂର୍ତ୍ତିଟିର ଅନ୍ୟ କାନ ବାଟେ ବାହାରି ଆସିଲା । ତୃତୀୟ ମୂର୍ତ୍ତିଟିର କାନରେ ତାର ପୂରାଇବାରୁ ତାହା କୌଣସି ବାଟେ ବାହାରିଲା ନାହିଁ । ଏଥିରୁ ହିଁ କେଉଁ ମୂର୍ତ୍ତିଟି ସବୁଠାରୁ ଭଲ, କେଉଁଟି ମଧ୍ୟମ, ଓ କେଉଁଟି ନିକୃଷ୍ଟ ତାହା ଠିକ୍‌ କରି ପାରିଛି ।’’

 

ରାଜା ପଚାରିଲେ–‘‘ଏଥିରୁ କିପରି ଜାଣିଲ ତାହା ମଧ୍ୟ ଆମେ ଠିକ୍‌ କରି ପାରୁନାହୁଁ ।’’

 

ମନ୍ତ୍ରୀ କହିଲେ–‘‘ମହାରାଜ ! ଯେଉଁ ମୂର୍ତ୍ତିର ମୁହଁ ବାଟେ ତାରଟି ବାହାରି ଆସିଲା, ସେଥିରୁ ସେହି ମୂର୍ତ୍ତିଟି ଯାହାର ତାହାର ଚରିତ୍ର ଜଣାପଡ଼ିଲା । ତା’ର ଅଭ୍ୟାସ ହେଉଛି, ସେ ଯାହା ଶୁଣିବ ତାହା ମନରେ ନରଖି ଚାରିଆଡ଼େ କହିବ । ଯେଉଁ ଲୋକ ପେଟରେ କୌଣସି କଥା ରଖି ପାରେନା ତାକୁ ନୀଚ ଲୋକ ଭାବରେ ଗଣାଯାଏ ଏଣୁ ସେହି ମୂର୍ତ୍ତିଟିକୁ ମୁଁ ସବୁଠାରୁ ଖରାପ ବୋଲି ବିବେଚନା କଲି । ଦ୍ୱିତୀୟ ମୂର୍ତ୍ତିଟିର ଗୋଟିଏ କାନରେ ତାର ଦେଲେ ଅନ୍ୟ କାନରେ ତାହା ବାହାରି ଆସେ । ଏହାର ଅର୍ଥ ହେଉଛି, ଏଇ ଲୋକ ଯାହା ଗୋଟିଏ କାନରେ ଶୁଣେ ତାହା ଅନ୍ୟ କାନରେ ବାହାର କରିଦିଏ । କିଛି ମନରେ ରଖେ ନାହିଁ । ଏଣୁ ସେ ଗୋଟିଏ ମଧ୍ୟମ ଧରଣର ଲୋକ । ମାତ୍ର ତୃତୀୟ ମୂର୍ତ୍ତିର କାନରେ ତାର ପୂରାଇଲେ ତାହା କୌଣସି ବାଟେ ବାହାରେ ନାହିଁ । ଏହାର ଅର୍ଥ, ଏହି ଲୋକ କୌଣସି କଥା ଶୁଣିଲେ ତାହା ମନରେ ରଖିନିଏ । କେଉଁଠି ହେଲେ ବି ତାହା ପ୍ରକାଶ କରେ ନାହିଁ । ଏହିପରି ଲୋକଙ୍କୁ ଉତ୍ତମ ଶ୍ରେଣୀର ଲୋକ ଭାବରେ ଗଣାଯାଇଥାଏ । ଏହି ଧରଣର ଲୋକ କଥାର ସାରତକ ଗ୍ରହଣ କରନ୍ତି । ବାହାରେ ସବୁ ମନୁଷ୍ୟ ସମାନ ଦେଖାଯାଇ ପାରନ୍ତି । ମାତ୍ର ମନୁଷ୍ୟର ପାର୍ଥକ୍ୟ ତା’ର ଆତ୍ମା ଓ ମନରେ ରହିଛି ।’’

 

ରାଜା କୃଷ୍ଣଦେବ ରାୟ ଓ ତାହାଙ୍କ ଦରବାରର ଲୋକମାନେ ଏହା ଶୁଣି ଓ ମୂର୍ତ୍ତିଗୁଡ଼ିକୁ ପରୀକ୍ଷା କରି ଦେଖି ଆନନ୍ଦିତ ହେଲେ । ମନ୍ତ୍ରୀଙ୍କୁ ବହୁତ ପୁରସ୍କାର ଦିଆଗଲା । ସଙ୍ଗେ ସଙ୍ଗେ ମୂର୍ତ୍ତିର ନିମ୍ନରେ କିଏ ଉତ୍ତମ, କିଏ ମଧ୍ୟମ ଓ କିଏ ଖରାପ ତାହା ଲେଖି ରାଜା କୃଷ୍ଣଦେବ ଏଗୁଡ଼ିକୁ ଦିଲ୍ଲୀର ସୁଲତାନଙ୍କ ପାଖକୁ ପଠାଇଦେଲେ ।

 

ସୁଲତାନ ଏଗୁଡ଼ିକୁ ଦେଖି ମନ୍ତ୍ରୀଙ୍କ ବୁଦ୍ଧି କିପରି ସରସ ତାହା ବୁଝିପାରିଲେ ।

 

(ତେଲଙ୍ଗାନା)

Image

 

ଚତୁର ତେନାଲି ରାମ

 

ବିଜୟ ନଗରର ରାଜା କୃଷ୍ଣଦେବ ରାୟଙ୍କ ଦରବାରରେ ଜଣେ ଚତୁର ଓ ବୁଦ୍ଧିମାନ ବ୍ୟକ୍ତିଥିଲେ । ତାଙ୍କ ନାଁ ତେନାଲି ରାମ । କଥା କହି ସମସ୍ତଙ୍କୁ ହସାଇବାରେ ସେ ଥିଲେ ଧୁରନ୍ଧର ।

 

ଥରେ ରାଜା ତେନାଲି ରାମଙ୍କ ଉପରେ ଖୁବ୍‌ ରାଗିଗଲେ । କହିଲେ–‘‘ଯାଅ, ମୋତେ ଆଉ ତୁମେ ମୁହଁ ଦେଖାଇବ ନାହିଁ ।’’

 

ତା’ପରଦିନ ତେନାଲି ରାମ ଆପଣା ମୁହଁକୁ ଗୋଟିଏ ମୁଖାରେ ଘୋଡ଼ାଇ ରାଜାଙ୍କ ଦରବାରରେ ଆସି ପହଞ୍ଚିଲେ । ତାଙ୍କୁ ଏପରି ଦେଖି ଦରବାରର ଲୋକମାନେ ହସିବାକୁ ଲାଗିଲେ । ରାଜା ମଧ୍ୟ ତେନାଲି ରାମଙ୍କ ଏପରି ବେଶ ଦେଖି ଆହୁରି ରାଗିଗଲେ । ଦୁଆରୀଙ୍କୁ ଆଦେଶ ଦେଲେ–‘‘ଏହାକୁ ବନ୍ଦକରି ହାଜତରେ ପକାଇ ଦିଅ ।’’

 

ତେନାଲି ରାମ ଅତି ବିନୟରେ ପଚାରିଲା–‘‘ମହାରାଜ୍‌ ମୋର ଅପରାଧ ?’’

 

ରାଜା କହିଲେ– ‘‘ମୁଁ ପରା ତୁମକୁ କହିଥିଲି ମୋତେ ଆଉ ମୁହଁ ଦେଖାଇବ ନାହିଁ । କେଉଁ ସାହସରେ ତୁମେ ପୁଣି ଏଠାକୁ ଆସିଲ ?’’

 

ତେନାଲି ରାମ ପୂର୍ବ ଅପେକ୍ଷା ଆହୁରି ନମ୍ର ଭାବରେ କହିଲେ– ‘‘ମହାରାଜ୍‌, ମୋର ଅପରାଧ କ୍ଷମା କରନ୍ତୁ । ମୁଁ ଆପଣଙ୍କ ଆଦେଶକୁ ହିଁ ପାଳନ କରିଛି । ଆପଣ କାଳେ ମୋ ମୁହଁକୁ ଦେଖି ପାରିବେ ସେଥିପାଇଁ ମୁଁ ମୋ ମୁହଁକୁ ମୁଖାରେ ଢାଙ୍କି କରି ଆସିଛି ।’’

 

ରାମଙ୍କ କଥା ଶୁଣି ସମସ୍ତେ ହସି ଉଠିଲେ । ରାଜାଙ୍କର ରାଗ ମଧ୍ୟ ଊଣା ହୋଇଗଲା ।

 

ରାମ ଏଥର ରାଜାଙ୍କ ଦରବାରରେ ବେଶ୍‌ ଆରାମରେ ରହିଲେ । ରାଜାଙ୍କ ଅନୁଗ୍ରହରୁ ବେଶ୍‌ ଟଙ୍କା ପଇସା ବି ପାଇଲେ ବିଜୟ ନଗରରେ ନିଜର ଘର ଦୁଆର ବାଡ଼ି ବଗିଚା କରିଥାଆନ୍ତି । ଦିନେ ରାତିରେ ରାମ ସ୍ତ୍ରୀଙ୍କ ସହ କଥାବାର୍ତ୍ତା ହେଉଥାନ୍ତି । ଜାଣି ପାରିଲେ ପଞ୍ଝାଏ ଚୋର ତାଙ୍କ ଘରେ ଚୋରି କରିବାକୁ ଛକିଛନ୍ତି । ପାଚିରି ଆରପଟେ ଲୁଚି ଫୁସ୍‌ ଫୁସ୍‌ ହେଉଛନ୍ତି ।

 

ସେ ସ୍ତ୍ରୀଙ୍କୁ ପାଖକୁ ଡାକିଲେ । ଚୋରଙ୍କୁ ଶୁଣାଗଲା ଭଳି ଉଚ୍ଚ ସ୍ୱରରେ କହିଲେ– ‘‘ହେଇ ଦେଖ ଆଜି କାଲି ସହରରେ ବହୁତ ଚୋର ମାତିଛନ୍ତି । ସେମାନଙ୍କ ଯୋଗୁ ଘର ଭିତରେ ଜିନିଷପତ୍ର ରଖିବାକୁ ବି ଲୋକେ ଡରିଲେଣି । ଯାହାର ଯାହା ମାଲମତା ଅଛି ସେମାନେ ପୋତାପୋତି କରି ଦେଇଛନ୍ତି । ଚାଲ ଆମେ ବି ସେମିତି ଗୋଟାଏ କାମ କରିବା । ଆମର ଯାହା କିଛି ସୁନା ରୁପା ଦାମିକା ଜିନିଷ ଅଛି ତାକୁ ଗୋଟାଏ ବଡ଼ବାକ୍‌ସରେ ପୂରାଇ ବଗିଚାରେ ଥିବା କୂଅ ଭିତରକୁ ପକାଇ ଦେବା । ଏକଥା ଯେମିତି ଆଉ କେହି ନ ଜାଣନ୍ତି ।’’

 

ଚୋରମାନେ ଏହା ଶୁଣି ଖୁବ୍‌ ଖୁସି ହୋଇଗଲେ । ରାମ ଗୋଟାଏ ବଡ଼ ବାକ୍‌ସ ଆଣି ସେଥିରେ ଇଟା, ପଥର ପ୍ରଭୃତି ଏଣୁ ତେଣୁ ବାଜେ ଜିନିଷଗୁଡ଼ାଏ ଭର୍ତ୍ତିକରି ଦେଲେ । ତା’ପରେ ସେ ସେଇ ବାକ୍‌ସଟିକୁ ନେଇ କୂଅରେ ପକାଇ ଦେଲେ । କୂଅରେ ବାକ୍‌ସଟି ପଡ଼ିବାରୁ ଶବ୍ଦ ହେଲା । ଚୋରମାନେ ଜାଣିଲେ ତେନାଲି ରାମ ତାଙ୍କ ଦାମିକା ଜିନିଷଥିବା ବାକ୍‌ସଟିକୁ କୂଅରେ ପକାଇଦେଲେ ବୋଲି । ଏଣେ ତେନାଲି ରାମ ବାକ୍‌ସଟି କୂଅରେ ପକାଇଦେଇ ଘରକୁ ଫେରିଆସି ସବୁଦିନ ଭଳି ଆରାମରେ ଶୋଇଲେ ।

 

ରାତି ବେଶି ହେଲା । ଚୋରମାନେ ଲୁଚିଥିବା ଜାଗାରୁ ବାହାରି ସେଇ କୂଅ ନିକଟକୁ ଆସିଲେ । କୂଅଟି ଖୁବ୍‌ ଗହୀରିଆ । ଭାବିଲେ କୂଅରୁ କିପରି ବାକ୍‌ସଟି କାଢ଼ିବା । ରାତିରେ କୂଅ ଭିତରକୁ ପଶି ଓଦାହେବାକୁ କାହାରି ସାହସ ହେଲାନାହିଁ । ସ୍ଥିରହେଲା କୂଅପାଣି ଶୁଖାଇ ବାକ୍‌ସଟି କାଢ଼ିବେ । ତେଣୁ ସେମାନେ ଗରା, ବାଲଟି, ଦଉଡ଼ି ଆଣି କୂଅରୁ ପାଣି ବୁହାଇବାକୁ ଆରମ୍ଭକଲେ; ମାତ୍ର ସେଇ କୂଅଟାରେ ବହୁତ ପାଣି । ଯେତେ ପାଣି କାଢ଼ିଲେ ବି କୂଅରୁ ପାଣି ଶୁଖିଲାନାହିଁ । ଚୋରମାନେ ପାଣି ବୁହାଇ ବୁହାଇ ଥକିଗଲେ । ପାଣି ବୁହାଉ ବୁହାଉ ପାହାନ୍ତା ହୋଇଆସିଲା । ହଠାତ୍‌ ଏତିକିବେଳେ ରାମ୍‌ଙ୍କ ବାରି ଦୁଆର ଫିଟିଲା । ଭିତରୁ ରାମଙ୍କ ପାଟି ଶୁଭିଲା–‘‘ଆରେ ଭାଇ ! ମୋ ବଗିଚା ଗଛଗୁଡ଼ାକ ଯଥେଷ୍ଟ ପାଣି ପାଇଗଲାଣି । ଆଉ କାହିଁକି ପାଣି ଦେଉଛ ?’’

 

ଚୋରମାନେ ରାମଙ୍କ ପାଟି ଶୁଣି ଯେ ଯୁଆଡ଼େ ପଳାଇଗଲେ ।

 

ଆଉ ଥରେ ରାଜା ତେନାଲିରାମଙ୍କ ଉପରେ ଭୀଷଣ ରାଗିଯାଇ କହିଲେ– ‘‘ଏଇ ଲୋକଟାକୁ ନଈକୂଳକୁ ନେଇ ମାଟିରେ ପୋତି ତା’ ମୁଣ୍ଡକୁ ହାତୀଦ୍ୱାରା ଦଳିଦିଅ ।’’

 

ସଙ୍ଗେ ସଙ୍ଗେ ରାଜାଙ୍କ ପାଇକ, କଟୁଆଳ ରାମଙ୍କୁ ନଈ କୂଳକୁ ଧରିନେଲେ । ସେଠାରେ ଗାତ ଖୋଳି ତାଙ୍କୁ ବେକ ପର୍ଯ୍ୟନ୍ତ ପୋତିଦେଲେ । ତାଙ୍କ ବେକଠାରୁ ମୁଣ୍ଡ ପର୍ଯ୍ୟନ୍ତ କେବଳ ବାହାରକୁ ଦିଶୁଥାଏ । ବିପଦରେ ଧୈର୍ଯ୍ୟଧରିବା କଥା । ଏତେ ବିପଦରେ ପଡ଼ି ମଧ୍ୟ ରାମ ମନରୁ ଦମ୍ଭ ଓ ସାହସ ଛାଡ଼ିନଥାନ୍ତି ।

 

ପାଇକମାନେ ରାମଙ୍କୁ ପୋତିଦେଇ ହାତୀଟିଏ ଆଣିବା ଲାଗି ହାତିଶାଳକୁ ବାହାରିଲେ । ଏହା ଦେଖି ରାମ କହିଲେ–‘‘ଭାଇମାନେ, ମୋତେ ପ୍ରବଳ ଶୋଷହେଉଛି, ମୁନ୍ଦାଏ ପାଣି ଦିଅ ।’’

 

ରାମଙ୍କ କଥାରେ ପାଇକମାନଙ୍କର ବିଶ୍ୱାସ ହେଲାନାହିଁ । ରାମଙ୍କ ଭଳି ଲୋକକୁ ବା କୋଉ ବିଶ୍ୱାସ ! ଜଣେ କହିଲା–ଶୋଷହେବା କଥା ମିଛ–ଡେରିରେ ମରିବା ଲାଗି ତୁମର ଏଇଟା ଗୋଟାଏ ଫିକର । ଯା’ହେଉ, ଆମେ ଫେରିଲାବେଳେ ତୁମ ପାଇଁ ପାଣି ଆଣିବୁ । ତମେ ପାଣି ପିଇସାରିଲା ପରେ ତୁମ ମୁଣ୍ଡକୁ ହାତୀ ପାଦରେ ଦଳିଦିଆଯିବ ।’

 

ରାମ କହିଲେ–‘‘ନାଇଁ ଭାଇ, ଏବେ ଶୋଷରେ ମୋ ଛାତି ଫାଟିଯାଉଛି । ତୁମେ ଫେରିଲାବେଳକୁ ଡେରି ହେବ–ସେତେବେଳକୁ ମୁଁ ହୁଏତ ମରିଯାଇଥିବି । ଏଣୁ ତମେ ରାଜାଙ୍କ ଆଦେଶକୁ ଠିକ୍‌ଭାବରେ ପାଳିବା ସମ୍ଭବ ହେବନାହିଁ । ଓଲଟି ରାଜା ତୁମକୁ ଦଣ୍ଡିବେ । ଏଣୁ ମୋତେ ଆଗ ପାଣି ଦେଇଯାଅ ।’’

 

ତେନାଲିରାମ କଥାରେ ପାଇକମାନଙ୍କର ବିଶ୍ୱାସ ଜନ୍ମିଲା । ସେମାନେ ପାଖରେ ଥିବା ନଈଘାଟକୁ ଗଲେ । ଦେଖିଲେ, ସେଠାରେ ଜଣେ କୁଜା ଧୋବା ଲୁଗା କାଚୁଛି । ସେମାନେ ତାକୁ କହିଲେ–‘‘ଆରେ ଏଇ ପଡ଼ିଆରେ ପୋତା ହୋଇଥିବା ଲୋକଟାକୁ ଯାଇ ଢାଳେ ପାଣି ପିଇବାକୁ ଦେଇ ଆ ।’’ ଏହା କହିଦେଇ ସେମାନେ ହାତୀ ଆଣିବାକୁ ଚାଲିଗଲେ ।

 

ରଜାଘର ପାଇକଙ୍କ କଥା ଅନୁଯାୟୀ ଧୋବାଟି ସଙ୍ଗେ ସଙ୍ଗେ ଢାଳେ ପାଣି ନେଇ ତେନାଲିରାମଙ୍କ ପାଖକୁ ଗଲା । ରାମ ପାଣିତକ ପିଇଦେଇ ଆଖି ମୁଦି ‘ଦୁର୍ଗା’, ‘ଦୁର୍ଗା’ ଜପିବାକୁ ଲାଗିଲେ । ଧୋବା ଭାବିଲା ଇଏ ଜଣେ ସାଧୁ ପୁରୁଷ । ସେ ପଚାରିଲା–‘ମହାପ୍ରଭୁ ! ଆପଣ ଏପରି ବେକପର୍ଯ୍ୟନ୍ତ ପୋତା ହୋଇ କି ସାଧନା କରୁଛନ୍ତି ?’

 

ରାମ ଆଖି ଖୋଲି କହିଲେ– ‘‘ଆରେ ମୂର୍ଖ ! ତୋ ପିଠିରେ ଯେପରି ଗୋଟାଏ କୁଜ ହୋଇଛି, ମୋ ପିଠିରେ ମଧ୍ୟ ସେହିପରି ଗୋଟିଏ କୁଜ ହୋଇଥିଲା । ଜଣେ ବୈଦ୍ୟ ଏହିପରି ଭୂମିରେ ପୋତାହୋଇ ଦୁର୍ଗାମନ୍ତ୍ର ଜପିବା ଲାଗି ମୋତେ ପରାମର୍ଶ ଦେଲେ । ତାହା ପାଳିବାରୁ ଏବେ ମୋର କୁଜଟି ଭଲ ହୋଇଯାଇଛି । ଏଣୁ ମୁଁ ଦୁର୍ଗାନାମ ଜପକରୁଛି ।

 

କୁଜା ଧୋବା ମୁଣ୍ଡ ହଲାଇ କହିଲା–‘‘ଏହା ଏକ ଆଶ୍ଚର୍ଯ୍ୟର କଥା । ତଥାପି ମୋର ସଂପୂର୍ଣ୍ଣ ବିଶ୍ୱାସ ହେଉନାହିଁ ।’’

 

ତେନାଲୀ ରାମ କହିଲା–‘‘ଏଥିରେ ଅବିଶ୍ୱାସ କରିବାର କ’ଣ ଅଛି ?’’ ମା’ ଦୁର୍ଗା ଦେବୀ ଯାହା ଚାହିଁବେ, ତାହା କରିପାରିବେ । ଯଦି ତୋର ପରୀକ୍ଷା କରିବାକୁ ଇଚ୍ଛା, ତେବେ ମୋତେ ଏଠାରୁ ଉଠାଇ ପରୀକ୍ଷାକରି ଦେଖ । ତା’ହେଲେ ମୋ କଥା ସତ କି ମିଛ ବୁଝିପାରିବୁ ।’’

 

ଏହା ପରୀକ୍ଷା କରିବା ଉଦ୍ଦେଶ୍ୟରେ ଧୋବା ମାଟି ଖୋଳି ତେନାଲିରାମକୁ ବାହାରକୁ ଆଣିଲା । ତାହା ପିଠିରେ କୁଜ ନ ଥିବା ଓ ସେ ସଂପୂର୍ଣ୍ଣ ସୁସ୍ଥ ଦେଖି ତେନାଲିରାମଙ୍କ କଥାରେ ତାହାର ସଂପୂର୍ଣ୍ଣ ବିଶ୍ୱାସ ଜନ୍ମିଲା । ତହୁଁ ଆପଣାର କୁଜଟି ଭଲହେବା ଲାଗି ସେ ତେନାଲିରାମଙ୍କୁ ଅନୁରୋଧ କରି କହିଲା–‘‘ଭାଇ ମୁଁ ଏ କୁଜଯୋଗୁଁ ବଡ଼ କଷ୍ଟ ପାଉଛି । ମୋତେ ଦୟାକରି ଏହିପରି ମାଟିରେ ପୋତି ମନ୍ତ୍ରଟି ଶିଖାଇଦିଅ ।’’

 

ଧୋବାର ବହୁ କାକୁତି ମିନତି ଫଳରେ ତେନାଲିରାମ ତାହାକୁ ସେହି ସ୍ଥାନରେ ପୂର୍ବପରି ପୋତିଦେଲେ ଓ ସତର୍କ କରାଇ କହିଲେ–‘‘ଦେଖ୍‌, ଯଦି ରାଜାଙ୍କର ପାଇକମାନେ ଏଠାକୁ ଆସି ତୋତେ କିଛି କହନ୍ତି, ତେବେ ତୁ କେବଳ ଏତିକି କହିବୁ–‘‘ପ୍ରଥମେ ରାଜାଙ୍କୁ ଯାଇ ପଚାରି ଆସ ।’’

 

ଏହାପରେ ତେନାଲିରାମ ଯାଇ ରାଜାଙ୍କ ଦରବାରରେ ପହଞ୍ଚିଲେ । ରାଜା ତେନାଲିରାମକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ରାଗିଯାଇ ପଚାରିଲେ–‘‘ତୁମେ ଏଠାକୁ କିପରି ଆସିଲ ?’’ ତୁମକୁ ମାଟିରେ ପୋତି ତୁମ ମୁଣ୍ଡକୁ ଦଳି ଦେବାଲାଗି ପରା ମୁଁ ଆଦେଶ ଦେଇଛି ।’’

 

ତେନାଲିରାମ ଉତ୍ତର ଦେଲେ–‘‘ମହାରାଜ ! ଜଣେ ଧୋବା ଦୁର୍ବୁଦ୍ଧିଯୋଗୁ ମୋତେ ଗାତରୁ ଉଦ୍ଧାରକରି ନିଜେ ସେହି ଗାତରେ ପୋତା ହୋଇଅଛି ।

 

ରାଜା ଏହି ରହସ୍ୟର ମର୍ମ ବୁଝି ନ ପାରିବାରୁ ତେନାଲିରାମ ତାହାଙ୍କୁ ପ୍ରକୃତ ଘଟଣାଟି ଜଣାଇଦେଲେ । ରାଜା ଏହା ଶୁଣି ହସିବା ସଙ୍ଗେ ସଙ୍ଗେ ତେନାଲିରାମକୁ କ୍ଷମାକଲେ ଓ ପାଇକମାନଙ୍କୁ ପଠାଇ ଧୋବାକୁ ବିପଦରୁ ରକ୍ଷାକଲେ ।

 

(ଆନ୍ଧ୍ର)

Image

 

ଦୁଇ ଲଢ଼ାଳୀ

 

ତା’ଭଳି ବଳୁଆ ସେ ରାଜ୍ୟରେ ନଥିଲେ । ମାଲ କୁସ୍ତିରେ କିଏ ବା ତା’ ସଙ୍ଗେ ପାରିବ ? ବାଇଶ ଜଣକ ବଳ ଯେତିକି, ଏକା ତା’ ବଳ ସେତିକି । ଜଗତରେ ତା’ଠାରୁ ବଳୁଆ କେହି ନାହିଁ । ଏଇଆ ଭାବି ନିର୍ଭୟରେ ସେ ବୁଲୁଥାଏ । ଥରେ ସେ ଶୁଣିଲା, ଆଉ ଗୋଟିଏ ରାଜ୍ୟରେ ଜଣେ ଲଢ଼ାଳୀ ଅଛି, ତା’ର ବଳ ତେଇଶ ଜଣଙ୍କ ବଳ ସଙ୍ଗେ ସମାନ । ଏହା ଶୁଣି ବାଇଶ ବଳୁଆ ମନଟା ବିଗିଡ଼ିଗଲା । ତାକୁ ନ ହଟେଇଲେ ନଚଳେ । ଜଗତରେ ତାକୁ ଆଉ କିଏ ବା ମାନିବ ? ଦିନେ ସେ ତେଇଶ ବଳୁଆକୁ ହରେଇବା ଲାଗି ତା’ ରାଜ୍ୟକୁ ବାହାରିପଡ଼ିଲା ।

 

ଏତେ ତରବରରେ ବାହାରି ପଡ଼ିଲା ଯେ ଘରୁ ଗଣ୍ଡାଏ ଖାଇକରି ଯିବାକୁ ମଧ୍ୟ ଭୁଲିଗଲା । କାନ୍ଧରେ କେବଳ ଥଳିଟିଏ ପକେଇ ସେ ଆଗେଇ ଚାଲିଲା । ଯାଉ ଯାଉ ଦେଖିଲା, ତା’ ଥଳିରେ ମୋଟେ ଚବିଶ ମହଣର ଅଟା ରହିଛି । ଭାବିଲା, ସେତକ ଚକଟି ଜଳଖିଆ ଭାବେ ଖାଇ ଏ ବେଳଟା ଚଳେଇ ନେବ; ମାତ୍ର ଖାଇବ କେଉଁଥିରେ ! କଂସା ବା ଥାଳି କାହିଁ ? କିଛି ବାଟ ଗଲାପରେ ଗୋଟିଏ ପୋଖରୀ ପଡ଼ିଲା । ସେ ସେଇ ପୋଖରୀରେ ତା’ ପାଖେ ଥିବା ସବୁତକ ଅଟା ଢାଳିଦେଲା । ପାଣିରେ ପଡ଼ିବାରୁ ଅଟାତକ ଗୋଳି ହୋଇଗଲା । ଏଥର ସେ ପୋଖରୀ କୂଳରେ ବସି ସବୁତକ ପାଣି ଶୋଷିଦେଲା । ଅଳ୍ପ ହେଉ ପଛକେ ପେଟରେ ସେତକ ପଡ଼ିଯିବାରୁ କିଛି ସମୟ ପାଇଁ ତା’ର ଭୋକ ଟିକିଏ କମିଗଲା । ସେତେବେଳକୁ ଦ୍ୱିପ୍ରହର । ବାଇଶ ବଳୁଆ ଭାବିଲା, ଖାଇସାରି ପୋଖରୀ କୂଳରେ ଟିକିଏ ବିଶ୍ରାମନେବା ଦରକାରା । ଏଇଆ ଭାବି ସେ ପୋଖରୀ କୂଳରେ ଥିବା ଗୋଟିଏ ଗଛମୂଳେ ଗୋଡ଼ହାତ ଲମ୍ବାଇ ଶୋଇପଡ଼ିଲା । ତାକୁ ଛାଇ ନିଦ ଲାଗିଆସିଥାଏ । ଏତିକିବେଳେ ଗୋଟିଏ ବଣୁଆ ହାତୀ ସେଇ ପାଖରୀକୁ ପାଣି ପିଇବାକୁ ଆସିଲା । ହାତୀ ଦେଖିଲା ପୋଖରୀଟା ଶୁଖିଲା ପଡ଼ିଛି । କୂଳରେ ଶୋଇଥିବା ଲୋକଟା ସବୁତକ ପାଣି ପିଇଦେଇଛି ଠଉରେଇ, ସେ ବାଇଶ ବଳୁଆକୁ ଗୋଡ଼ରେ ଦଳିଦେବାକୁ ବସିଲା । ତା’ ଉପରେ ଗୋଡ଼ ଥୋଇବା ମାତ୍ରେ ବାଇଶ ବଳୁଆର ନିଦ ବାଉଳାରେ ମନେହେଲା, ତାକୁ ବୋଧହୁଏ ଗୋଟାଏ ମଶା କାମୁଡ଼ୁଛି । ଏହା ଭାବି ସେ ହାତୀକୁ ଚାପୁଡ଼ାଏ ମାରି କର ଲେଉଟାଇ ଶୋଇଲା । ସେତିକିରେ ହାତୀଟି ମରି ଶୋଇଲା ।

 

ଅଳ୍ପ ସମୟପରେ ବାଇଶ ବଳୁଆ ନିଦରୁ ଉଠିଲା ଓ ତେଇଶ ବଳୁଆର ଘର ଆଡ଼କୁ ଚାଲିଲା । ସଂଧ୍ୟାବେଳକୁ ସେ ତା’ ଘର ପାଖେ ପହଞ୍ଚି ଫାଟକ ପାଖରେ ଡାକିଲା; ମାତ୍ର ତା’ର ପାଟି ଶୁଣି କେହି ଜବାବ ଦେଲେନାହିଁ । ବାଇଶ ବଳୁଆ ରାଗିଯାଇ ମାଟି ଉପରେ ଖୁବ୍‌ ଜୋରରେ ପାଦ କଚାଡ଼ିବାକୁ ଲାଗିଲା । ଏହା ଫଳରେ ପ୍ରଚଣ୍ଡ ଶବ୍ଦରେ ଚାରିଆଡ଼ କମ୍ପିଉଠିଲା । ସେଇ ଶବ୍ଦରେ ତେଇଶ ବଳୁଆ ଘରୁ ନଅ ବର୍ଷର ଝିଅଟିଏ ବାହାରି ଆସି ପିଲାଳିଆ କଣ୍ଠରେ କହିଲା–‘‘ଓଃ ତମେ ଏଠି ଡାକୁଛ ? ମୁଁ ଭାବିଲି, ସବୁଦିନ ଭଳି ସେଇ ବିଲେଇଟା ଆସି ମାଟି ଆମ୍ପୁଡ଼ୁଛି ।’’

 

ଝିଅଟିର ଏପରି କଥାରେ ବାଇଶ ବଳୁଆ ନିଜକୁ ଭାରି ଛୋଟ ମନେକଲା । ଥକ୍‌କା ମାରିବା ଲାଗି ଗୋଟିଏ ବଡ଼ ତାଳ ଗଛକୁ ଆଉଜି ସେ ଝିଅକୁ ପଚାରିଲା–‘‘ଆଲୋ ମା ! ତେଇଶ ବଳୁଆ କ’ଣ ତୋ’ ବାପା ? ସେ କାହାନ୍ତି ?’’

 

ଝିଅଟି କହିଲା–‘‘ହଁ, ସେ ମୋ ବାପା । ଏବେ ନଈକୂଳକୁ ଯାଇଛନ୍ତି । ଟିକିଏ ଅପେକ୍ଷା କର । ସେ ସଙ୍ଗେ ସଙ୍ଗେ ଫେରିଆସିବେ ।’’ ବାଇଶ ବଳୁଆକୁ ତାଳ ଗଛରେ ଆଉଜିଥିବାର ଦେଖି, ଝିଅଟି କହିଲା–‘‘ସେ ଗଛରେ ନଦି ହୁଅନାହିଁ । ଗଛଟା ନଇଁଯିବ । ଆଉ ଟିକିଏ ବଡ଼ ହୋଇଗଲେ ଦାନ୍ତକାଠି କରିବେ ବୋଲି ବାପା ସେଇଟିକୁ ଲଗାଇଛନ୍ତି ।’’

 

ବାଇଶ ବଳୁଆ ଝିଅର କଥାକୁ ବିଶ୍ୱାସ କରିପାରିଲାନାହିଁ । ସେ ମନେମନେ ଭାବିଲା, ଯେଉଁ ଲୋକ ଏତେ ବଡ଼ ଗଛକୁ ଦାନ୍ତକାଠି କରୁଛି, ସେ କେତେ ବଳୁଆ ହୋଇ ନ ଥିବ ? ତା’ପରେ ସେ ତେଇଶ ବଳୁଆର ଆସିବାକୁ ଅପେକ୍ଷା ନ କରି ନଈକୂଳକୁ ଚାଲିଲା । ସେଠାରେ ତେଇଶ ବଳୁଆ ସଙ୍ଗେ ଭେଟ ହେବାମାତ୍ରେ ଦୁହିଁଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଲାଗିଗଲା ।

 

ଏତିକିବେଳେ ବୁଢ଼ୀଟିଏ ତା’ର ଛେଳି ଗୋଠଧରି ଘରକୁ ଫେରୁଥିଲା । ବାଟରେ ଏହି ଦୁଇ ଜଣଙ୍କୁ ଦେଖି କହିଲା–‘‘ପିଲାଏ, ଏଠି ବାଟରେ କାହିଁକି ଖେଳୁଛ ? ଖେଳ ବନ୍ଦକର, ମୁଁ ମୋ ଛେଳିଙ୍କୁ ନେଇ ଚାଲିଗଲାପରେ ଖେଳିବ ।’’

 

ଏକଥା ଶୁଣି ଦୁଇ ଲଢ଼ାଳୀ ଆଉ ଲଢ଼ିବେ କ’ଣ ଥକ୍‌କା ହୋଇ ରାସ୍ତା ଉପରେ ବସିଗଲେ । ତାଙ୍କ ଭଳି ଦୁଇଜଣ ବଳୁଆଙ୍କୁ ବୁଢ଼ୀ ପୁଣି ପିଲାବୋଲି କହୁଛି ? ତା’ ହେଲେ ସେ ବୁଢ଼ୀ କେଡ଼େ ବଳୁଆ ହୋଇ ନଥିବ ? ସେମାନେ ଏଇଆ ଭାବୁଥିବା ବେଳେ ବୁଢ଼ୀଟି ଦୁଇ ମାଲଙ୍କୁ ତା’ କାନ୍ଧରେ ବସାଇ ଛେଳି ଗୋଠକୁ ତା’ ଲୁଗା କାନିରେ ବାନ୍ଧି ବାଟେ ବାଟେ ଚାଲିଲା । ଏତିକିବେଳେ ପକ୍ଷିରାଜ ଗରୁଡ଼ ସେହିବାଟେ ଆକାଶରେ ଉଡ଼ି ଯାଉଥିଲା । ବୁଢ଼ୀକୁ ଦେଖି ଖାଇବାକୁ ଭଲ ଚିଜଟାଏ ମିଳିଗଲା ଭାବି ସେହି ବୁଢ଼ୀକୁ ଥଣ୍ଟରେ ଧରି ଉଡ଼ିଗଲା ।

 

ଗରୁଡ଼ ଉଡ଼ି ଯାଉଯାଉ ଗୋଟିଏ ଦେଶରେ ପହଞ୍ଚିଲା । ସେଇ ରାଇଜର ରାଜାଙ୍କ ଝିଅ ସେତିକିବେଳେ ନଅର ଛାତ ଉପରେ ବସି ସଖୀମାନଙ୍କଠାରୁ କାହାଣୀ ଶୁଣୁଥାଏ । ଏଇ ସମୟରେ ଖୁବ୍‌ ଦମକାଏ ପବନ ବହି ଆସିଲା । ରାଜକୁମାରୀ ଆଖିରେ କ’ଣ ଟିକିଏ ମଇଳା ପଡ଼ିଗଲା । ରାଜକୁମାରୀ ତା’ର ଜଣେ ସଖୀକୁ ଡାକି କହିଲା– ‘‘ଦେଖିଲୁ, ଦେଖିଲୁ, ପବନରେ କ’ଣ ଗୋଟିଏ ଉଡ଼ିଆସି ମୋ ଆଖିରେ ପଡ଼ିଯାଇଛି ।’’ ସଖୀଟି ରାଜାଝିଅ ଆଖିରୁ ସେଇ ଗୁଣ୍ଡଟି କାଢ଼ିଦେଲା । ରାଜକୁମାରୀର ଆଖିକୁ ଟିକିଏ କଷ୍ଟହେଲା । ତା’ ଆଖିରୁ ଟୋପାଏ ଲୁହ ବି ଝରିପଡ଼ିଲା । ତା’ପରେ ରାଜକୁମାରୀ ଦେଖିଲା, ତା’ ଆଖିରେ ପଡ଼ିଥିବା ସେଇ ମଇଳାଟି ହେଉଛି ଗୋଟିଏ ବୁଢ଼ୀ, ତା’ କାନ୍ଧରେ ଲଢ଼ୁଥିବା ଦୁଇଜଣ ମଣିଷ ଓ ତା’ ଲୁଗାରେ ବନ୍ଧା ହୋଇଥିବା ଦଳେ ଛେଳି । ଯେଉଁ ଦମକାଏ ପବନରେ ଗୁଣ୍ଡଟିଏ ଆସି ରାଜାଝିଅ ଆଖିରେ ପଡ଼ିଥିଲା, ତାହା ଥିଲା ଗୋଟାଏ ପ୍ରବଳ ଝଡ଼ । ଏହା ଫଳରେ ଗରୁଡ଼ ସମ୍ଭାଳି ନପାରିବାରୁ ତା’ ଥଣ୍ଟରୁ ବୁଢ଼ୀଟା ତଳକୁ ଖସିପଡ଼ିଥିଲା ।

 

(ବଙ୍ଗଳା)

Image

 

କୋକି ଓ କଇଁଛ

 

କୋକି ଥରେ ଚାଟଶାଳୀଟିଏ କରିଥାଏ । କଇଁଛର ସାତୋଟି ଛୁଆ । ସେମାନଙ୍କୁ ପାଠ ପଢ଼ାଇବାକୁ ତା’ର ଭାରି ଇଚ୍ଛା । ଦିନେ ସେ ତା’ର ପିଲାମାନଙ୍କୁ ନେଇ କୋକି ମାଷ୍ଟ୍ରଙ୍କ ଚାହାଳୀକୁ ଗଲା । କହିଲା–‘‘ତମ ଭଳି ମାଷ୍ଟ୍ରେ ଥାଉ ଥାଉ ମୋ ପିଲା କ’ଣ ମୂର୍ଖ ହେବେ ! ତାଙ୍କୁ କିଛି ପାଠଶାଠ ଶିଖାଇ ଦିଅ ।’’

 

କଇଁଛର ସାନ ସାନ ପିଲାଙ୍କୁ ଦେଖି କୋକିର ମଦ ଭାରି ଖୁସି । ପାଟିରୁ ଲାଳ ବୋହିଲା । ସେ କହିଲା–‘‘ହଉ, ତୁମେ ସେମାନଙ୍କୁ ଏଇଠି ଛାଡ଼ିଦେଇଯାଅ । ଆଜିଠାରୁ ସେମାନଙ୍କର ବିଷୟ ମୋତେ ଲାଗିଲା ।

 

କଇଁଛ ଛୁଆମାନଙ୍କୁ କୋକି ପାଖେ ଛାଡ଼ିଦେଇ ଆନନ୍ଦରେ ଫେରିଗଲା । ଭାବିଲା, ଏଥର ମୋ ପିଲାଏ ଏଭଳି ଯୋଗ୍ୟ ଗୁରୁଙ୍କ ପାଖେ ପାଠପଢ଼ି ପାରିଲାର ହୋଇଯିବେ ।

 

ଦିନେ ଦୁଇଦିନ ଗଲା । ତୃତୀୟ ଦିନ କଇଁଛର ଇଚ୍ଛାହେଲା, ଚାହାଳୀକୁ ଯାଇ ପିଲାଙ୍କୁ ଟିକିଏ ଦେଖିଆସିବ । ଏହା ଭିତରେ ସାତୋଟି ଛୁଆ ଭିତରୁ ଗୋଟିଏ ମାଷ୍ଟ୍ରଙ୍କ ଜଳଖିଆରେ ଲାଗି ସାରିଥାଏ । କୋକି ମାଷ୍ଟ୍ରେ କିନ୍ତୁ ମହା ଚତୁର । ସେ ଗୋଟି ଗୋଟି କରି ଛଅଟି ଛୁଆଙ୍କୁ ଓ ଶେଷ ଛୁଆଟିକୁ ଦୁଇଥର ଆଣି ଦେଖାଇଦେଲେ । ଏଣୁ କଇଁଛ ତା’ ଛୁଆଙ୍କ ସଂଖ୍ୟା କମିବା ବିଷୟ ଜାଣିପାରିଲାନାହିଁ । ଏମିତି କୋକି ମାଷ୍ଟ୍ରେ କଇଁଛର ଛଅଟି ଛୁଆଙ୍କୁ ଜଳଖିଆ କରିଦେଲେ । ଶେଷକୁ ଗୋଟିଏ ମାତ୍ର ଛୁଆ ଥାଏ । କଇଁଛ ତା’ ଛୁଆକୁ ଦେଖିବା ଲାଗି ଆସିଥାଏ । ମାଷ୍ଟ୍ରେ ସେହି ଛୁଆଟିକୁ ଆଣି କଇଁଛକୁ ଦେଖାଇ ପୁଣି ପାଠଶାଳା ଭିତରକୁ ନେଇଯାଆନ୍ତି । ପୁଣି ସେଇ ଛୁଆଟିକୁ ଆଣି କଇଁଛକୁ ଦେଖାନ୍ତି । ଏହିପରି ସେ ସାତଥର ତାକୁ ଆଣି କଇଁଛକୁ ଦେଖାଇଲେ । କଇଁଛ ଭାବିଲା, ତା’ର ସାତୋଟିଯାକ ପିଲା ରହି ବେଶ୍‌ ଆରାମରେ ପଢ଼ାପଢ଼ି କରୁଛନ୍ତି ।

 

ଶେଷକୁ ମାଷ୍ଟ୍ରେ ସେଇ ଛୁଆଟିକୁ ମଧ୍ୟ ଖାଇ ଶେଷ କରିଦେଲେ । ଏହାପରେ କଇଁଛ ଦିନେ ତା’ ଛୁଆଙ୍କୁ ଦେଖିବାକୁ ଆସିଲା । ମାଷ୍ଟ୍ରେ କହିଲେ–‘‘ତୁମ ପିଲାଙ୍କର ସ୍କୁଲ ପାଠ ଶେଷ ହୋଇଯାଇଛି । ସେମାନେ ଏବେ କଲେଜ ପାଠ ପଢ଼ିବାକୁ ଯାଇଛନ୍ତି । କଇଁଛର ବିଶ୍ୱାସ ହେଲାନାହିଁ । ସେ ବୁଝିପାରିଲା ଯେ କୋକି ତାକୁ ମିଛ କହି ଭଣ୍ଡାଉଛି । ତା’ର ସବୁ ଛୁଆଙ୍କୁ ସେ ଖାଇଦେଇଛି । ସେ ପ୍ରତିଜ୍ଞା କଲା, ନିଶ୍ଚୟ ଏହାର ପ୍ରତିଶୋଧ ନେବ । ସେହିଦିନଠୁ ସେ ତାକୁ ମାରିବାପାଇଁ ଛକିଲା ।

 

ଦିନେ କୋକିଶିଆଳୀ ନାଳ ପାର ହେଉଥାଏ । ଏତିକିବେଳେ କଇଁଛ ପାଣିରେ ରହି କୋକିର ଗୋଟାଏ ଗୋଡ଼କୁ କାମୁଡ଼ି ଧରିଲା । କୋକି ବୁଦ୍ଧିଆଙ୍କ ଗୁରୁ । ବିପଦରେ ପଡ଼ିଲେ ବି ବିଚଳିତ ନ ହୋଇ ସେ କହିଲା–‘‘ବାଃ ବାଃ ! ମୋର କପାଳ ଭଲ । ଟିକେକେ ମୁଁ ରକ୍ଷା ପାଇଗଲି । ବୋକା କଇଁଛଟା ପାଟିରେ ଗୋଟାଏ କାଠ କାମୁଡ଼ିଛି । ମୋ ଗୋଡ଼ଗୁଡ଼ିକ ତା’ କବଳରୁ ରକ୍ଷା ପାଇଯାଇଛି ।’’ କଇଁଛ ଭାବିଲା, ମୋର ଭୁଲ୍ ହୋଇଯାଇଛି । ଏହା ଭାବି ସେ କୋକି ଗୋଡ଼କୁ ପାଟିରୁ ଛାଡ଼ିଦେଲା ।

 

ଆଉଦିନେ କୋକିଶିଆଳୀ ଛୋଟ କେନାଲକୁ କିପରି ପାରିହେବ ସେ କଥା ଭାବୁଥାଏ । ଆରେ କୂଳରେ ତା’ର ଗୋଟିଏ ଜରୁରୀ କାମ ଥାଏ । କଇଁଛଟି କାଳେ ପୁଣି ତାକୁ ଧରି ପକାଇବ ଏଥିପାଇଁ ସେ ଖୁବ୍‌ ସତର୍କ ହୋଇ ପାଣି ଭିତରକୁ ପାଦ ପକାଉଥାଏ । ଏଣେ କଇଁଛଟି କୋକିକୁ ଧରିବା ଲାଗି ବହୁତ ସମୟ ଅପେକ୍ଷା କରି ଅସ୍ଥିର ହୋଇପଡ଼ିଥାଏ । ଶେଷକୁ ସେ ପାଣି ଉପରକୁ ଭାସିଉଠିଲା । କୋକିକୁ ଦେଖି ମନଇଚ୍ଛା ଗାଳିଦେଲା । କହିଲା–‘‘ରହିଥା, ମୋ ହାବୁଡ଼ରୁ ତୁ କେବେହେଲେ ରକ୍ଷା ପାଇପାରିବୁ ନାହିଁ । କୋକିଶିଆଳୀ ମଧ୍ୟ ତାକୁ ଠିକଣା ଜବାବ ଶୁଣାଇ ଦେଲା । ଏହା ଶୁଣି କଇଁଛ ଆହୁରି ରାଗିଗଲା । ସେ ପାଣିର ଅଳ୍ପ ତଳେ ଭାସି ଭାସି ଯାଉଥାଏ । କୋକି ସଙ୍ଗେ ସଙ୍ଗେ କଇଁଛ ପିଠି ଉପରକୁ ଡେଇଁ ପଡ଼ିଲା । ତା’ ପିଠିରେ ବସି ଅପର ପାଖକୁ ଚାଲିଗଲା । ଅପର ପାଖେ ପହଞ୍ଚି କହିଲା–‘‘ବାଃ, ବାଃରେ । କୋକିଟା ପଳାଇବା ଦେଖି କଇଁଛ ନିରାଶ ହୋଇଗଲା ।’’ ଭାବିଲା କୋକିଶିଆଳୀଟା ମୋତେ ସବୁଥର ଠକିଲା; ମାତ୍ର ମୁଁ ତାକୁ ଏଥର ଛାଡ଼ିବିନାହିଁ । ନିଶ୍ଚେ ଧରି ଉଚିତ୍‌ ଶିକ୍ଷା ଦେବି । ସେ କେନାଲ କୂଳକୁ ଆସି ମାଟି ଉପରେ ମଲାଭଳି ଆଖି ବୁଜି ଶୋଇରହିଲା । ଭାବିଲା–ମୋତେ ଶବ ମନେକରି କୋକି ମୋ ପାଖକୁ ଆସି ମୋ ମାଂସ ଖାଇବ । ଅନେକ ସମୟ ପର୍ଯ୍ୟନ୍ତ ସେମିତି ଅପେକ୍ଷା କରିଥାଏ । ସନ୍ଧ୍ୟା ହେଲା, ସବୁଦିନ ଭଳି କୋକି ବୁଲିବାକୁ ଆସିଲା । ବୁଢ଼ା କଇଁଛଟି ମାଟି ଉପରେ ମଲାଭଳି ପଡ଼ିଥାଏ । କିଛି ସମୟ ପରେ କୋକି କଇଁଛର କୌଶଳ ଜାଣିପାରିଲା । ଆଉ ଆଗକୁ ନଯାଇ କହିଲା–‘‘ଆରେ କଇଁଛଟାଏ କ’ଣ ଏଠି ସତରେ ମରି ପଡ଼ିଛି । ମତେତ ଠିକ୍‌ ଜଣାପଡ଼ୁନି । କଇଁଛ ମରିଗଲେ କାନ ହଲାନ୍ତି; ମାତ୍ର ଏଇଟାତ କାନ ହଲାଉନାହିଁ ।’’ ଏହା ଶୁଣି କଇଁଛ ଭାବିଲା ବୋଧହୁଏ କଇଁଛମାନେ ମଲାପରେ କାନ ହଲାନ୍ତି । ତେଣୁ ସେ ନିଜେ ମୃତ ବୋଲି ଜଣାଇ ଦେବା ଲାଗି ସେ ଧୀରେ ଧୀରେ ତା’ର କାନଦୁଇଟିକୁ ହଲାଇବାକୁ ଆରମ୍ଭକଲା ।

 

କୋକିଶିଆଳୀ ପୁଣି କହିଲା–‘‘ଆରେ କଇଁଛମାନେ ମରିଗଲା ପରେ ଥରେ ଆଖି ଖୋଲନ୍ତି ଓ ପୁଣି ବୁଜିଦିଅନ୍ତି ।’’ ବୋକା କଇଁଛ ଏହା ଶୁଣି କୋକିର କହିବା ଅନୁସାରେ ଆଖି ଖୋଲି ପୁଣି ବନ୍ଦକଲା । କୋକିଶିଆଳୀଟି ତା’ ପାଖକୁ ଯାଇ ଗୋଇଠାଟାଏ ପକାଇ ବଣ ଭିତରକୁ ଧାଇଁ ପଳାଇଗଲା ।

 

(ବଙ୍ଗଳା)

Image

 

ଲୋଭର ଫଳ

 

ଜଣେ ଜମିଦାର ଥିଲେ । ତାଙ୍କର ମଇଁଷିଗୁଡ଼ିକ ଜଗିବା ଲାଗି ସେ ଲୋକଟିଏ ରଖିଥିଲେ । ତା’ ନା ଦଡ଼ା । ପାଖ ଗାଁରେ ତା’ର ଘର । ତା’ର ମଧ୍ୟ କେତୋଟି ମଇଁଷି ଥାଆନ୍ତି । ଦଡ଼ା ମାଲିକଙ୍କ ମଇଁଷିଙ୍କୁ ଜଙ୍ଗଲକୁ ଚରାଇବାକୁ ନେଲାବେଳେ ଆପଣାର ମଇଁଷିଙ୍କୁ ମଧ୍ୟ ନେଇଯାଏ । ଆପଣା ମଇଁଷିଙ୍କୁ ଘାସ ଚରିବାକୁ ଛାଡ଼ିଦିଏ; ମାତ୍ର ମାଲିକଙ୍କ ମଇଁଷି ମୁହଁରେ ତୁଣ୍ଡି ବାନ୍ଧିଦିଏ । ଏହା ଫଳରେ ତା’ର ମଇଁଷିତକ ଘାସ ଚରି ମୋଟାସୋଟା ହେଲେ; ମାତ୍ର ମାଲିକଙ୍କ ମଇଁଷିଗୁଡ଼ିକ ଘାସ ଖାଇବାକୁ ନପାଇ ଶୁଖିଶୁଖି ଗଲେ ।

 

ଆପଣା ମଇଁଷିଗୁଡ଼ିକ ଦୁର୍ବଳ ହୋଇଯିବା ଦେଖି ଦିନେ ଜମିଦାର ଦଡ଼ାକୁ ପଚାରିଲେ–‘‘ତୁ ତ ମଇଁଷିମାନଙ୍କୁ ଏକାଠି ଚରାଉଛୁ, ମୋ ମଇଁଷି କାହିଁକି ଦୁର୍ବଳିଆ, ଆଉ ତୋ ମଇଁଷି କାହିଁକି ମୋଟା ଦେଖାଯାଉଛନ୍ତି ? କଥା କ’ଣ ?’’

 

ଦଡ଼ା କହିଲା–‘‘ଆଜ୍ଞା ମୁଁ ତା’ କେମିତି କହିବି ? ମୁ ତ ସମସ୍ତଙ୍କୁ ନେଇ ଏକାଠି ଚରିବାକୁ ଛାଡ଼ିଦେଉଛି । ବିଶ୍ୱାସ ନ ହେଉଛି ତ ଆପଣ ନିଜେ ଜଙ୍ଗଲକୁ ଯାଇ ଦେଖିଆସନ୍ତୁ । ଏହା କହିଦେଇ ସେ ମଇଁଷିପଲକୁ ନେଇ ଜଙ୍ଗଲକୁ ଗଲା । ଭାବିଲା ମାଲିକଙ୍କୁ ସିନା ଜଙ୍ଗଲକୁ ଯାଇ ଦେଖି ଆସିବାକୁ କହିଲି, ସତରେ କ’ଣ ସେ ଆଜି ଦେଖିବାକୁ ଆସିବେ ! ଏଣୁ ସବୁଦିନ ଭଳି ସେଦିନ ମଧ୍ୟ ତା’ ମଇଁଷିକୁ ଘାସ ଚରିବାକୁ ଛାଡ଼ିଦେଲା ଓ ମାଲିକଙ୍କ ମଇଁଷି ମୁହଁରେ ତୁଣ୍ଡି ବାନ୍ଧିଦେଲା ।

 

ଦଡ଼ା କଥାରେ ଜମିଦାରଙ୍କର ସନ୍ଦେହ ହେଲା । ଯୋଗକୁ ସେ ସେଇଦିନ ଦଡ଼ା କଥା ପରୀକ୍ଷା କରିବାକୁ ଜଙ୍ଗଲକୁ ବାହାରିଲେ । ଯାଇ ଦେଖିଲେ ଦଡ଼ାର ମଇଁଷି ସବୁ ଆନନ୍ଦରେ ଚରୁଛନ୍ତି; ମାତ୍ର ତାଙ୍କ ମଇଁଷିଗୁଡ଼ାକର ମୁହଁ ବନ୍ଧାହୋଇଛି । ଏଣୁ ସେମାନେ ଖାଲି ମାଟି ଉପରେ ମୁହଁ ମାରୁଛନ୍ତି । ରାଗରେ ସେ ଜଳିଗଲେ ଓ ଦଡ଼ାର ମଇଁଷିଗୁଡ଼ିକୁ ଗୋଟି ଗୋଟି କରି ଖଣ୍ଡାରେ ହାଣିଦେଲେ ।

 

ଦଡ଼ା ଖୁବ୍‌ ହୁସିଆର । ଜମିଦାର ଚାଲିଗଲା ପରେ ସେ ଯାଇ ଜଣେ ଚମାରକୁ ଡାକିଆଣିଲା । ତାକୁ କହିଲା–ଚମାର ଭାଇ ! ଏହି ମଇଁଷିମାନଙ୍କୁ ନେଇଯାଅ । ମଇଁଷିତକ ତମର ଚମଡ଼ାତକ ମୋର ।

 

ଚମାର ସେଇଆ କଲା । ଦଡ଼ା ମଇଁଷି ଚମଡ଼ାତକ ଘରେ ରଖିଲା ଓ ଦିନେ ସେଗୁଡ଼ିକୁ ଧରି ବାହାରିପଡ଼ିଲା । ଯାଉ ଯାଉ ଗୋଟିଏ ବଣପାଖେ ରାତି ହୋଇଗଲା । ଆଉ ଯାଇ ନପାରି ସେ ରାତିଟା ସେଇଠି କଟାଇବ ବୋଲି ଗୋଟିଏ ଉଚ୍ଚ ଗଛରେ ଚଢ଼ିଲା । ଚମଡ଼ା ବୋଝକ ମଧ୍ୟ ଉପରକୁ ନେଇଗଲା । କ୍ରମେ ରାତି ଅଧିକ ହେଲା । ସେହି ଗଛ ମୂଳକୁ ଚାରିଜଣ ଚୋର ଆସିଲେ । ସେମାନେ କେଉଁଠାରୁ ଚୋରିକରି ଗୁଡ଼ାଏ ମାଲ ଆଣିଛନ୍ତି । ସେହି ଗଛ ତଳେ ଆସି ସେମାନେ ସେଗୁଡ଼ିକୁ ବଣ୍ଟାବଣ୍ଟି କରିବାକୁ ଲାଗିଲେ । ଜଣେ ଚୋର କହିଲା–‘‘ଠିକ୍‌ ଠିକ୍‌ ବଣ୍ଟାବଣ୍ଟି କର, ନହେଲେ ତୁମ ଉପରେ ବଜ୍ର ପଡ଼ିବ ।’’

 

ଦଡ଼ା ଉପରେ ରହି ସବୁ ଦେଖୁଥାଏ । ଠିକଣା ବେଳ ଦେଖି ଚମଡ଼ା ବୋଝଟିକୁ ସେ ତଳକୁ ଗଡ଼େଇଦେଲା । ହଠାତ୍‌ ଘଡ଼୍‌ଘଡ଼ି ଶବ୍ଦକରି ଚମଡ଼ା ବୋଝଟା ତଳେ ପଡ଼ିଲା । ଚୋରମାନେ ବଜ୍ର ପଡ଼ିଲା ଭାବି ଚମକି ପଡ଼ି ପ୍ରାଣ ବଞ୍ଚାଇବା ପାଇଁ ଯିଏ ଯୁଆଡ଼େ ପଳାଇଲେ । ସେମାନେ ଆଣିଥିବା ମାଲମତା ସେଇଠି ପଡ଼ିରହିଲା ।

 

ଟିକିଏ ଫରଚା ହେବାରୁ ଦଡ଼ା ଗଛରୁ ଓହ୍ଳାଇ ସବୁତକ ମାଲମତା ଧରି ଘରକୁ ଫେରିଲା । ଘରେ ପହଞ୍ଚି ଡାକ ପକାଇଲା–‘‘ମା’, ମା’ ନିକିତିଟାଏ ଆଣ । ଦେଖ୍‌, ମୁଁ କେତେ ଜିନିଷ ଆଣିଛି । ତାକୁ ଓଜନ କରିବା ।’’

 

ମା’ ଦଉଡ଼ି ଯାଇ ଜମିଦାରଙ୍କ ଘରେ ପହଞ୍ଚିଲା । କହିଲା–ଆଜ୍ଞା ଟିକେ ଆପଣଙ୍କ ନିକିତିଟା ଦିଅନ୍ତୁ । ଦଡ଼ା କ’ଣ ଧନଦରବ ଆଣିଛି ।

 

ଜମିଦାର ପଚାରିଲେ–‘‘ସେ କେଉଁଠୁ ଧନ ଆଣିଲା ?’’

 

‘‘ପୁଅ ମଇଁଷି ଚମଡ଼ା ବିକ୍ରି କରି କ’ଣ ସବୁ ଆଣିଛି ବୋଲି କହୁଛି ।’’ ବୁଢ଼ୀ ଉତ୍ତରଦେଲା ।

 

ଜମିଦାର ଭାବିଲେ ବୁଢ଼ୀ ତ ମିଛ କହୁ ନଥିବ । ଦଡ଼ା କି ମାଲ ଆଣିଛି ତାହା ଜାଣିବା ଦରକାର । ଏଣୁ ସେ ତରାଜୁର ଗୋଟିଏ ପଲା ପଛରେ କିଛି ପାଣିଆ ଗୁଡ଼ ଲଗାଇ ତରାଜୁଟିକୁ ବୁଢ଼ୀକୁ ଦେଲେ । କେତେ ସମୟ ପରେ ବୁଢ଼ୀ ତରାଜୁଟିକୁ ଆଣି ଫେରାଇ ଦେଲା । ଜମିଦାର ଦେଖିଲେ ତରାଜୁ ପଲାତଳେ ସୁନା ମୋହରଟିଏ ଲାଗିଛି । ସେ ବୁଝିପାରିଲେ ଦଡ଼ା ଚମଡ଼ା ବିକି ବହୁତ ମୋହର ପାଇଛି । ଭାବିଲେ ତାଙ୍କ ମଇଁଷିଗୁଡ଼ିକୁ ମାରି ଚମଡ଼ା ବିକିଲେ ବହୁତ ଲାଭ ହେବ ।

 

ପରଦିନ ସକାଳେ ଜମିଦାରଙ୍କ ଆଦେଶରେ ତାଙ୍କ ମଇଁଷି ଗୁଡ଼ାଙ୍କୁ ମରାଗଲା ଓ ସେମାନଙ୍କ ଚମଡ଼ାକୁ ଜମିଦାର ଘର ଗାଡ଼ିରେ ଲଦି ହାଟକୁ ବିକିବାକୁ ବାହାରିପଡ଼ିଲେ । ଚମଡ଼ା ନେବ ଚମଡ଼ା କହି ସେ ହାଟସାରା ପାଟିକରି ବୁଲିଲେ; ମାତ୍ର କେହି ଚମଡ଼ା ନେବାକୁ ବାହାରିଲେ ନାହିଁ । କେବଳ ଜଣେ ଗ୍ରାହକ ସେତକ ମାତ୍ର ପାଞ୍ଚ ଟଙ୍କାରେ ନେବ ବୋଲି କହିଲା । ଦେଖୁ ଦେଖୁ ସଞ୍ଜ ହେଲା । ହାଟ ଭାଙ୍ଗିଲା । ଜମିଦାର ମୁହଁ ଶୁଖେଇ ଚମଡ଼ାତକ ପୁଣି ଶଗଡ଼ରେ ଲଦି ଘରକୁ ଫେରିଲେ । ଦଡ଼ାକୁ ଡାକି ପଚାରିଲେ–‘‘କିରେ ! ତୁ ମଇଁଷି ଚମଡ଼ାରୁ ବେଶ୍‌ ଧନ କମେଇଲୁ; ମାତ୍ର ମୋ ମଇଁଷି ଚମଡ଼ାକୁ ତ କେହି ପଚାରିଲେନାହିଁ । କଥା କ’ଣ ?’’

 

ହଜୁର ଏ ତ ଭାଗ୍ୟର କଥା । ଯାହା ଭାଗ୍ୟରେ ଯାହା ଅଛି ସେ ତା’ ପାଇବ । ଦଡ଼ା କହିଲା ।

 

ଜମିଦାରଙ୍କ ମନ ରାଗ ଓ ଈର୍ଷାରେ ଜଳୁଥାଏ । ଦଡ଼ା ଯୋଗୁ ସିନା ସେ ଦାମିକା ମଇଁଷିଗୁଡ଼ାକୁ ମାରିଦେଲେ । ରାତିରେ ତାଙ୍କୁ ନିଦ ହେଉନଥାଏ । ଭାବିଲେ ଦଡ଼ାଘରେ ସେ ନିଆଁ ଲଗାଇ ଦେବେ । ସେଥିପାଇଁ ସେ ଖଟରୁ ଉଠି ଚୁପ୍‌ ଚାପ୍‌ ଘରୁ ବାହାରି ପଡ଼ିଲେ । ଦଡ଼ା ଘର ଚାଳରେ ନିଆଁ ଲଗାଇ ଘରକୁ ଫେରି ଆସିଲେ । ଯୋଗକୁ ସେତେବଳେ ଦଡ଼ା ଶୋଇ ନଥିଲା । ଘରେ ନିଆଁ ଲାଗିଯିବା ଦେଖି ସେ ମା’କୁ ନିଦରୁ ଉଠାଇଲା ଓ ତା’ର ସବୁତକ ଧନ ସମ୍ପତ୍ତି ଘରୁ ବାହାରକୁ ନେଇ ଆସିଲା ।

 

ସକାଳୁ ଘରଟା ଜଳି ପାଉଁଶ ହୋଇ ଯାଇଥାଏ । ଦଡ଼ା କେତୋଟି ଥଳୀରେ ସେହି ପାଉଁଶତକ ପୂରାଇଲା । ଜମିଦାରଙ୍କୁ ଯାଇ କହିଲା–‘‘ଆଜ୍ଞା ମୋତେ ଆପଣଙ୍କ ଶଗଡ଼ଟି ଦିଅନ୍ତୁ ।’’ ଜମିଦାର ଜାଣନ୍ତି ପାଉଁଶ କେବେ ବିକ୍ରି ହୋଇପାରିବନି, ଏଣୁ ଗାଡ଼ି ଦେବାକୁ ସେ କିଛି ଆପତ୍ତି କଲେନି । ଦଡ଼ା ଶଗଡ଼ରେ ପାଉଁଶ ଥଳୀକୁ ଥୋଇ ବିକିବାକୁ ବାହାରି ପଡ଼ିଲା ।

 

କେତେ ବାଟ ଗଲାପରେ ଦଡ଼ା ଦେଖିଲା ଜଣେ ମୋଟା ମହାଜନ ଓ ତାଙ୍କ ସ୍ତ୍ରୀ ଚାଲି ଚାଲି ଯାଉଛନ୍ତି । ପ୍ରଚଣ୍ଡ ଖରାବେଳେ ଦୁହେଁ ବାଟ ଚାଲି ଚାଲି ଝାଳନାଳ ହୋଇଥାନ୍ତି । ଦଡ଼ାକୁ ପାଖରେ ଦେଖି ମହାଜନ କହିଲେ–‘‘ଭାଇ, ଆମ ଦୁହିଁଙ୍କୁ ଟିକେ ତୋ ଶଗଡ଼ରେ ବସାଇ ନେ ।’’

 

ଦଡ଼ା ମୁଣ୍ଡକୁ ହଠାତ୍‌ ଗୋଟେ ଖିଆଲ ଜୁଟିଲା । ସେ କହିଲା–‘‘ମହାଜନେ ! ତମକୁ ଶଗଡ଼ରେ ବସାଇ ନେବାରେ ମୋର ଆପତ୍ତି ନାହିଁ; ମାତ୍ର ମୋ ଗାଡ଼ିରେ ସୁନା ଲଦା ହୋଇଛି । ଗାଡ଼ିରେ ବସି ତୁମ ଭିତରୁ କିଏ ଯଦି ବାୟୁ ଛାଡ଼ିବ ତା’ହେଲେ ମୋ ସୁନାତକ ପାଉଁଶ ହୋଇଯିବ । ଯଦି ସେଇଆ ନ କରିବ, ତୁମ ଦୁହିଁଙ୍କୁ ବସେଇ ନେବି । ହଁ ମନେ ରଖନ୍ତୁ, ଯଦି ସେହି ସୁନା ଥଳୀ ପାଉଁଶ ହୋଇଯାଏ, ତେବେ ମୁଁ ତୁମଠାରୁ ସେତିକି ସୁନା ନେବି ।’’

 

ଉପର ତାତି ତଳ ତାତି ଯୋଗୁ ମହାଜନ ଓ ତାଙ୍କ ସ୍ତ୍ରୀ ଦୁହେଁଯାକ ନୟାନ୍ତ ହୋଇଯାଇଥାନ୍ତି । ସେମାନେ ଦଡ଼ା କଥାରେ ସଙ୍ଗେ ସଙ୍ଗେ ରାଜି ହୋଇଗଲେ । ଦୁହିଁଙ୍କୁ ଗାଡ଼ିରେ ବସାଇ ଦଡ଼ା ଚାଲିଲା । ସେମାନଙ୍କ ଘର ପାଖେ ଗାଡ଼ି ପହଞ୍ଚିଲା । ଦୁହେଁ ଗାଡ଼ିରୁ ଓହ୍ଳାଇଲେ । ସଙ୍ଗେ ସଙ୍ଗେ ଦଡ଼ା ଥଳୀରେ ହାତ ବାଡ଼େଇ ଦେଇ କହିଲା–‘‘କିହୋ ମହାଜନ ! ତୁମେ କ’ଣ କଲ ? ମୁଁ ପରା କହିଥିଲି କେହି ବାୟୁ ଛାଡ଼ିବନାହିଁ; ମାତ୍ର ଇଏ କ’ଣ ହେଲା । ମୋ ସୁନା ସବୁ ତ ପାଉଁଶ ହୋଇଯାଇଛି ।’’

 

ମହାଜନ କାବା ହୋଇଗଲେ । ଦଡ଼ା ପାଟିକରି ପୁଣି କହିଲା–‘‘ମୋ କଥା ମାନିଲ ନାହିଁ । ହେଇ ଦେଖ ଏ ପାଉଁଶକୁ ଓଜନ କରି ମୋତେ ଭଲେ ଭଲେ ସୁନା ଦେଇଦିଅ ।

 

ମହାଜନ ବଡ଼ ଅକଳିଆରେ ପଡ଼ିଗଲେ । ଦଡ଼ା ପାଟିକରି କମ୍ପାଉଥାଏ । ଲୋକେ ଜମା ହେଲେ । ବାଧ୍ୟହୋଇ ମହାଜନଙ୍କୁ ସେତିକି ସୁନା ଓଜନ କରି ଦଡ଼ାକୁ ଦେବାକୁ ପଡ଼ିଲା । ସୁନା ନେଇ ଦଡ଼ା ଖୁସିରେ ନିଜ ଗାଁକୁ ଫେରିଲା ।

 

କିଛିଦିନ ପରେ ଦଡ଼ା ନିଜ ଗାଁରେ ଗୋଟିଏ ପକ୍‌କା ଘର ତୋଳାଇଲା । ଏହା ଦେଖି ଜମିଦାର ସମ୍ଭାଳିହୋଇ ପାରିଲେ ନାହିଁ । ଦିନେ ଦଡ଼ା ପାଖକୁ ଆସି ପଚାରିଲେ–‘‘କିରେ, ଘର ତୋଳିବାକୁ କେଉଁଠୁ ଏତେ ଟଙ୍କା ପାଇଲୁ ?’’

କ’ଣ କହିବି ଆଜ୍ଞା, ଘର ପୋଡ଼ିଗଲା ତ ତା’ରି ପାଉଁଶକୁ ବିକି ଦେଇ ମୁଁ ସୁନା ନେଇ ଆସିଲି । ଦଡ଼ା କହିଲା ।

 

ଜମିଦାରଙ୍କ ବହୁତ ଲୋଭ । ଏଣେ ଦଡ଼ା ଉନ୍ନତି ଦେଖି ଈର୍ଷାରେ ତାଙ୍କର ହୃଦୟ ଜଳୁଥାଏ । ଦଡ଼ା କଥାରେ ବିଶ୍ୱାସ କରି ସେ ଆସି ଆପଣା ଘରେ ନିଆଁ ଲଗାଇଦେଲେ । ସେଇ ପାଉଁଶକୁ ଥଳୀରେ ପୂରାଇ ଗାଡ଼ିରେ ଲଦିଲେ । ତାକୁ ବଜାରରେ ବିକିବା ଲାଗି ବାହାରି ପଡ଼ିଲେ । ତାଙ୍କୁ ଦେଖି ବାଟରେ ଲୋକେ ହସୁଥାଆନ୍ତି । –ନିଜ ନିଜ ଭିତରେ କଥାଭାଷା ହୁଅନ୍ତି–‘‘ଏଇଟା କେଡ଼େ ମୂର୍ଖ ! ପାଉଁଶ ବିକିବାକୁ ବାହାରିଛି । ଏଗୁଡ଼ାକ କ’ଣ କିଏ କିଣେ ?’’

 

ସନ୍ଧ୍ୟା ହେବା ପର୍ଯ୍ୟନ୍ତ ଜମିଦାର ବାବୁ ହାଟ ବଜାରରେ ଖୁବ୍ ପାଟିକରି ଥକିଗଲେ । ପାଉଁଶ ନେବ ପାଉଁଶ; ମାତ୍ର କିଏ କାହିଁକି ବା ତାକୁ ନେବାକୁ ଚାହିଁବ ? ଶେଷକୁ ଖାଲି ହାତରେ ସେ ଘରକୁ ଫେରିଲେ । ଏଣେ ଦଡ଼ାର ଘର ତିଆରି ହୋଇଗଲା । ଜମିଦାର ଆସି ଦଡ଼ାକୁ କହିଲେ–‘‘କିରେ ତୁ କିପରି ପାଉଁଶ ବିକିଲୁ ? ମୋ ପାଉଁଶ ତ ବିକ୍ରି ହୋଇପାରିଲାନାହିଁ ।’’

 

ଦଡ଼ା କହିଲା–‘‘ଏ ହେଉଛି ଭାଗ୍ୟର ଫଳ । ଯେ ଯାହା କରିବ, ସେ ତା’ ଫଳ ପାଇବ ।’’

 

ଦଡ଼ା ଏହିପରି ତା’ର ଚତୁରତା ଯୋଗୁଁ ବହୁତ ଧନ କମେଇଲା ଓ ଜମିଦାର ତାଙ୍କ ମୂର୍ଖତା ଓ ଲୋଭରୁ ଗରିବ ହୋଇଗଲେ । ଦଡ଼ା ବାହାସାହା ହୋଇ ଆନନ୍ଦରେ ରହିଲା ।

 

(ମାଳବ)

Image

 

ମୂର୍ଖ ସ୍ୱାମୀ

 

ମହାଜନଟିଏ । ତା’ର ଗୋଟିଏ ବୋଲି ପୁଅ । ପୁଅଟି ବୋକା । ପୁଅଟି ବଡ଼ ହେବାରୁ ବାପା ତାକୁ ବାହା କରିଦେବାକୁ ସ୍ଥିରକଲେ । ପୁଅ କହିଲା–‘‘ମୋ ଲାଗି ଏପରି ଝିଅଟିଏ ଯୋଗାଡ଼ କରିବ ଯେ ପ୍ରତିଦିନ ମୋଠାରୁ ଯୋତାରେ ପାଞ୍ଚପାହାର ଖାଇବାକୁ ରାଜିଥିବ ।’’

 

ମହାଜନ ଭାବିଲା, ଏହା ତ ଗୋଟିଏ ବିଷମ କଥା । ପ୍ରତିଦିନ ଯୋତାରେ ପାଞ୍ଚପାହାର ଖାଇବାକୁ ପ୍ରସ୍ତୁତ ଥିବା ଝିଅଟିଏ ବା କାହୁଁ ମିଳିବ ? ବାସ୍ତବିକ୍‌ ଏହି କଥା ଶୁଣି କୌଣସି ଲୋକ ଝିଅ ବା ଭଉଣୀକୁ ବିଭା ଦେବାକୁ ରାଜି ହେଲାନାହିଁ । ବହୁଦିନ ପରେ ଜଣେ ମହାଜନର ଝିଅ ଏଇ ସର୍ତ୍ତରେ ବାହା ହେବାକୁ ରାଜିହେଲା ।

 

ଖୁବ୍‌ ଜାକଯମକରେ ସେହି ମହାଜନ ପୁଅ ସଙ୍ଗେ ସେଇ ଝିଅର ବିଭାଘର ହେଲା । ବହୁତ ବାଜା ବାଜିଲା । ବାଣ ଫୁଟିଲା । ନାଚ ଗୀତ ବି ହେଲା । ମହାଜନ ଘର ଝିଅ ବୋହୂହୋଇ ଶାଶୂ ଘରକୁ ଆସିଲା ।

 

ମହାଜନ ପୁଅ ଖୁବ୍‌ ଖୁସି । ସର୍ତ୍ତ ଅନୁସାରେ ସେ ଯୋତା ନେଇ ସ୍ତ୍ରୀ ପାଖକୁ ଗଲା; ମାତ୍ର ବୋହୂଟି ଥିଲା ଖୁବ୍‌ ବୁଦ୍ଧିଆ । ସେ କହିଲା–‘‘ଆପଣ ନିଶ୍ଚୟ ମୋତେ ପାଞ୍ଚ ଯୋତା ମାରିବେ; ମାତ୍ର ତାହା ଏବେ ହୋଇପାରିବନାହିଁ । ଯେତେବେଳେ ଆପଣ ଟଙ୍କା ପଇସା ରୋଜଗାର କରି ଘରକୁ ଆଣିବେ, ମୋତେ ସେତେବେଳେ ମାରିବେ । ଏବେ ତ ମୁଁ ଶ୍ୱଶୁରଙ୍କ ସମ୍ପତ୍ତି । ମୋ ଉପରେ ଆପଣଙ୍କର କିଛି ଅଧିକାର ନାହିଁ ।’’

 

ସ୍ତ୍ରୀର କଥାଟା ପୁଅର ମନକୁ ଭେଦିଗଲା । ପ୍ରକୃତରେ ବାପାଙ୍କ ଟଙ୍କାରେ ଏଇ ଝିଅଟା ଘରକୁ ଆସିଛି । ସତକୁ ସତ ସେ ଅରୋଜଗାରୀ । ମନେ ମନେ ସ୍ଥିରକଲା ଯେପରି ହେଉ ସେ ବହୁତ ଧନ କମାଇବ ଓ ତା’ପରେ ଆସି ନିଜ ସ୍ତ୍ରୀକୁ ପାଞ୍ଚଯୋତା ମାରିବ । କିଛିଦିନ ପରେ ସେ ବାପାଙ୍କ ପାଖକୁ ଯାଇ କହିଲା–‘‘ବାପା ! ମୋତେ କିଛି ଟଙ୍କା ଦିଅ, ମୁଁ ବିଦେଶକୁ ବେପାର କରିବାକୁ ଯିବି ।’’

 

ପୁଅର ଧନ ଅର୍ଜନ କରିବାକୁ ମନହୋଇଛି ଦେଖି ମହାଜନ ଖୁସିହେଲା । ପୁଅକୁ ବହୁତ ଧନ ଦେଲା । ପୁଅ ବିଦେଶକୁ ଅନୁକୂଳ କଲା ।

 

ମହାଜନ ପୁଅ କେତେବାଟ ଗଲାପରେ ଗୋଟିଏ ଗ୍ରାମରେ ଚଟିଘରେ ବିଶ୍ରାମ ନେଲା । ଯେଉଁଠି ରହିଲା, ତା’ ପାଖରେ ଗୋଟିଏ ଦୁଷ୍ଟା ସ୍ତ୍ରୀ ଲୋକର ଘର । ସ୍ତ୍ରୀ ଲୋକଟି ମହାଜନ ପୁଅ ପାଖକୁ ଆସି ଦେଖିଲା, ତା’ ପାଖରେ ବହୁତ ଜିନିଷପତ୍ର ଅଛି । ସେ କହିଲା–‘‘ସାଆନ୍ତ ! ଆପଣ ଏଠାରେ କାହିଁକି ଏକୁଟିଆ ରହୁଛନ୍ତି । ଆସନ୍ତୁ ମୋ ଘରେ ରହିବେ ।’’

 

ମହାଜନ ପୁଅ ସେହି ସ୍ତ୍ରୀ ଲୋକ କଥାରେ ରାଜି ହୋଇଗଲା । ଆପଣା ଗଣ୍ଠିଲିପତ୍ର ନେଇ ତା’ ଘରେ ପହଞ୍ଚିଲା । ସେଠାରେ ଖାଇ ପିଇ ଶୋଇପଡ଼ିଲା । ସେ ଶୋଇବା ପରେ ସ୍ତ୍ରୀ ଲୋକଟି ନିଜର ରୁପାର କଟରାଟିକୁ ଆଣି ମହାଜନ ପୁଅର ଗଣ୍ଠିଲି ଭିତରେ ଲୁଚାଇ ଦେଲା ।

 

ସକାଳ ହେଲା, ଲୋକମାନେ ଉଠି ଯେ ଯାହା କାମରେ ବାହାରିଲେ । ଏହି ସମୟରେ ସ୍ତ୍ରୀ ଲୋକଟି ବଡ଼ପାଟିରେ ଡାକ ପକାଇଲା–‘‘ହେ ଭଗବାନ୍‌ ! ମୋ ରୁପା କଟରାଟି କିଏ ନେଇ ଯାଇଛି ।’’ ଲୋକ ଜମିଗଲେ । ମହାଜନ ପୁଅକୁ ପଚରାଗଲା । ସେ କହିଲା–‘‘ମୋତେ କ’ଣ ସବୁ ତୁମେ ଗରିବା ଲୋକ ଭାବିଛ ? ମୁଁ କାହିଁକି ତୁମ କଟରାକୁ ନେବି ।’’

 

ସ୍ତ୍ରୀ ଲୋକଟି କହିଲା–‘‘ଏତେ କଥାରୁ କ’ଣ ମିଳିବ ? ତୁମ ଗଣ୍ଠିଲି ଖୋଲ, ଯଦି ସେଥିରୁ ମୋ କଟରା ବାହାରିବ ତେବେ ତୁମ ଗଣ୍ଠିଲିରେ ଥିବା ଜିନିଷତକ ମୁଁ ନେବି । ଯଦି ଗଣ୍ଠିଲିରେ ମୋ କଟରା ନଥିବ, ତେବେ ମୋ ଘରର ସମସ୍ତ ଜିନିଷ ତମେ ନେବ ।’’

 

ମହାଜନ ପୁଅର ଧାରଣା ତା’ ଗଣ୍ଠିଲିରେ କଟରା ନାହିଁ । ଏଣୁ ସେ କଥାରେ ସେ ରାଜି ହୋଇଗଲା; ମାତ୍ର ଗଣ୍ଠିଲିରେ ଯେ କଟରାଟି ଅଛି, ଏ କଥା ସେ ଜାଣେନା । ଗଣ୍ଠିଲିଟି ଖୋଲିବାରୁ କଟରାଟି ବାହାରିଲା । ସମସ୍ତଙ୍କ ଆଗରେ ତ ସେ ମାନିଛି । ଏଣୁ ସେଇ ସ୍ତ୍ରୀ ଲୋକଟିକୁ ସେ ତା’ର ଗଣ୍ଠିଲିଟି ଦେବାକୁ ବାଧ୍ୟହେଲା ।

 

ମହାଜନ ପୁଅ ପାଖେ ଆଉ ଅଳ୍ପ ଜିନିଷ ଥାଏ । ସେତକ ନେଇ ସେ ସେଠାରୁ ବାହାରି ପଡ଼ିଲା । ଗଣ୍ଠିଲିଟି ହରାଇଥିବାରୁ ତା’ ମନରେ ଦୁଃଖ । ଗାଁ ଗଣ୍ଡା ଛାଡ଼ି ସେ ବହୁତ ଦୂରକୁ ଯାଇ ଗୋଟାଏ ଜଙ୍ଗଲରେ ପହଞ୍ଚିଲା । ସଞ୍ଜ ହୋଇଆସୁଥାଏ । ଏତିକିବେଳେ ଜଣେ ଛୋଟା ଲୋକ ସଙ୍ଗରେ ତା’ର ଦେଖାହେଲା । ସେ ତା’ ପାଖକୁ ଆସି ନମସ୍କାର କଲା । କହିଲା–‘‘ହଜୁର ! ଆପଣଙ୍କୁ ତ ମୁଁ ଖୋଜୁଛି । ଆପଣଙ୍କ ବାପା ମୋଠାରୁ ଟଙ୍କା କରଜ ନେଇଛନ୍ତି । ଆପଣ ସେଇ ଟଙ୍କାଟା ମୋତେ ଦେଇଯାଆନ୍ତୁ ।’’

 

ଏହା ଶୁଣି ମହାଜନ ପୁଅ ଘାବରାଇ ଗଲା । କହିଲା–‘‘ହଉ ଭାଇ, ମୋ ସଙ୍ଗେ କାହିଁକି ଝଗଡ଼ା କରିବୁ । ମୋ ପାଖେ ଯାହା ଅଛି, ନେଇ ଯାଅ । କଥାଟା ତୁଟିଯାଉ ।’’ ଏହାକହି ତା’ ପାଖେ ଯାହା ଥିଲା ସେ ସେଇ ଛୋଟାକୁ ଦେଇଦେଲା ।

 

ମହାଜନ ପୁଅ ପୁଣି କିଛି ବାଟ ଗଲାପରେ ଜଣେ କଣା ଲୋକକୁ ଦେଖିଲା । ସେ ବି ଗୋଟାଏ ଠକ । ମହାଜନ ପୁଅକୁ କହିଲା–‘‘ହଜୁର ! ଅନ୍ନଦାତା ! ଆପଣଙ୍କ ବାପାଙ୍କ ପାଖେ ମୁଁ ମୋର ଗୋଟିଏ ଆଖି ବନ୍ଧା ରଖିଛି । ତେବେ ମୋଠାରୁ ଟଙ୍କା ନେଇ ମୋ ଆଖିଟି ମୋତେ ଫେରାଇ ଦିଅନ୍ତୁ ।’’

 

ମହାଜନ ପୁଅକୁ କିଛି ବୁଦ୍ଧି ଦିଶିଲାନାହିଁ । ଅଣ୍ଟାରେ ତା’ର ମାତ୍ର ମୋହରଟିଏ ଥାଏ । କଣାକୁ ସେ ସେଇଟିକୁ ଦେଇ ତାଠାରୁ ରକ୍ଷାପାଇଲା । ସେତେବେଳକୁ ତା’ ପାଖରେ କାଣି କଉଡ଼ିଟିଏ ବି ନଥାଏ । ଭୋକରେ ପେଟ ଜଳୁଛି । କ’ଣ କରିବ ? ପାଖରେ ଗାଁଗଣ୍ଡା ଦିଶୁନି । ପୁଣି ଦୁଇକୋଶ ଯାଇ ଗୋଟିଏ ଗାଁରେ ପହଞ୍ଚିଲା । ସେଇଠି ବିଶ୍ରାମ ନେଲା । ଚିନ୍ତାରେ ରାତିସାରା ତାକୁ ନିଦ ନାହିଁ । ବେପାର କରିବାକୁ ଆସି ସବୁବେଳେ ଧନ ହରେଇଛି । ଏବେ ସେ କ’ଣ କରିବ ? ଠିକ୍‌ କଲା ସେ ଚାକିରି କରି ଟଙ୍କା ରୋଜଗାର କରିବ । ସେଥିରୁ କିଛି ଟଙ୍କା ଜମାଇଲା ପରେ ସେ ବେପାର କରିବ ।

 

ସକାଳ ହେବାରୁ ସେ ସେଇ ଗାଁରେ ଚାକିରି ଖୋଜି ବୁଲିଲା । ଗାଁରେ ବା ଚାକିରି କାହୁଁ ମିଳିବ ? ଶେଷରେ ଜଣେ ତେଲି ତାକୁ ଘଣା ବୁଲେଇବା କାମରେ ରଖିଲା । ପ୍ରତିଦିନ ସେ ଘଣା ଉପରେ ବସି ତେଲ ପେଡ଼ିବାରେ ଲାଗିଥାଏ । ଏହିପରି କିଛିଦିନ ଗଲାପରେ ଦିନେ ତା’ର ବାପାଙ୍କ କଥା ମନେପଡ଼ିଲା । ସେ ତାଙ୍କ ପାଖକୁ ଖଣ୍ଡେ ଚିଠି ଲେଖିଲା–

 

‘‘ପୂଜ୍ୟ ବାପା, ମୁଁ ଭଲରେ ଅଛି । ମାଟି ଉପରେ ଆଉ ମୋ ପାଦ ପଡ଼ୁନି । ଲଗାମ ଉପରେ ହାତରଖି ମୁଁ ବୁଲୁଛି ।

 

। ଇତି ।

ଆପଣଙ୍କର ପୁତ୍ର ।’’

 

ମହାଜନ ବୁଢ଼ା ପୁଅର ପତ୍ରଟି ପଢ଼ି ଖୁସିହେଲେ । ବୋହୂକୁ ବୁଝାଇ କହିଲେ–ଦେଖ ବୋହୂ, ପୁଅ ମୋର କେତେ ବୁଦ୍ଧିଆ । ବିଦେଶ ଯାଇ ସବୁବେଳେ କୋରଡ଼ାରେ ହାତରଖି ବୁଲୁଛି । ମୁଁ ପରା ଜାଣେ ପୁଅଟା ଖୁବ୍‌ ଧନ ଅର୍ଜିବ ।’’

 

ବୁଦ୍ଧିମତୀ ବୋହୂ ଶ୍ୱଶୁରଙ୍କ ହାତରୁ ଚିଠି ନେଇ ପଢ଼ିଲା । ସେ ଭଲ ଭାବରେ ଜାଣେ ତା’ର ସ୍ୱାମୀଟା ଯୋଗ୍ୟ ନୁହେଁ । ତା’ ମନରେ ସନ୍ଦେହ ହେଲା । ସେ ପାଖ ଗାଁ ଗଣ୍ଡା ସମ୍ପର୍କରେ ସବୁକଥା ବୁଝିଲା । ଭାବିଲା ସେ କେଉଁଠି ଚାକିରି କରୁଅଛନ୍ତି । ତା’ପରେ ଦିନେ ଶ୍ୱଶୁରଙ୍କୁ କହିଲା–‘‘ବାପା, ମୁଁ କିଛି ଦିନ ପାଇଁ ତାଙ୍କ ପାଖକୁ ଯିବାକୁ ଇଚ୍ଛାକରୁଛି । ଭାବୁଛି ତାଙ୍କର କାରବାର ବି ଟିକିଏ ଦେଖି ଆସିବି ।’’

 

ମହାଜନ ରାଜିହେଲା । ସଙ୍ଗରେ ନେବା ଲାଗି ବୋହୂପାଇଁ ଚାକର ଓ ଜିନିଷପତ୍ର ଯୋଗାଡ଼ କରିଦେଲା ।

 

ବୋହୂ ଘରୁ ବାହାରିଲା । ଗୋଟିଏ ଜାଗାରେ ପୁରୁଷ ବେଶ ହେଲା । ଅଣ୍ଟାରେ ତରବାରୀ ଝୁଲେଇଲା । ଘୋଡ଼ା ଉପରେ ବସି ଚାକରମାନଙ୍କ ସହ ଚାଲିଲା । ପଚାରି ପଚାରି ଯାଇ ତା’ର ସ୍ୱାମୀଙ୍କ ରହିବା ଜାଗାରେ ଖୁବ୍‌ ଶୀଘ୍ର ପହଞ୍ଚିଗଲା ।

 

ଯେଉଁ ତେଲି ମହାଜନଙ୍କ ଘରେ ସ୍ୱାମୀ ଚାକିରି କରିଥିଲା ବୋହୂ ତାଙ୍କ ପାଖକୁ ଯାଇ କହିଲା–‘‘ତୁମର ଏହି ଚାକରଟିକୁ ମୋତେ ଦେଇ ଦିଅ । ଏହା ବଦଳରେ ତୁମେ ଯେତେ ଟଙ୍କା ଚାହିଁବ ମୁଁ ଦେବି ।’’ ତେଲିଟା ଭାରି ଲୋଭୀ । ବେଶି ଟଙ୍କା ପାଇବାରୁ ସେ ଚାକରଟିକୁ ଦେଇଦେଲା ।

 

ପୁରୁଷ ବେଶ ହୋଇଥିବା ନିଜ ସ୍ତ୍ରୀକୁ ମହାଜନ ପୁଅ ଚିହ୍ନି ପାରିଲାନାହିଁ । ବୋହୂ ସ୍ୱାମୀଙ୍କୁ ଚାକର ଭାବରେ ନିଜ ଘରକୁ ନେଇ ଫେରିଲା । ତା’ ସାଥୀରେ ଥିବା ଚାକରମାନେ ନୂଆ । ସେମାନେ ପୂର୍ବରୁ ମାଲିକଙ୍କ ପୁଅକୁ ଦେଖି ନ ଥିଲେ । ତେଣୁ ସେମାନେ ମଧ୍ୟ ମାଲିକଙ୍କ ପୁଅଙ୍କୁ ଚିହ୍ନିପାରିଲେନାହିଁ ।

 

କେତେବାଟ ଗଲାପରେ ସେମାନେ ଗୋଟିଏ ଚଟିଘରେ ରହିଲେ । ବୋହୂ ସେଦିନ ବହୁତ ମିଠାଇ ଓ ନିମିକି ତିଆରି କଲା । ଚାକରମାନଙ୍କୁ ଡାକି କହିଲା–‘‘ଆଜି ତୁମେମାନେ ଯିଏ ଯେତେ ପାର ମିଠାଇ ଖାଇ ପାରିବ; ମାତ୍ର ପାଣି ପିଇ ପାରିବ ନାହିଁ । ଯିଏ ପାଣି ପିଇବାକୁ ମାଗିବ, ତାକୁ ଦଣ୍ଡ ଦିଆଯିବ ।

 

ମହାଜନ ପୁଅ ବହୁଦିନୁ ମିଠାଇ ଖାଇବାକୁ ପାଇ ନ ଥାଏ । ସେ ଦିନ ସେ ପେଟ ପୂରାଇ ମିଠାଇ ଖାଇଲା । ବୋହୂକୁ ପହରା ଦେବା ଥିଲା ତା’ର କାମ । ବୋହୂ କାମ ଦାମ ସାରି ଆସି ଶୋଇଲା । ମହାଜନ ପୁଅ ଦେଖିଲା, ବୋହୂ ଆଖିବୁଜି ଖୁବ୍‌ ଘୁଙ୍ଗୁଡ଼ି ମାରୁଛି । ମିଠେଇ ଖାଇ ତାକୁ ଖୁବ୍‌ ଶୋଷକରୁଥାଏ । ବୋହୂ ଶୋଇଛି ଭାବି ସେ ଉଠି ପାଖରେ ଥିବା ମାଠିଆରୁ ପାଣି ପିଇବାକୁ ଆରମ୍ଭ କଲା । ସାମାନ୍ୟ ଶବ୍ଦ ହେବାମାତ୍ରେ ବୋହୂ ଉଠିପଡ଼ିଲା । ସ୍ୱାମୀଙ୍କୁ ଧରିବା ଲାଗି ସେ ଏପରି ବ୍ୟବସ୍ଥା କରିଥାଏ । ରାଗିକରି କହିଲା–‘‘ପାଣି କାହିଁକି ପିଉଥିଲ, ରୁହ ଏଥିପାଇଁ ଠିକଣା ଜବାବ ଦିଆଯିବ ।’’

 

ବୋହୂ ଆଉ ଜଣେ ଚାକରକୁ ଡାକି କହିଲା–‘‘ଶୀଘ୍ର ଯାଇ ଦୁଇଟି ଲୁହା ଖଡ଼ିକା ଗରମ କରି ନେଇ ଆ । ଚାକରଟି ତାହା ଆଣିବାରୁ ବୋହୂ ମହାଜନ ପୁଅ ପିଠିରେ ସେଥିରେ ଚିଆଁ ଦିଆଇଲା । ଚିଆଁ ଦେବାପରେ ସ୍ୱାମୀଙ୍କୁ ପାଣି ପିଇବାକୁ ଦେଲା । ତାକୁ ଶୁଆଇ ତା’ ପିଠିକୁ ଆଉଁସିଲା । ଏଣେ ଚିଆଁ ଖାଇ ସ୍ୱାମୀର ପିଠି ପୋଡ଼ୁଥାଏ, ମାତ୍ର କିଛି ସମୟପରେ ତାକୁ ନିଦ ହୋଇଗଲା ।

 

ପୁରୁଷ ବେଶ ହୋଇଥିବାରୁ ମହାଜନ ପୁଅ ସେ ପର୍ଯ୍ୟନ୍ତ ନିଜ ସ୍ତ୍ରୀକୁ ଚିହ୍ନିପାରି ନ ଥାଏ । ସେଠା ଛାଡ଼ି ସେମାନେ ପୁଣି ବାହାରିଲେ । ବାଟରେ ବୋହୂ ଗୋଟିଏ ହରିଣ ମାରି ତା’ର ଗୋଟିଏ ଗୋଡ଼ ଓ ଗୋଟିଏ ଆଖି ରଖିଲା ।

 

କିଛି ବାଟ ଗଲାପରେ ସେଇ କଣା ସଙ୍ଗେ ତା’ର ଦେଖା ହେଲା । ଠକଟି ପୂର୍ବପରି ବୋହୂକୁ ତା’ର ବନ୍ଧା ଦେଇଥିବା ଆଖିଟି ମାଗିଲା । ବୋହୂ କହିଲା–‘‘ମୋ ପାଖରେ ଜଣେ ଗୋଟିଏ ଆଖି ବନ୍ଧା ରଖିଅଛି; ମାତ୍ର ସେଇଟି ଯଦି ତୁମର, ତେବେ ତୁମର ଆଖି ଖୋଳି ବାହାର କର । ପରୀକ୍ଷାକରି ଦେଖିବା ଯଦି ସେଇଟା ତୁମର ଆଖି ସଙ୍ଗେ ମିଶି ଯାଉଥିବ, ତେବେ ତୁମ ଆଖିରେ ଲଗାଇ ଦେବି ।’’ ଠକ ବୁଝି ପାରିଲା, ଏଇ ଲୋକକୁ ଠକିବା ସମ୍ଭବ ନୁହେଁ । ଗୋଟିଏ ଆଖିତ ପୂର୍ବରୁ ଯାଇଛି, ଏବେ ଅନ୍ୟଟି ଦେବାକୁ ପଡ଼ିବ । ସେ କହିଲା–‘‘ହଜୁର ! ମୋର ଆଖି ଦରକାର ନାହିଁ । ସେ ଏହା କହି ସେଠାରୁ ଚାଲିଗଲା । ପୁଣି କେତେ ବାଟ ଗଲାପରେ ଛୋଟା ଠକଟି ସଙ୍ଗେ ଦେଖାହେଲା । ବୋହୂ ତାକୁ ଉତ୍ତରଦେଲା–ତୁମକୁ ଗୋଟିଏ ଗୋଡ଼ ଦେବାକୁ ହେଲେ ତୁମର ଅନ୍ୟ ଗୋଡ଼ଟି କାଟି ଓଜନ କରିବାକୁ ହେବ ।’’ ଠକ ଜାଣିଲା ଇଏ ମୋ’ଠାରୁ ବଳି ଠକ । ଏହା ହାବୁଡ଼ରେ ପଡ଼ିଲେ ଅନ୍ୟ ଗୋଡ଼ଟି ମଧ୍ୟ ଯିବ । ଆଉ କିଛି ନ ଚାହିଁ ସେ ମଧ୍ୟ ସେଠାରୁ ପଳାଇଲା ।

 

ସେମାନେ କିଛିବାଟ ଗଲାପରେ ରାତି ହୋଇଗଲା । ଯୋଗକୁ ସେଇ ଦୁଷ୍ଟ ସ୍ତ୍ରୀ ଲୋକ ଘରେ ସେମାନେ ଆଶ୍ରୟ ନେଲେ । ସ୍ତ୍ରୀ ଲୋକଟି ସମସ୍ତଙ୍କୁ ଯେପରି ଠକେ, ଏମାନଙ୍କୁ ଠକିବାକୁ ସେହିପରି ଯୋଗାଡ଼ କଲା ।

 

ରାତିରେ ଚୁପ୍‌ ଚାପ୍‌ ଆସି ବୋହୂର ଗଣ୍ଠିଲିରେ ରୁପା କଟରାଟି ରଖିଦେଲା; ମାତ୍ର ବୋହୂ ସେତେବେଳେ ଶୋଇ ନ ଥାଏ । କେବଳ ଶୋଇବାର ଛଳନା କରି ଗାଲପାରି ଆଖିବୁଜି ପଡ଼ିଥାଏ । ସେ ଏଇ ଲୋକଟିର କୌଶଳ ବୁଝିପାରିଲା । ସ୍ତ୍ରୀ ଲୋକଟି ଯାଇ ତା’ ଘରେ ଶୋଇଲା । ବୋହୂ ଉଠି ସେହି କଟରାଟିକୁ ନେଇ ସ୍ତ୍ରୀ ଲୋକର ଘର ଭିତରେ ରଖିଦେଲା ।

 

ସକାଳେ ସ୍ତ୍ରୀ ଲୋକଟି ତା’ର କଟରା ଚୋରିଯାଇଛି ବୋଲି ଚିତ୍କାର କରିବାରୁ ସବୁ ଜିନିଷପତ୍ର ଖୋଜାହେଲା । କଟରାଟି ବୋହୂର ଗଣ୍ଠିଲିରୁ ନ ମିଳିବାରୁ ସ୍ତ୍ରୀ ଲୋକଟି ଘରୁ ବାହାରିଲା । ସର୍ତ୍ତ ଅନୁସାରେ ବୋହୂ ସେଇ ସ୍ତ୍ରୀ ଲୋକର ସବୁ ଜିନିଷପତ୍ର ନେଇ ସେଠାରୁ ବାହାରିଲା । ଗାଁ ପାଖ ହୋଇଯିବାରୁ ବୋହୂ ଚାକରମାନଙ୍କୁ ପଛେ ପଛେ ଆସିବାକୁ କହି ଏକୁଟିଆ ଗାଁକୁ ବାହାରିଲା । ଗାଁରେ ପହଞ୍ଚିବା ପୂର୍ବରୁ ସେ ପୁରୁଷ ବେଶ ବଦଳାଇ ଆପଣା ବେଶରେ ଘରକୁ ଗଲା । ମହାଜନ କହିଲା–‘‘ବୋହୂ ! ମୋ ପୁଅ କାହିଁ ?

 

ବୋହୂ ଉତ୍ତର ଦେଲା–‘‘ସେ ଆସି ଖୁବ୍‌ ଶୀଘ୍ର ପହଞ୍ଚିବେ ।’’

 

ପୁଅ ଆସି ଘରେ ପହଞ୍ଚିଲା । ପୁଅକୁ ଚାକର ଭାବରେ ଦେଖି ବାପ କହିଲା–‘‘ହଇରେ ପୁଅ ! ତୁ ଶେଷରେ ଏଇଆ ହେଲୁ !’’ କ’ଣ ବା କରିବ ? ମନ କଥା ମନରେ ମାରି ରହିଲା ।

 

ପୁଅ ଗାଧୋଇ ନୂଆ ଲୁଗାପଟା ପିନ୍ଧିଲା । ନିଜ ସ୍ତ୍ରୀ ପାଖକୁ ଯାଇ କହିଲା–‘‘ମୁଁ ଏବେ ବିଦେଶରୁ ଟଙ୍କା ପଇସା ରୋଜଗାର କରି ଆସିଛି । ତେବେ ଆସ, ମୁଁ ତୁମକୁ ପାଞ୍ଚ ଯୋତା ମାରିବି ।’’

 

ସ୍ତ୍ରୀ ଏହା ଶୁଣି ହସିଦେଲା । ସ୍ତ୍ରୀର ହସ ଦେଖି ପୁଅ ଆହୁରି ରାଗିଗଲା । ସ୍ତ୍ରୀ କହିଲା–‘‘କହିଲ ଦେଖି, ତୁମ ପିଠିରେ ଖଡ଼ିକା ଦାଗ କିଏ ଲଗାଇଛି ?’’ ବାଟରେ କାହାକୁ ଛାଡ଼ି ତୁମେ ଏଠାକୁ ଆସିଛ ? ଯାହା ଘରୁ ନେଇଥିଲ, ତାହାକୁ ସବୁ ତ ହରେଇଲ । ଏବେ ଫୁଟାଣି ଦେଖାଉଛ କାହିଁକି ?

 

ପୁଅ ବୁଝିପାରିଲା, ବୋହୂକୁ ଯୋତା ମାରିବା, ଧମକଦେବା ବୃଥା । ଲାଜରା ହୋଇ ସ୍ତ୍ରୀକୁ କ୍ଷମା ମାଗିଲା ।

ସ୍ତ୍ରୀ କହିଲା–‘‘ଅନ୍ୟର ଅର୍ଜିତ ଧନରେ ବାହାଦୁରି ଦେଖାଇବା ଛାଡ଼ି ନିଜ ବୁଦ୍ଧିରେ କାମ କର । ତା’ହେଲେ ଆମେ ଭଲରେ ଚଳିବା ।’’

 

(ମାଳବ)

Image